ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ନିରବ ଥିବା କିଛି ବଲିଉଡ୍ ଅଭିନେତା ଅଭିନେତ୍ରୀଙ୍କୁ ସୋସିଆଲ୍ ମିଡିଆରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଶର୍ମିଷ୍ଠା ପନୋଲି ଗିରଫ ହେବା ପରେ ରାଜନେତାଙ୍କ ମଧ୍ୟରେ ରାଜନୈତିକ ପରିବେଶରେ ଉତ୍ତେଜନା ଦେଖା ଦେଇଛି। ଏନେଇ କିଛି ନେତା ପଶ୍ଚିମବଙ୍ଗର ତୃଣମୂଳ ସରକାର ଓ କୋଲକାତା ପୁଲିସକୁ ନିନ୍ଦା କରିଥିବା ବେଳେ ଆଉ କିଛି ଏହାକୁ ସମର୍ଥନ କରିଛନ୍ତି। ପାନୋଲିଙ୍କୁ ମେ ୩୦ ତାରିଖରେ ଗୁରୁଗ୍ରାମରୁ କୋଲକାତା ପୋଲିସ ଗିରଫ କରିଥିଲା। ଏବଂ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି।
ପାଲୋନି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ତାଙ୍କ ଭିଡିଓରେ ଅପମାନଜନକ ଏବଂ ରାଜନୈତିକ ଆକ୍ଷେପମୂଳକ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କୁ ପ୍ରବଳ ସମାଲୋଚନା କରାଯିବା ପରେ ସେ ତାଙ୍କ ପୋଷ୍ଟଟି ଡିଲିଟ୍ କରିଦେବା ସହି କ୍ଷମା ପ୍ରାର୍ଥନା ବି କରିଥିଲେ। ଏହା ସତ୍ତ୍ୱେ ବି ତାଙ୍କ ବିରୁଦ୍ଧରେ ଏକାଧିକ ଏଫଆଇଆର ଦାୟର କରାଯିବା ସିହତ ତାଙ୍କୁ ପରେ ଗିରଫ କରାଯାଇଥିଲା।
ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ପାନୋଲିଙ୍କୁ ସମର୍ଥନ କରିବା ସହ ତାଙ୍କୁ ତୁରନ୍ତ ଜେଲ୍ରୁ ମୁକ୍ତ କରାଯିବା ଉଚିତ୍ ବୋଲି କହିଛନ୍ତି। କଙ୍ଗନା କହିଛନ୍ତି “ମୁଁ ମାନୁଛି ଯେ ଶର୍ମିଷ୍ଠା ତାଙ୍କ ପୋଷ୍ଟରେ କିଛି ଅଶ୍ରାବ୍ୟ ଶବ୍ଦର ବ୍ୟବହାର କରିଥିଲେ, କିନ୍ତୁ ଆଜିକାଲି ଅଧିକାଂଶ ଯୁବପିଢ଼ି ଏପରି ଶବ୍ଦ ବ୍ୟବହାର କରନ୍ତି। ସେ ତାଙ୍କ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଏବଂ ଏତିକି ଯଥେଷ୍ଟ ହେବା ଉଚିତ, ତାଙ୍କୁ ଆଉ ଧମକ ଦେବା ଏବଂ ହଇରାଣ କରିବାର କୌଣସି ଆବଶ୍ୟକତା ନାହିଁ। ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ।”
ଏକ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ, ସେ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଥିଲେ, ଏବଂ କହିଥିଲେ ଯେ ରାଜ୍ୟକୁ ଉତ୍ତର କୋରିଆ କରିବାକୁ ଚେଷ୍ଟା ନ କରନ୍ତୁ। କଙ୍ଗନା କହିଥିଲେ “ମୁଁ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରୁଛି ଯେ ରାଜ୍ୟକୁ ଉତ୍ତର କୋରିଆ କରିବାକୁ ଚେଷ୍ଟା ନକରନ୍ତୁ। ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ଅଛି। ସେ ତାଙ୍କର ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସାଧାରଣ ଭାବରେ ସବୁକିଛି କହିଥିଲେ ଏବଂ ସେ ଇଂରାଜୀ ହେଉ କିମ୍ବା ହିନ୍ଦୀରେ ଆଜିର ପିଢ଼ି ଏପରି ଭାଷା ସାଧାରଣ ଭାବରେ ବ୍ୟବହାର କରନ୍ତି।”
ସେହିପରି ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ପାନୋଲିଙ୍କ ଗିରଫଦାରୀକୁ ନିନ୍ଦା କରିବା ସହିତ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏବଂ କହିଛନ୍ତି ଯେ ଟିଏମ୍ସିର ସାଂସଦମାନେ ଯେତେବେଳେ ସନାତନ ଧର୍ମକୁ ଉପହାସ କରନ୍ତି ସେତେବେଳେ ତାଙ୍କୁ ମଧ୍ୟ ଖରାପ ଲାଗେ। କଲ୍ୟାଣ ସେୟାର କରାଯାଇଥିବା ଭିଡିଓରେ ବାନାର୍ଜୀ କହୁଛନ୍ତି “ ଜାଣିଶୁଣି ଏକ ଗନ୍ଦା ଧରମ(ଖରାପ ଧର୍ମ) ଯାହାକୁ ସେ ବନାଇଛି, ଏଇ ଜୁମଲା ପାର୍ଟି(ବିଜେପିକୁ ଟାର୍ଗେଟ୍ କରି) ବନେଇଛି ସେହି ଧର୍ମକୁ ମୁଁ ମାନେ ନାହିଁ। ”
ପବନ କଲ୍ୟାଣ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି “ସିନ୍ଦୂର ଅପରେସନ୍ ସମୟରେ, ଆଇନ ଛାତ୍ରୀ ଶର୍ମିଷ୍ଠା କହିଥିଲେ, ତାଙ୍କ କଥା କିଛି ଲୋକଙ୍କ ପାଇଁ ଦୁଃଖଦାୟକ ଏବଂ ଆଘାତଦାୟକ ଥିଲା। ସେ ତାଙ୍କର ଭୁଲ ସ୍ୱୀକାର କରିଥିଲେ, ଭିଡିଓଟି ଡିଲିଟ୍ କରିଦେଇଥିଲେ ଏବଂ କ୍ଷମା ମାଗିଥିଲେ। ପଶ୍ଚିମ ବଙ୍ଗ ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ଶର୍ମିଷ୍ଠାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ଯେତେବେଳେ ଟିଏମସିର ନିର୍ବାଚିତ ନେତା, ସାଂସଦମାନେ ସନାତନ ଧର୍ମକୁ ଉପହାସ କରନ୍ତି, ସେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଯେଉଁ ଗଭୀର, ଯନ୍ତ୍ରଣା ହୁଏ ସେ ବିଷୟରେ କ'ଣ କହିବେ? ଯେତେବେଳେ ଆମ ବିଶ୍ୱାସକୁ 'ଖରାପ ଧର୍ମ' କୁହାଯାଏ, ସେତେବେଳେ ଆପଙ୍କ ରାଗଟା କେଉଁଠି ଥାଏ? ସେମାନେ ତ କ୍ଷମା ମାଗନ୍ତି ନାହିଁ? ସେମାନଭଙ୍କୁ କାହିଁକି ଶୀଘ୍ର ଗିରଫ କରାଯାଏ ନାହିଁ।” ଏହି ପୋଷ୍ଟରେ ସେ ଆଇ ଷ୍ଟାଣ୍ଡ ୱିଥ୍ ଶର୍ମିଷ୍ଠା ଲେଖି ସେ ହ୍ୟାସ୍ ଟ୍ୟାଗ୍ ବି ଦେଇଛନ୍ତି।
ସେହିପରି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କପଟତାର ଆରୋପ ଲଗାଇ କହିଛନ୍ତି। "ଏହା କେବଳ ବେଙ୍ଗଲ କଥା ନୁହେଁ, କିପରି ଭୋଟ ବ୍ୟାଙ୍କକୁ ସନ୍ତୁଷ୍ଟ କରିବା ପାଇଁ ଜଣେ ଯୁବତୀ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରାଯାଉଛି, ତାହା ଦେଖଇବା କଥା।"
କୋଲକାତା ପୋଲିସ ଅନୁଯାୟୀ, ପାନୋଲିଙ୍କ ବିରୋଧରେ ଅନେକ ଏଫଆଇଆର ରୁଜୁ ହେବା ପରେ ତାଙ୍କୁ ଅନେକ ଆଇନଗତ ନୋଟିସ ଦିଆଯାଇଥିଲା, କିନ୍ତୁ ସେ ଫେରାର୍ ଥିଲେ। ତାଙ୍କୁ ମେ ୩୦ ତାରିଖରେ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା ଏବଂ ୧୩ ଜୁନ୍ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଯାଇଥିଲା। ତେବେ କୋର୍ଟରୁ ବାହାରିବା ସମୟରେ ସେ କହିଥିଲେ, "ଗଣତନ୍ତ୍ରରେ ଯେଉଁଭଳି ଭାବରେ ଏହି ଉତ୍ପୀଡ଼ନ କରାଯାଉଛି, ଏହା ଗଣତନ୍ତ୍ର ନୁହେଁ।"
ଶର୍ମିଷ୍ଠାଙ୍କ ବିରୁଦ୍ଧରେ କେଉଁ ସବୁ ଦଫା ଲାଗିଛି ?
ଶର୍ମିଷ୍ଠାଙ୍କ ପୋଷ୍ଟ ପରେ କୋଲକାତାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଏହାପରେ ମେ ୩୦ ତାରିଖରେ ତାଙ୍କି ଗୁରୁଗ୍ରାମରୁ ଗିରଫ କରାଯାଇଥିଲା। ପାନୋଲିଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୬(୧) (ଏ) ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା, ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା, ୨୯୯ (ଯେକୌଣସି ବର୍ଗର ନାଗରିକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଉଦ୍ଦେଶ୍ୟମୂଳକ ଏବଂ ଉସ୍କାଇବା ଭଳି କାର୍ଯ୍ୟ କରିବା), ୩୫୨ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ କରିବା), ୩୫୩(୧)(ସି) (ସାର୍ବଜନୀନ ଦୁଷ୍ଟତାକୁ ଉସୁକାଉଥିବା ବିବୃତ୍ତି) ଅନୁଯାୟୀ ଅଭିଯୋଗ କରାଯାଇଛି।
କିଏ ଏହି ଶର୍ମିଷ୍ଠା ପାନୋଲି ?
୨୨ ବର୍ଷୀୟା ଶର୍ମିଷ୍ଠା ପାନୋଲି ପୁଣେ ଆଇନ ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଆଇନ ଛାତ୍ରୀ। ତାଙ୍କର ଏକ୍ସ(ପୂର୍ବର ଟ୍ୱିଟର) ଏବଂ ଇନଷ୍ଟାଗ୍ରାମରେ ୧୭୫,୦୦୦ରୁ ଅଧିକ ଫଲୋଅର୍ସ ରହିଛନ୍ତି। ସୋସିଆଲ୍ ମିଡିଆରେ ସ ଲୋକପ୍ରିୟ ଓ ପ୍ରଭାବଶାଳୀ ମଧ୍ୟ। ପାନୋଲି ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ରେ ସାମ୍ପ୍ରତିକ ସମସ୍ୟା ଉପରେ ନିଜର ମତାମତ ରଖନ୍ତି। ଯେଉଁଥିରେ ଅଧିକାଂଶ ସେ ଅଶ୍ରାବ୍ୟ ଶବ୍ଦର ବ୍ୟବହାର କରିଥାନ୍ତି। ତେବେ ଅପରେସ ସିନ୍ଦୂର ନେଇ ସେ ଯେଉଁ ପୋଷ୍ଟ କରିଥିଲେ, ସେଥିରେ ସେ ନିର୍ଦ୍ଦିଷ୍ଟ ଧର୍ମ ବିଷୟରେ ବି ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଯାହାକୁ ନେଇ ଦେଶର ବିଭିନ୍ନ ବଡ ବଡ଼ ନେତା ମଧ୍ୟ ଆପତ୍ତି ଉଠାଇଥିଲେ। ପରେ ଭିଡିଓ ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ।