ନୟାଗଡ଼: ପଞ୍ଚରିଡ଼ା ରେଞର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ବାସଭବନରୁ ମିଳିବା ଘଟଣା। ଶିଶିରଙ୍କ ପତ୍ନୀ ନମିତା ଏବଂ ପୁଅ ଅଭିଷେକକୁ ଗିରଫ କଲା ଟାଉନଥାନା ପୋଲିସ। ଶନିବାର ବିଳମ୍ବିତ ରାତିରେ ଶିଶରଙ୍କ ପତ୍ନୀ ନମିତା ଓ ପୁଅ ଅଭିଷେକ ଶିଶରଙ୍କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା।
ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୟାଗଡ଼ ବାରମାସୀ ଦଣ୍ଡାରେ ସ୍ତ୍ରୀ ଓ ପୁଅ ସହ ରହୁଥିଲେ ଶିଶର। ହେଲେ ଶିଶରଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଶନିବାର ବିଳମ୍ବିତ ରାତିରେ ଶିଶର ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲେ। ହେଲେ ଏହି ସମୟରେ ପତ୍ନୀ ନମିତା ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ମୋବାଇଲରେ କାହାର ଫଟୋ ଅଛି, ତାକୁ ଯାଞ୍ଚ କରୁଥିବାବେଳେ ନମିତାଙ୍କ ସହ ଶିଶିରଙ୍କର ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା।
ଏହା ପରେ ଘରେ ଏକ ପ୍ଲାଷ୍ଟିକ୍ କାରରେ ଥିବା ପେଟ୍ରୋଲ ଆଣି ଶିଶରଙ୍କ ଉପରେ ନମିତା ଢାଳି ଦେଇ ଦିଆସିଲି ମାରି ଦେଇଥିଲେ ନମିତା। ଆଉ ଶିଶିର ନିଆଁରେ ଜଳୁଥିବାବେଳେ ଘର କବାଟ ବନ୍ଦ କରି ନମିତା ଓ ଅଭିଷେକ ବାହାରକୁ ପଳାଇ ଆସିଥିଲେ। ପରେ ନମିତା ଓ ଅଭିଷେକଙ୍କ ଚିତ୍କାର ଶୁଣି ପଡ଼ୋଶୀ ପ୍ରଥମେ ଅଗ୍ନିଶମ ବିଭାଗକୁ ଫୋନ କରି ଡାକିଥିଲେ। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିଲା। ସେତେବେଳକୁ ଶିଶିରଙ୍କ ଶରୀର ଅଧିକାଂଶ ଜଳି ଯାଇଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶିଶରଙ୍କ ବଡ଼ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।