ପାକିସ୍ତାନର ତୃତୀୟ ସ୍ବୀକାରୋକ୍ତି...ବ୍ରହ୍ମୋସ ମାଡ଼ରେ AWACS ଓ ଯୁଦ୍ଧ ବିମାନ ଧ୍ବସ୍ତ, ଟଳିଥିଲେ ୭ ଯବାନ

Published By : Prameya-News7 Bureau | May 16, 2025 IST

ନୂଆଦିଲ୍ଲୀ: ସିଜ୍‌ଫାୟାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଫେରୁଛି । ସୀମାରେ ଗୁଳିଗୋଳା ମାଡ଼ ଧୀରେ ଧୀରେ ଥମୁଛି । ଅସ୍ତ୍ରବିରତି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ରବିବାର ଦୁଇ ଦେଶ ମଧ୍ୟରେ ଡିଜିଏମଓ ବୈଠକ ବସିବ । ଏଥିରେ ଦୀର୍ଘକାଳୀନ ଶାନ୍ତି ନେଇ ଆଲୋଚନା ହେବ । ଏହାରି ଭିତରେ ‘ଅପରେସନ ସିନ୍ଦୂର’ରେ ଭାରତୀୟ ସେନା କରିଥିବା ପ୍ରଚଣ୍ଡ ପ୍ରହାରକୁ ଧୀରେ ଧୀରେ ସ୍ବୀକାର କରୁଛି ପଡ଼ୋଶୀ ଦେଶ । ବ୍ରହ୍ମୋସ ମିସାଇଲ୍ ମାଡ଼ରେ ପାକିସ୍ତାନର ପ୍ରାୟ ୧୧ଟି ଏୟାରବେସ୍ ନଷ୍ଟ ହୋଇଛି । ଏଥିମଧ୍ୟରୁ ଭୋଲାରୀ ବିମାନଘାଟିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ମାନିଛି ପଡୋଶୀ । 

ପାକିସ୍ତାନର ଜଣେ ଅବସର ପ୍ରାପ୍ତ ଏୟାର ମାର୍ଶଲ ଓ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭୋଲରୀ ଏୟାରବେସ୍ ବିସ୍ଫୋରଣକୁ ସ୍ବୀକାର କରିଛନ୍ତି । ଭାରତୀୟ ସେନାର ମିସାଇଲ୍ ଷ୍ଟ୍ରାଇକରେ ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ଏୟାରବର୍ନ ବର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ ବିମାନ କ୍ରାସ୍ ହୋଇଛି ଏବଂ ଏଥିରେ ଥିବା କ୍ରୁ’ ମେମ୍ବର ମଧ୍ୟ ପ୍ରାଣ ହରାଇଛନ୍ତି । ୨ଟି ସ୍ବୀକାରୋକ୍ତିରେ ପ୍ରଥମେ ପଡ଼ୋଶୀ ଦେଶର ୧୧ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮ଜଣ ଆହତ ହୋଇଛନ୍ତି । ଦ୍ବିତୀୟ ସ୍ବୀକାରୋକ୍ତିରେ ୨ଜଣ ରେଞ୍ଜରଙ୍କ ପ୍ରାଣହାନୀ ଘଟିଥିବା କୁହାଯାଇଛି । 

କ’ଣ ହୋଇଥିଲା ?

୨୦୨୫ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମେ’ ୬ରୁ ୧୦ ତାରିଖ ଭିତରେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଲଞ୍ଚ୍ କରିଥିଲା । ଏହି ଅପରେସନରେ ଭାରତ ପାକିସ୍ତାନର ୧୧ ଏୟାରବେସକୁ ଏୟାରଷ୍ଟ୍ରାଇକ୍ କରି ଧ୍ବଂସ କରି ଦେଇଛି । ଏଥିରେ ନୁର୍ ଖାନ୍, ସରଗୋଧା ଓ ଭୋଲାରୀ ଉପରେ ମହାବିନାଶକ ବ୍ରହ୍ମୋସ ମିସାଇଲ୍ ମାଡ଼ ହୋଇଥିବା କୁହାଯାଉଛି । ଏହି ହମଲାର ଉଦ୍ଦେଶ୍ୟ ଥିଲା ଆତଙ୍କୀ ଠିକଣାକୁ  ଟାର୍ଗେଟ୍ କରିବା ଓ ପାକିସ୍ତାନ ବାୟୁସେନାର ଶକ୍ତିକୁ ଦୁର୍ବଳ କରିବା ।

ସୂଚନା ଅନୁଯାୟୀ, ଭୋଲାରୀ ଏୟାରବେସ୍ ସିନ୍ଧ୍ ପ୍ରାନ୍ତର ଜମଶୋର ଜିଲ୍ଲାରେ ରହିଛି । ମେ’ ୧୦ ତାରିଖ ରାତିରେ ଭାରତୀୟ ବାୟୁସେନା ଏହାକୁ ପିନ୍ ପଏଣ୍ଟ ଟାର୍ଗେଟ୍ କରି ମିସାଇଲ୍ ମାଡ଼ କରିଥିଲେ । ଏହି ବିସ୍ଫୋରଣରେ ପାକିସ୍ତାନର ଭୋଲାରୀ ବାୟୁସେନା ଘାଟିରେ ବ୍ୟାପକ କ୍ଷତିକ୍ଷତି ହୋଇଛି । 

AWACS ବିମାନ କାହିଁକି ଗୁରୁତ୍ୱପୂର୍ଣ୍ଣ ? 

ପାକିସ୍ତାନର AWACS ବିମାନ ଏକ ଉଡ଼ନ୍ତା ରାଡାର ସିଷ୍ଟମ । ଯାହା ଆକାଶରେ ଶତ୍ରୁ ପକ୍ଷର ଯୁଦ୍ଧବିମାନ, ମିସାଇଲ୍ ଓ ଡ୍ରୋନକୁ ଟ୍ରାକ୍ କରିଥାଏ । ଏହାକୁ ପାକ୍ ବାୟୁସେନାର "ଆଖି ଓ କାନ ବୋଲି କୁହାଯାଏ । ଯୁଦ୍ଧ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ AWACS । ଏହି  ବିମାନ ଚୀନ୍ ନିର୍ମିତ ଯୁଦ୍ଧାସ୍ତ୍ର ଅଟେ । ୧୦ ମେ’ ମିସାଇଲ୍ ଷ୍ଟ୍ରାଇକରେ AWACS ବିମାନ ନଷ୍ଟ ହୋଇଛି ବୋଲି କୁହାଯାଉଛି । ଏହା ପାକିସ୍ତାନ ବାୟୁସେନା ପାଇଁ ଏକ ବଡ଼ ବିପର୍ଯ୍ୟୟ ।

ଅବସରପ୍ରାପ୍ତ ଏୟାର ମାର୍ଶାଲଙ୍କ ବୟାନ:

ଅବସରପ୍ରାପ୍ତ ପାକିସ୍ତାନ ଏୟାର ମାର୍ଶାଲ ମାସୁଦ ଅଖତର ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି, ଯେ ଭୋଲାରୀ ଏୟାରବେସରେ ଉପରେ ଭାରତ ବ୍ରହ୍ମୋସ ମାଡ଼ କରିଥିଲା । ଏଥିରେ ଏକ AWACS ବିମାନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ଭାରତୀୟ ସେନା ଚାରୋଟି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଏଥିରୁ ଚତୁର୍ଥ ମିସାଇଲଟି ଏୟାରବେସର ହ୍ୟାଙ୍ଗରରେ ପଡ଼ିଥିଲା । ଫଳରେ ଗୋଟିଏ AWACS ଓ ସମ୍ଭବତଃ ଏକ F-16 ଲଢ଼ୁଆ ବିମାନ ନଷ୍ଟ ହୋଇଛି ।  ସାଟେଲାଇଟ୍ ଚିତ୍ରରେ ହ୍ୟାଙ୍ଗରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏହି ବୟାନ ପାକିସ୍ତାନ ପକ୍ଷରୁ ପ୍ରଥମ ଥର ବଡ଼ ସ୍ୱୀକାରୋକ୍ତି ବୋଲି କୁହାଯାଉଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.