IPS ପରାଗ ଜୈନ ହେଲେ RAW ମୁଖ୍ୟ, ଅପରେସନ ସିନ୍ଦୁରରେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

Published By : Prameya-News7 Bureau | June 28, 2025 IST

ନୂଆଦିଲ୍ଲୀ: ପରାଗ ଜୈନଙ୍କୁ ନୂତନ RAW ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। । ୧୯୮୯ ବ୍ୟାଚ୍ ପଞ୍ଜାବ କ୍ୟାଡରର IPS ଅଧିକାରୀ ହେଉଛନ୍ତି ପରାଗ ଜୈନ। ବିମାନ ଗବେଷଣା କେନ୍ଦ୍ର (ARC)ର ସେ ମୁଖ୍ୟ ଥିଲେ। ଦୀର୍ଘ ସମୟ ଧରି କ୍ୟାବିନେଟ ସଚିବାଳୟରେ ସେ କାର୍ଯ୍ୟ କରିଛନ୍ତି। ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପ୍ରଦାନ କରିଥିଲେ ପରାଗ ଜୈନ। 

ଦେଶର ସର୍ବବୃହତ ଗୁପ୍ତଚର ସଂସ୍ଥା, ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ (RAW)ର ବର୍ତ୍ତମାନର ମୁଖ୍ୟ ରବି ସିହ୍ନା ଚଳିତ ମାସ ୩୦ ତାରିଖରେ ଅବସର ନେଉଛନ୍ତି। ଏପରି ପରିସ୍ଥିତିରେ ବିମାନ ଉଇଙ୍ଗ ARCର ମୁଖ୍ୟ ପରାଗ ଜୈନଙ୍କୁ RAWର ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ରବି ସିହ୍ନାଙ୍କ ଅବସର ପରେ ପରାଗ ଜୈନ ତାଙ୍କ ପଦ ଗ୍ରହଣ କରିବେ।

ଅପରେସନ ସିନ୍ଦୁର ସମୟରେ, ARC ଭାରତୀୟ ବାୟୁସେନାକୁ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ବିଷୟରେ ସଠିକ୍ ସୂଚନା ଦେଇଥିଲା। ଏହି ଆଡ୍ଡାଗୁଡ଼ିକରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ମୁଖ୍ୟାଳୟ ଅନ୍ତର୍ଭୁକ୍ତ ଥିଲା। ARC ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଜୈଶ, ଲସ୍କର ଏବଂ ମୁଜାହିଦ୍ଦିନର ଆତଙ୍କବାଦୀ ଲଞ୍ଚ ପ୍ୟାଡ ଥିବା ତଥ୍ୟ ପ୍ରଦାନ କରିଥିଲା।

ଏହି ଅପରେସନ ସମୟରେ ପାକିସ୍ତାନର ବିମାନ ଏବଂ ଏୟାରସ୍ପେଶ ଉପରେ ନଜର ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ARC। ଫଳରେ ପାକିସ୍ତାନ ଉପରେ ଏକ ବଡ଼ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା। ଏହି ଆକ୍ରମଣରେ ନଅ ଆତଙ୍କବାଦୀ ଆଡ୍ଡା ଏବଂ ପାକିସ୍ତାନର ୧୧ ଟି ବାୟୁସେନା ଘାଟି ଅନ୍ତର୍ଭୁକ୍ତ ଥିଲା, ଯାହା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା।

୧୯୬୨ ମସିହାରେ ଚୀନ୍ ଯୁଦ୍ଧ ସମୟରେ ARC ପ୍ରତିଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହା RAWର ବାହ୍ୟ ବୈଷୟିକ ପରି କାର୍ଯ୍ୟ କରେ। ଏହି ବାହ୍ୟ ପରିସର ମଧ୍ୟରେ ଶତ୍ରୁ ସାମରିକ, ସମ୍ବେଦନଶୀଳ ଏବଂ ଗୁପ୍ତ ଘାଟିର ନିରୀକ୍ଷଣ ଏବଂ ଚିତ୍ର ସଂଗ୍ରହ କରେ। ବାୟୁସେନା ପରି, ARCର ନିଜସ୍ୱ ଗୁଇନ୍ଦା ବିମାନ ଏବଂ ହେଲିକପ୍ଟର ଅଛି।

ଅପରେସନ ସିନ୍ଦୁରରେ RAWର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, CDS ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନାର ମୁଖ୍ୟଙ୍କ ସହିତ ଏକ ପୃଥକ ବୈଠକ କରିଥିଲେ, ସେହି ବୈଠକରେ RAW ମୁଖ୍ୟ ରବି ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ମୂଳପୋଛ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି RAW । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.