ନୂଆଦିଲ୍ଲୀ : ଭାରତ ସହ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଗ୍ରହଣ କରିବା ଆରମ୍ଭ କରିଛି। ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ପାକିସ୍ତାନର ଦୁଇ ବର୍ଷର କାର୍ଯ୍ୟକାଳର ଏକ ଅଂଶ। ପାକିସ୍ତାନ ଜାନୁଆରୀ ୨୦୨୫ରେ ଦୁଇ ବର୍ଷର କାର୍ଯ୍ୟକାଳ ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ନିଯୁକ୍ତ କରାଯାଇ ଥିଲା। ପାକିସ୍ତାନକୁ ଜାତିସଂଘରେ ବହୁ ସମର୍ଥନର ସହ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଚୟନ କରାଯାଇ ଥିଲା ଏବଂ ତାକୁ ୧୯୩ ମଧ୍ୟରୁ ୧୮୨ ଭୋଟ୍ ମିଳିଥିଲା। ସୁରକ୍ଷା ପରିଷଦର ଅଧ୍ୟକ୍ଷତାର ପଦ ମାସିକ ଆଧାରରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରେ ବର୍ଣ୍ଣନୁକ୍ରମରେ ବଦଳା ଯାଇଥାଏ।
ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ଆସିମ୍ ଇଫତିଖାର ଅହମ୍ମଦ ସରକାରୀ ଆସୋସିଏଟେଡ୍ ପ୍ରେସ୍ ଅଫ୍ ପାକିସ୍ତାନ (ଏପିପି)ର ସମ୍ୱାଦଦାତାଙ୍କୁ କହିଥିଲେ , ପାକିସ୍ତାନର ଅଧ୍ୟକ୍ଷତା ସ୍ୱଚ୍ଛ , ଅନ୍ତର୍ଭୁକ୍ତ ଓ ଉତ୍ତରଦାୟୀ ହେବ। ରାଷ୍ଟ୍ରଦୂତ ଇଫିତଖାର ଜୁଲାଇରେ ପ୍ରମୁଖ ବିଶ୍ୱସ୍ତରୀୟ ମାମଲାରେ ସୁରକ୍ଷା ପରିଷଦର ବୈଠକର ଅଧ୍ୟକ୍ଷତା କରିବେ। ସେ କହିଛନ୍ତି ଯେ, ସେ ଜଟିଳ ଭୂ-ରାଜନୀତିକ ପରିଦୃଶ୍ୟ , ଦୁନିଆରେ ଅସ୍ଥିରତା ବୃଦ୍ଧି ଓ ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ,ବଢୁଥିବା ସଂଘର୍ଷ ଓ ଗମ୍ଭୀର ହେଉଥିବା ମାନବୀୟ ସଙ୍କଟରେ ସଂପୂର୍ଣ୍ଣ ଅବଗତ।
ଜୁଲାଇରେ ଅଧ୍ୟକ୍ଷୀୟ କାର୍ଯ୍ୟକାଳ ବେଳେ, ପାକିସ୍ତାନ ବହୁ ପକ୍ଷବାଦ ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ତଥା ଜାତିସଂଘ ଇସଲାମିକ୍ ସହଯୋଗ ସଙ୍ଗଠନ (ଓଆଇସି) ସହଯୋଗରେ ଦୁଇ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରିବ। ରାଷ୍ଟ୍ରଦୂତ ଇଫିତଖାର ପୂର୍ବରୁ ହିଁ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟାରେସ୍ଙ୍କୁ ଭେଟିବା ସହ ତାଙ୍କୁ ଜୁଲାଇରେ ସୁରକ୍ଷା ପରିଷଦର କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇ ସାରିଛନ୍ତି।
ଏହାପୂର୍ବରୁ ପାକିସ୍ତାନ ୨୦୧୨-୧୩, ୨୦୦୩-୦୪ , ୧୯୯୩-୯୪,୧୯୮୩-୮୪,୧୯୭୬-୭୭,୧୯୬୮-୬୯ ଓ ୧୯୫୨-୫୩ ବେଳେ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଥିଲା।
ଭାରତ ପାଇଁ କେତେ ବିପଦ ?
ପହଲଗାମ ଆତଙ୍କୀ ହମଲା ପରେ ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ବଡ ଜବାବ ଦେଇଛି। ଏହାର ପ୍ରତିଶୋଧ ସେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହୋଇ ନେଇପାରେ। ଆଶଙ୍କା କରାଯାଉଛି ଯେ, ଏହି ମାସ ଭିତରେ ପାକିସ୍ତାନ ଭାରତ ବିରୋଧରେ ନ୍ୟାରେଟିଭ୍ ସୃଷ୍ଟି କରିବାକୁ ଚେଷ୍ଟା କରିପାରେ। ଭାରତ ଗତ ଦିନରେ ସିନ୍ଧୁ ଜଳ ଚୁକ୍ତିନାମାକୁ ରୋକି ପାକିସ୍ତାନକୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଅଡ଼ୁଆରେ ପକାଇ ଦେଇଛି। ଏହି ସ୍ଥିତିରେ ୟୁଏନଏସସିର ଅଧ୍ୟକ୍ଷତା ପାଇବା ପରେ ସେ ଏହି ସମୟରେ ଭାରତ ବିରୋଧରେ ମିଛ କଥା କହି ଫାଇଦା ଉଠାଇବାକୁ ଚେଷ୍ଟା କରିପାରେ। ହେଲେ ଭାରତ ମଧ୍ୟ ମୁହଁତୋଡ ଜବାବ ଦେବା ଜାଣିଛି ଏବଂ ସମୟାନୁସାରେ ତାର ମୁଖା ବି ଖୋଲି ପାରେ।