ବିହାର ଭୋଟର ତାଲିକାରୁ କଟିବ ୫୨ ଲକ୍ଷ ଭୋଟରଙ୍କ ନାଁ ! ନିର୍ବାଚନ କମିଶନ ଜାରି କଲେ ତଥ୍ୟ

Published By : Prameya-News7 Bureau | July 22, 2025 IST

ନୂଆଦିଲ୍ଲୀ : ବିହାରରେ ଚାଲି ଥିବା ଭୋଟର ତାଲିକା ସଂଶୋଧନ ଅଭିଯାନ ( ଏସଆଇଆର) ଅନୁସାରେ, ଭୋଟର ତାଲିକାରୁ ୫୨ ଲକ୍ଷ ଭୋଟରଙ୍କ ନାଁ କଟିବ ବୋଲି ଜଣାଯାଇଛି। ନିର୍ବାଚନ କମିଶନ ଏସଆଇଆରର ସଦ୍ୟତମ ତଥ୍ୟ ଜାରି କରିଛି। କମିଶନ ୫୨.୩୦ ଲକ୍ଷ ମତଦାତାଙ୍କ ତାଲିକା ସେୟାର କରିଛି, ଯାହା କଥିତ ଭାବେ ମୃତ ବା ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି କିମ୍ୱା ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଛନ୍ତି। ଯେଉଁଥିରେ ୧୮ ଲକ୍ଷ ୬୬ ହଜାର ୮୬୯ ଜଣ ମତଦାତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି।

୨୬ ଲକ୍ଷ ୧୦୩୧ ଜଣ ଏମିତି ଭୋଟର ଅଛନ୍ତି , ଯିଏ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। ୭ ଲକ୍ଷ ୫୦ ହଜାର ୭୪୨ ଜଣ ଏମିତି ଭୋଟର ଅଛନ୍ତି, ଯିଏ ଗୋଟିଏରୁ ଅଧିକ ସ୍ଥାନରେ ନାମ ପଞ୍ଜୀକୃତ କରିଛନ୍ତି। ୧୧ ହଜାର ୪୮୪ ଜଣ ଭୋଟର ଅଛନ୍ତି ଯେଉଁମାନଙ୍କର କୌଣସି ଠିକଣା ନାହିଁ। ମୋଟ ୬.୬୨ ପ୍ରଶିତ ଭୋଟର ଯେଉଁମାନେ ସେମାନଙ୍କ ଠିକଣାରେ ମିଳୁ ନାହାନ୍ତି। 

୨୪ ଜୁନ୍‌ ୨୦୨୫ ସୁଦ୍ଧା , ମୋଟ ୭,୮୯,୬୯,୮୪୪ ଭୋଟରଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଭୋଟର ଗଣତି ପତ୍ର ପାଇ ସାରିଛନ୍ତି। ସେମାନଙ୍କ ସଂଖ୍ୟା ୭,୧୬,୦୪୧୦୨ ,ଯେତେବେଳେ ୯୦.୩୭ ପ୍ରତିଶତ ଅର୍ଥାତ୍‌ ୭,୧୩,୬୫,୪୬୦ ସଂଶୋଧନ ଫର୍ମ ଅନଲାଇନରେ ଦାଖଲ କରାଯାଇଛି। କେବଳ ୨.୭୦ ପ୍ରତିଶତ ଲୋକଙ୍କ ଫର୍ମ ଦାଖଲ ହୋଇନାହିଁ। ମୋଟ ୯୭.୩୦ ପ୍ରତିଶତ ଭୋଟ ଏସଆଇଆରରେ କଭର ହୋଇଛି। 

ବିହାରରେ ଚାଲିଥିବା SIRରେ ସବୁ ଯୋଗ୍ୟ ଭୋଟରଙ୍କୁ ୧ ଅଗଷ୍ଟ ୨୦୨୫ରେ ପ୍ରକାଶିତ ହେବାକୁ ଥିବା ଡ୍ରାଫ୍ଟ ଭୋଟର ତାଲିକା ଅନ୍ତର୍ଭୁକ୍ତ କରିବାକୁ ଜୋରଦାର ପ୍ରୟାସ କରାଯାଉଛି। ବିହାରର ସବୁ ୧୨ଟି ପ୍ରମୁଖ ରାଜନୈତିକ ଦଳର ଜିଲ୍ଲା ସଭାପତିଙ୍କ ଦ୍ୱାରା ନିଯୁକ୍ତ ପ୍ରାୟ ୧ ଲକ୍ଷ ବିଏଲଓ , ୪ ଲକ୍ଷ ସ୍ୱେଚ୍ଛାସେବକ ଓ ୧.୫ ଲକ୍ଷ ବିଏଲଏ ସହ ସମଗ୍ର ପୂରା ନିର୍ବାଚନ ଯନ୍ତ୍ରପାତି ମିଳିତ ଭାବେ ସେହି ଭୋଟରଙ୍କୁ ଖୋଜିବା ପାଇଁ କାର୍ଯ୍ୟ କରୁଛି , ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ଗଣନା ଫର୍ମ (ଇଏଫ) ଦାଖଲ କରି ନାହାନ୍ତି କିମ୍ୱା ସେମାନଙ୍କ ଠିକଣାରେ ମିଳୁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.