ଅର୍ଦ୍ଧସାମରିକ ବାହିନୀରେ ୧ ଲକ୍ଷରୁ ଅଧିକ ପଦବୀ ଖାଲି, CRPFରେ ସବୁଠୁ ଅଧିକ: ଗୃହ ରାଷ୍ଟ୍ର ମନ୍ତ୍ରୀ

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ: ଦେଶର ୬ ଅର୍ଦ୍ଧସାମରିକ ବାହିନୀରେ ଅନୁମୋଦିତ ସଂଖ୍ୟାବଳଠାରୁ ୧,୦୯,୮୬୮ ଜଣ କର୍ମଚାରୀ କମ ଅଛନ୍ତି । ସଂସଦରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ ଓ'ବ୍ରାୟନଙ୍କ ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉତ୍ତରରେ କହିଛନ୍ତି, ୨୦୨୧ ପରଠୁ ଏହି ସଂଖ୍ୟା ସବୁଠୁ କମ । ତେବେ ଏହା କୌଣସି ବଡ଼ ଭ୍ୟାକେନ୍ସି ନୁହେଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ବିଭିନ୍ନ ପଦରେ ୭୨,୬୮୯ ଭ୍ୟାକେନ୍ସି ଲାଗି ନିଯୁକ୍ତି ପ୍ରକ୍ରିୟା ଚାଲିଛି ।

ରାଜ୍ୟସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ଯେ ଅର୍ଦ୍ଧସାମରିକ ବାହିନୀରେ ଯାବନଙ୍କ ନିରନ୍ତର ଅଭାବ ରହିଛି । ଗତ ବର୍ଷ ଏହି ସଂଖ୍ୟା ୬୪,୮୯୭ ଥିଲା, ୨୦୨୩ରେ ୮୪,୩୭୪ ପଦବୀ ଖାଲି ଥିଲା । ୨୦୨୨ ଏବଂ ୨୦୨୧ରେ କମ ଥିବା ଯବାନଙ୍କ ସଂଖ୍ୟା ଯଥାକ୍ରମେ ୬୮,୬୭୪ ଏବଂ ୧,୦୯,୧୭୪ ଥିଲା । ସରକାର ଖାଲି ପଦ ପୂରଣ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି । 

ସିଆରପିଏଫରେ ସର୍ବାଧିକ ୩୪,୮୬୯ ପଦବୀ ଖାଲି ପଡ଼ିଛି । ଏହା ପରେ ସିଆଇଏସଏଫରେ ୩୩,୮୪୭ ପଦବୀ ଖାଲି ପଡ଼ିଛି ଏବଂ ଆଇଟିବିପିରେ ୧୫,୦୩୫ ପଦବୀ ଖାଲି ପଡ଼ିଛି । ସିଆରପିଏଫ୍ ହେଉଛି ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ । ଏଥିପାଇଁ ୩,୩୦,୮୯୩ କର୍ମଚାରୀଙ୍କ ମଞ୍ଜୁରି ରହିଛି । ବିଏସଏଫ୍ ପାଇଁ ୨,୭୨,୪୪୭ ଏବଂ ସିଆଇଏସ୍‌ଏଫ୍ ପାଇଁ ୧,୯୩,୯୭୦ ଯବାନଙ୍କ ନିଯୁକ୍ତି ନେଇ ସ୍ୱୀକୃତି ରହିଛି । ଆଇଟିବିପି ପାଇଁ ୧,୦୩,୬୨୨ ପଦବୀ ସ୍ୱୀକୃତି ରହିଛି । ସେହିପରି ଏସ୍‌ଏସ୍‌ବି ଲାଗି ୧,୦୦,୫୪୮ ପଦବୀ ସ୍ୱୀକୃତ ରହିଛି । ଆସାମ ରାଇଫଲ୍ସ ପାଇଁ ୬୫,୫୪୦ ପଦବୀ ଅନୁମୋଦିତ ରହିଛି । ଅର୍ଦ୍ଧସାମରିକ ବାହିନୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ଆଇନ ଶୃଙ୍ଖଳା ବଜାୟ ରଖିବା, ସୀମା ସୁରକ୍ଷା କରିବା ଏବଂ ଅମରନାଥ ଯାତ୍ରା ଭଳି ସ୍ୱତନ୍ତ୍ର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.