ପୁରୀ: ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଥିବା ବେଳେ ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିରର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଡିପୋ ଖୋଲାଯିବା ନେଇ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ମୁଖ୍ୟ ପ୍ରଶାସକ ପତ୍ର ଲେଖିଥିବା ବେଳେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି।
ଏନେଇ ସମ୍ପୃକ୍ତ ନିଯୋଗ ଗୁଡ଼ିକ ସହ ମଧ୍ୟ ଆଲୋଚନା ହେବା ସହ ସହମତି ପ୍ରକାଶ ପାଇଛି। ତେଣୁ ଶ୍ରୀମନ୍ଦିରରେ ଓମଫେଡ ଘିଅର ଆବଶ୍ୟକତାକୁ ନଜରରେ ରଖି ଯଥେଷ୍ଟ ଘିଅ ମହଜୁଦ୍ ରଖିବାକୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଓମଫେଡ଼କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୁରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ବାରୋପ କରିଛନ୍ତି। ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଜଣାଇ ଦିଆଯାଇଛି। ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ। ଏଣିକି ଅନ୍ୟ ଛାପ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି।