ରାଉରକେଲା: କୋହଭରା କଣ୍ଠ, ଆଖି ଛଳ ଛଳ। କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା। ମୁଁ କିଛି କରିପାରିଲିନି। ସତରେ ସ୍ୱାମୀର ଏକଥା ଭାବ ବିହ୍ୱଳ କରିଦେବା ଭଳି। କିଛି ମୁହୂର୍ତ୍ତ ପାଇଁ ହୁଏତ ସ୍ୱାମୀଙ୍କ ପାଇଁ ଦରଦ ଆସିପାରେ। କିନ୍ତୁ ସତକଥା ଶୁଣିଲେ ପାଦ ତଳୁ ମାଟି ଖସିଯିବ। କାହିଁକିନା ସ୍ୱାମୀର ଏ ଲୁହ ପଛରେ ଲୁଚି ରହିଛି ଛଳନା। ସେ ସ୍ୱାମୀ ନୁହେଁ ସୁନ୍ଦର ଖଳନାୟକ।
ଗତ ଫେବୃଆରୀ ମାସରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଚଂଳର ପିତାମ୍ବର ବେହେରାଙ୍କ ଝିଅ ବିବାହ କରିଥିଲେ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲ୍ଲୀ ଥାନା ଝିର୍ଡ଼ାପାଲ୍ଲୀ ଗାଁର ଦେବେନ ବେହେରାଙ୍କୁ। ଦେବେନ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଳକରେ ଗ୍ରାମସେବକ ଭାବରେ କରୁଛନ୍ତି ଚାକିରି। ହେଲେ ଗତ ୧୧ ତାରିଖ ବିଳମ୍ବିତ ରାତି ପାଖାପାଖି ୧୨.୩୦ରେ ଗୁଳି କରି କରାଗଲା ହତ୍ୟା ଆଉ ଆଖ୍ୟା ଦିଆଯାଇଥିଲା ଲୁଟ୍ କରିବାକୁ ଆସି, ଦୁର୍ବୁତ ଗୁଳି କରି ଚାଲିଗଲେ। ମୃତ୍ୟୁ ବେଳକୁ ସୌମ୍ୟା ଥିଲେ ୭ ମାସର ଗର୍ଭବତୀ ।
ହତ୍ୟାକାଣ୍ଡପରେ ପଶ୍ଚିମାଚଂଳ ପୋଲିସ ଡ଼ିଆଇଜି ବ୍ରିଜେଶ ରାଏ ରାଉରକେଲା ଏସ୍ପି ନିତେଶ ଧୱାନୀ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଆରମ୍ଭ କରିଥିଲେ ତନାଘନା। ଆଉ ସବୁ ନାଟକର ପଡ଼ିଥିଲା ଯବନିକା। ହତ୍ୟାରେ ବ୍ୟବହାର ହୋଇଥିବା ପିସ୍ତଲ ମିଳିଥିଲା ଘରର ଭାତ ହାଣ୍ଡିରୁ । ଆଉ ପୋଲିସ ପ୍ରଶ୍ନରେ ସ୍ବାମୀ ଓଗାଳିଥିଲେ ହତ୍ୟା କାଣ୍ଡର ଗୁମର। ସ୍ୱାମୀଙ୍କ ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ବତ୍ୟା କରିଥିଲେ। ଏହା ସହ ତାଙ୍କ ସହଯୋଗ କରିଥିଲେ ଭିଣୋଇ ସତ୍ୟନାରାୟଣ ବେହେରା।
ତେବେ ସତ୍ୟନାରାୟଣ ବେହେରା ଆଇ.ଆର.ବି ସୁରକ୍ଷାକର୍ମୀ। ଘଟଣାରେ ସ୍ୱାମୀ ଓ ନଣଦେଇଙ୍କୁ ଗିରଫ କରିଛି ପୋଲିସ୍। ଏଠି ସ୍ବାମୀ ପାଲଟିଛି ସୈତାନ। ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି।। ସତରେ ଜଣେ ସ୍ୱାମୀ ଏତେ ନିର୍ଦ୍ଦୟ କେମିତି ବା ହୋଇପାରେ।