ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନି ଏବେ ଇସ୍ରାଏଲ୍ ଟାର୍ଗେଟରେ ଅଛନ୍ତି । ଆମେରିକା ଟାର୍ଗେଟରେ ବି ସେ ଅଛନ୍ତି । ଇସ୍ରାଏଲ୍ କହିସାରିଛି ଯେ ଯଦି ଆୟାତୋଲ୍ଲା ଖାମେନିଙ୍କ ମୃତ୍ୟୁ ହୁଏ, ତେବେ ସବୁ ବିବାଦ ଶେଷ ହୋଇଯିବ । ଖାମେନିଙ୍କୁ ମାରିବା ପାଇଁ ଇସ୍ରାଏଲ୍ ଓ ଆମେରିକା ମିଳିତ ଭାବେ କାମ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଇସ୍ରାଏଲର ଚେତାବନୀ ପରେ ଖାମେନି ତେହରାନର ଏକ ଗୁପ୍ତ ବଙ୍କରରେ ଲୁଚି ରହିଛନ୍ତି ।
ହତ୍ୟା ଆଶଂକା ଭିତରେ ବଞ୍ଚୁଥିବା ଖାମେନିଙ୍କ ପାଇଁ ଏଭଳି ବିପଦ କୌଣସି ନୂଆ କଥା ନୁହେଁ । ଇସ୍ଲାମିକ୍ କ୍ରାନ୍ତିର ଦୁଇ ବର୍ଷ ପରେ, ୧୯୮୧ରେ ଆୟାତୋଲ୍ଲା ଖାମେନିଙ୍କ ଉପରେ ଆକ୍ରମଣ ହୋଇଥିଲା । ଖାମେନି ଏକ ନ୍ୟୁଜ୍ କନ୍ଫରେନ୍ସକୁ ସମ୍ୱୋଧିତ କରୁଥିବା ବେଳେ ତାଙ୍କ ପାଖରେ ଥିବା ଏକ ଟେପ୍ ରେକର୍ଡର ବ୍ଲାଷ୍ଟ ହୋଇଥିଲା । ଏହି ବିସ୍ଫୋରଣରେ ଖାମେନିଙ୍କ ଡାହାଣ ହାତ ପାରାଲାଇଜ୍ ହୋଇଥିଲା ଓ ଗୋଟିଏ କାନର ଶୁଣିବା କ୍ଷମତା କମି ଯାଇଥିଲା । ଶାରୀରିକ ଅକ୍ଷମତା ସତ୍ତ୍ୱେ ଖାମେନି ଇରାନର କ୍ଷମତାକୁ ମଜଭୁତି ସହ ସମ୍ଭାଳିଛନ୍ତି । ଇରାନରେ ସାମ୍ପ୍ରଦାୟିକ ଶାସନ ପ୍ରତିଷ୍ଠା କରିବାରେ ଆୟାତୋଲ୍ଲା ଖାମେନି ଓ ତାଙ୍କ ଗୁରୁ ରୋହେଲ୍ଲା ଖୁମେନିଙ୍କ ବଡ଼ ଯୋଗଦାନ ଥିବା କୁହାଯାଉଛି ।
ଆୟତୋଲ୍ଲା ଖାମେନିଙ୍କ ଜନ୍ମ ୧୯୩୯ରେ ଇରାନର ନଜଫରେ ହୋଇଥିଲା । ତାଙ୍କ ବାପା ଜାଭେଦ ଖାମେନି ଜଣେ ମୌଲବୀ ଥିଲେ । ଜାବେଦଙ୍କ ମୋଟ ୮ ପିଲାଙ୍କ ମଧ୍ୟରୁ ଦ୍ୱିତୀୟ ସନ୍ତାନ ହେଉଛନ୍ତି ଆୟାତୋଲ୍ଲା ଖାମେନି । କମ ବୟସରୁ ସେ ମୌଲବୀ ହୋଇଥିଲେ । ତାଙ୍କର ଅନ୍ୟ ଦୁଇ ପୁଅ ମଧ୍ୟ ମୌଲବୀ ଅଛନ୍ତି । ତାଙ୍କ ସାନ ଭାଇ ହାଦି ଖାମେନି ଏକ ଖବରକାଗଜର ସମ୍ପାଦକ ଅଛନ୍ତି । ଆୟାତୋଲ୍ଲା ଅଲୀ ଖାମେନିଙ୍କ ବାପା ମୂଳତଃ ଆଜରବାଇଜାନରୁ ଥିଲେ ଓ ଇଷ୍ଟ ଆଜରବାଇଜାନ ପ୍ରାନ୍ତର ଖାମାନେହରେ ବସବାସ କରୁଥିଲେ । ଏହି କାରଣରୁ ସେ ନିଜ ସାଙ୍ଗିଆକୁ ଖାମେନି ରଖିଥିଲେ ।
୧୯୭୯ର ଇରାନ ଇସ୍ଲାମିକ୍ କ୍ରାନ୍ତିରେ ଆୟାତୋଲ୍ଲା ଖାମେନି ରୁହଲ୍ଲା ଖୁମେନିଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିଲେ । ଶାହ ମହମ୍ମଦ ରାଜ ପହଲବୀଙ୍କ ଗାଦିଚ୍ୟୁତ ପରେ ଖୁମେନିଙ୍କ ଶାସନ ଆରମ୍ଭ ହୋଇଥିଲା । ସେତେ ବେଳକୁ ଖୁମେନିଙ୍କ ଅତି ଘନିଷ୍ଠ ଓ ବିଶ୍ୱସ୍ତ ହୋଇସାରିଥିଲେ ଖାମେନି । ୧୯୮୧ରେ ରାଷ୍ଟ୍ରପତି ଦାୟିତ୍ୱ ନେବା ବେଳେ ରୁହଲ୍ଲା ଖୁମେନି ଇରାନର ସର୍ବୋଚ୍ଚ ନେତା ଥିଲେ । ୧୯୮୯ରେ ଖୁମେନିଙ୍କ ନିଧନ ପରେ ଆୟାତୋଲ୍ଲା ଖାମେନି ତାଙ୍କ ସ୍ଥାନ ନେଇଥିଲେ । ୧୯୮୯ରେ ଆୟାତୋଲ୍ଲା ଖାମେନି ଶୀର୍ଷ ପଦ ସମ୍ଭାଳିବା ପରେ ସମ୍ୱିଧାନକୁ ସଂଶୋଧନ କରିଥିଲେ । ରାଷ୍ଟ୍ରପତିଙ୍କ ପାଖରେ ଥିବା ସବୁ ଜରୁରି ଶକ୍ତିକୁ ଶୀର୍ଷ ନେତାଙ୍କୁ ଟ୍ରାନ୍ସଫର କରିଥିଲେ । ଏହିପରି ସେ ଇରାନର ସର୍ବଶକ୍ତିମାନ ହୋଇଥିଲେ । ସେନାର ବି ସୁପ୍ରିମ କମାଣ୍ଡର ହୋଇଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୯୮୧ରେ କ୍ଷମତା ସମ୍ଭାଳିବା ପରୁଠୁ ଆଜି ସୁଦ୍ଧା ଆୟାତୋଲ୍ଲା ଅଲି ଖାମେନି କୌଣସି ବିଦେଶ ଗସ୍ତ କରିନାହାନ୍ତି, ଅର୍ଥାତ୍ ସେ ଇରାନରୁ ବାହାରକୁ ବାହାରି ନହାନ୍ତି ।