ବାରଣାସୀ ୧୫/୦୮: ସାରା ଦେଶରେ SIR ତାତି । ପଲ୍ଲୀରୁ ଦିଲ୍ଲୀ ହୁଲସ୍ତୁଲ । ସଡ଼କରୁ ସଂସଦ ସବୁଠି ହଙ୍ଗାମା । ରାଜରାସ୍ତାରେ ତେଜୁଛି ପ୍ରତିବାଦ । ଶାସକ-ବିରୋଧୀ ମୁହାଁମୁହିଁ । ଏହାରି ଭିତରେ ଭାଇରାଲ ବାରଣାସୀ ଭେଲୁପୁର କାଶ୍ମୀରଗଞ୍ଜର ଘଟଣା । ବାପା ଗୋଟିଏ ପୁଅ ୫୦ । ବଡ଼ ପୁଅର ବୟସ ୭୨, ସାନ ପୁଅର ବୟସ ୨୮ ।
ଏଠାରେ ପ୍ରଶ୍ନ ଏମିତି କେମିତି ସମ୍ଭବ । ଅନିୟମିତତା ନା ଖାମଖିଆଲି । ଭୋଟର ଲିଷ୍ଟ ତାଲିକାକୁ ସେୟାର କରିଛି କଂଗ୍ରେସ । ବିଜେପି ଉପରେ ଘୋଟାଲା ନେଇ ଆକ୍ଷେପ କରିଛି । ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ । ମୁହଁ ଖୋଲିଛି ଅଖିଳ ଭାରତୀୟ ସନ୍ଥ ସମିତି । କଂଗ୍ରେସ ଉପରେ ସନାତନ ପରମ୍ପରାକୁ ବଦନାମ କରୁଥିବା ଅଭିଯୋଗ କରିଛି।
ଖୁଲାସା ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ଜଣାପଡିଥିଲା ସାଧାରଣ ଘର ନୁହେଁ, ବରଂ 'ରାମ ଜାନକୀ ମଠର ଘଟଣା । ଆଚାର୍ଯ୍ୟ ରାମ କମଲ ଦାସ ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ମଠ । ଯେଉଁଠି ପରମ୍ପରା ଥାଏ ଗୁରୁ-ଶିଷ୍ୟର । ସାଂସାରିକ ଜୀବନ ତ୍ୟାଗ କରୁଥିବା ଶିଷ୍ୟ ଗୁରୁଙ୍କୁ ମାନିଥାନ୍ତି ସେମାନଙ୍କ ପିତା । ମଠ ପରିଚାଳକ ରାମଭାରତ ଶାସ୍ତ୍ରୀ ଭୋଟର ତାଲିକାର ସଠିକତାକୁ ନିଶ୍ଚିତ କରିଥିଲେ । କହିଥିଲେ ଯେ ଆମ ଆଶ୍ରମରେ ଯିଏ ସଂସାର ତ୍ୟାଗ କରେ, ପୁରୁଣା ସମ୍ପର୍କରୁ ହୋଇଥାଏ ମୁକ୍ତ ।
ଦଲିଲରେ ପିତାଙ୍କ ନାମ ବଦଳରେ ଥାଏ ଗୁରୁଙ୍କ ନାମ । ଏହା ଏକ ସମ୍ପୂର୍ଣ୍ଣ ଆଇନଗତ ଓ ପାରମ୍ପରିକ ପ୍ରକ୍ରିୟା। କହିଥିଲେ ଯେଉଁମାନେ ଏଠାକୁ ଆସି ବିଚ୍ଛିନ୍ନ ଜୀବନ ଗ୍ରହଣ କରନ୍ତି । ଗୁରୁ ସେମାନଙ୍କୁ ନିଜର ନାମ ଦେଇ ଶିଷ୍ୟ ଭାବରେ ଗ୍ରହଣ କରନ୍ତି। ଏହି କାରଣରୁ ଭୋଟର ତାଲିକାରେ ଏତେ ନାମ ସମାନ ପିତା ଭାବରେ ଲିଖିତ ହୋଇଛି।
ସେପଟେ ଅଖିଳ ଭାରତୀୟ ସନ୍ଥ ସମିତି ବି ବାରାଣସୀ ମାମଲାରେ ହସ୍ତକ୍ଷେପ କରିଛି । ସମିତିର ଜାତୀୟ ସଂଗଠନ ସାଧାରଣ ସମ୍ପାଦକ କହିଛନ୍ତି ଯେ ଗୁରୁକୂଳର ଛାତ୍ର, ବ୍ରହ୍ମଚାରୀ ଓ ସନ୍ଥ ପରମ୍ପରାର ଅନୁଗାମୀଙ୍କ ଦଲିଲରେ ପିତାଙ୍କ ପରିବର୍ତ୍ତେ ଗୁରୁଙ୍କ ନାମ ରହିବା ଚିରନ୍ତନ ପରମ୍ପରା। କଂଗ୍ରେସ ନଜାଣି ଅଭିଯୋଗ ଆଣୁଛି, ଯାହାଦ୍ୱାରା ହିନ୍ଦୁ ଧାର୍ମିକ ନେତାମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଆମେ ସୁଚିନ୍ତିତ ପ୍ରୟାସ ବିରୋଧରେ ଦାୟର କରିବୁ ମାମଲା । ପ୍ରଥା କେବଳ କାଶୀରେ ନୁହେଁ, ବରଂ ସମଗ୍ର ଭାରତରେ ଶତାବ୍ଦୀ ଧରି ପ୍ରଚଳିତ। ଏହା କୌଣସି ସମସ୍ୟା ନୁହେଁ, ବରଂ ଧର୍ମ ଏବଂ ପରମ୍ପରାର ଏକ ଅଂଶ ବୋଲି ଦେଇଛନ୍ତି ସଫେଇ ।
ଭୋଟର ତାଲିକାର ସ୍ୱଚ୍ଛତା ଓ ନିର୍ବାଚନ ପ୍ରକ୍ରିୟା ଉପରେ ପୁଣି ଉଠିଛି ପ୍ରଶ୍ନ । ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଅଭିଯୋଗ ଓ ପ୍ରତି-ଆରୋପର ଏହି ମାମଲା ନିର୍ବାଚନ ପରିବେଶକୁ ଆହୁରି କରିଛି ଗରମ । କଂଗ୍ରେସ ଉଠାଯାଇଥିବା SIR ପ୍ରସଙ୍ଗ କେବଳ ସ୍ଥାନୀୟ ରାଜନୀତିକୁ ପ୍ରଭାବିତ କରିନାହିଁ । ବରଂ ସାରା ଦେଶରେ ନିର୍ବାଚନ ପ୍ରକ୍ରିୟା ବିଷୟରେ ବିତର୍କର ବିଷୟ ପାଲଟିଛି।