ଏକ ତରଫା ପ୍ରେମର କରୁଣ ପରିଣତି ; ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ , ଏମ୍ସ ସ୍ଥାନାନ୍ତର

Published By : Prameya-News7 Bureau | July 23, 2025 IST

ନବରଙ୍ଗପୁର :  ଏକ ତରଫା ପ୍ରେମ ର କରୁଣ ପରିଣତି। ଯୁବକଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହି ନ ପାରି, ନର୍ସିଂ ଛାତ୍ରୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜୀବନ ଓ ମୃତ୍ୟୁର ଦୋ ଛକିରେ ଯୁବତୀ।  ପୋଲିସ ସମ୍ମୁଖରେ ଝିଅଟି ଦେଇଥିବା ବୟାନ ଅନୁସାରେ ଏକ ତରଫା ପ୍ରେମର କରୁଣ ପରିଣତି ବୋଲି ଜଣା ପଡ଼ିଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ।  ସେହି ଗାଁର ଝିଅ ଜୟପୁର ଠାରେ ଏକ କଲେଜରେ ବିଏସସି ନର୍ସିଙ୍ଗ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲ ରହି ପାଠ ପଢୁଥିଲେ। ପୋଡ଼ଶୀ ଗ୍ରାମର ପୁଅ ସତ୍ୟଜିତ ସରକାର ପୀଡିତା ଛାତ୍ରୀକୁ ଏକ ତରଫା ପ୍ରେମ କରୁଥିଲେ। ଆଉ ଏଥିପାଇଁ ପୀଡିତାଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ ଛାତ୍ରୀ ଜଣକ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ଏକ ତରଫା ପ୍ରେମ କରୁଥିବା ସତ୍ୟଜିତ ବିଚ୍ ବଜାରରେ ଛାତ୍ରୀଙ୍କୁ ମାରପିଟ କରିଥିଲେ। ମାଡ଼ ଖାଇବା ଫଳରେ ଝିଅର ଆଖି ଓ ମୁହଁ ଫୁଲି ଯାଇଥିଲା।


କଥା ଜୟପୁର ଥାନାରେ ପହଞ୍ଚିବା ପରେ ପୋଲିସ ଉଭୟଙ୍କୁ ବୁଝାସୁଝା କରି ଛାଡ଼ି ଦେଇଥିଲେ। ୧୫ ଜୁଲାଇରେ ଜୟପୁର ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ ଏଫଆଇଆର ଦେଇଥିଲେ ଓ ନିଜ ଅଭିଭାବକଙ୍କ ସହ ଘରକୁ ଫେରି ଆସିଥିଲେ।  ଜୟପୁର ପୋଲିସ କିନ୍ତୁ ଘଟଣାକୁ ଅତି ହାଲକାରେ ନେଇଥିଲେ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଅନ୍ୟପଟେ ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ। ଏଥିରେ ପୀଡିତା ଲୋକାଲଜ୍ୟା ସହି ନ ପାରି ୧୭ଜୁଲାଇରେ ଘରେ ଥିବା ଘାସମରା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ପରିବାର ଲୋକେ   ତାଙ୍କୁ  ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ରାୟପୁର ନେଇଥିଲେ ।ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ହେବା ଯୋଗୁଁ ୨୧ ଜୁଲାଇରେ ଚିକିତ୍ସାଳୟ ପକ୍ଷରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। 

ଅପରପକ୍ଷରେ ପିଡିତାଙ୍କୁ ନେଇ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ପୀଡିତାଙ୍କୁ ପ୍ରଥମେ ଉମରକୋଟ ମେଡିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ  ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ICUରେ ଭର୍ତ୍ତି କରାଯାଇଥିଲା। ସ୍ୱସ୍ଥ୍ୟାବସ୍ଥା ବିଗିଡିବାରୁ ଏବେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। 

ଅନ୍ୟପଟେ ପୀଡ଼ିତାଙ୍କ ଉନ୍ନତ ଚିକିତ୍ସା ଓ ଦୋଷୀକୁ ତୁରନ୍ତ ଗିରଫ କରିବା ଦାବିରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ ଓ ପୂର୍ବତନ କଂଗ୍ରସ ସଭାପତି ମୁନା ତ୍ରିପାଠୀଙ୍କ ଆଇସିୟୁ ସାମନାରେ ଧାରଣା ଦେଇଥିଲେ । ସମାଜ ସେବୀ କାଦମ୍ବନୀ ତ୍ରିପାଠୀ ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ରାଇଘର ପୋଲିସ ପୀଡିତାଙ୍କ ଷ୍ଟେଟମଣ୍ଟ ନେଇଛନ୍ତି। ଅଭିଯୁକ୍ତକୁ ଖୁବଶୀଘ୍ର ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ  କରାଯାଇଥିବା କହିଛନ୍ତି ASP ଆଦିତ୍ୟ ସେନ। ତେବେ ସବୁରି ମୁହଁରେ ଗୋଟିଏ କଥା କେବେ ସରିବ ନାରୀ ନିର୍ଯ୍ୟାତନା, କେବେ ଥମିବ ଆତ୍ମହତ୍ୟା  ଏବଂ କେବେ ଦାଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.