କଟକ: ବିଭିନ୍ନ କାରଣରୁ ଛଟେଇ ହେବା ପରେ ଦୁର୍ଦ୍ଦଶା ଘେରର ହୋମଗାର୍ଡ। ସେମାନଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯାଉ ବୋଲି ଚାକିରି ହରାଇଥିବା ହୋମଗାର୍ଡମାନେ ଦାବି କରିଛନ୍ତି। ପୁନଃ ନିଯୁକ୍ତି ନେଇ ହୋମଗାର୍ଡ ଡିଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟର ଶତାଧିକ ଛଟେଇ ହୋମଗାର୍ଡ।
ବର୍ଷ ବର୍ଷ ଧରି ବିଭିନ୍ନ କାରଣରୁ ହୋମଗାର୍ଡ ଚାକିରିରୁ ଛଟେଇ ହେବା ପରେ ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ଦାବି କରି ୩୦୦ରୁ ଅଧିକ ଛଟେଇ କର୍ମଚାରୀ ମଙ୍ଗଳବାର ଅଗ୍ନିଶମ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି। କେତେକ କର୍ମଚାରୀ ପିତା ମାତାଙ୍କ ଦଶକର୍ମ ପାଇଁ ଯାଇଥିଲା ବେଳେ ଚାକିରିରୁ ଛଟେଇ ହୋଇଥିବା ବେଳେ ରିଭ୍ୟୁ ସିଷ୍ଟମରେ ମଧ୍ୟ ଅନେକ ହୋମଗାର୍ଡକୁ ଛଟେଇ କରାଯାଇଛି। ଏପରିକି ଅନେକ ମହିଳା କର୍ମଚାରୀ ମାତୃତ୍ୱ ଛୁଟି ନେବା କାରଣରୁ ତାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।ଏହା ସେମାନଙ୍କ ପରିବାରକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହା ପୂର୍ବରୁ ଏହି ଛଟେଇ ହୋମଗାର୍ଡ କର୍ମୀମାନେ ସେମାନଙ୍କ ଦୁର୍ଦ୍ଦଶା ବିଷୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଜଣାଇଥିଲେ। ଆଜି ହୋମଗାର୍ଡ ଡିଜିଙ୍କୁ ଭେଟି ଏହି ଅଭିଯୋଗ ଦର୍ଶାଇଛନ୍ତି। ଖୁବ୍ଶୀଘ୍ର ଏହି ଦିଗରେ ସମାଧାନର ବାଟ ବାହାରିବ ବୋଲି ସେମାନେ ଆଶା ରଖିଥିବା କହିଛନ୍ତି।