ଭୁବନେଶ୍ୱର ୧୩।୦୭ : ରେଢାଖୋଲ ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଘଟଣାକୁ ନେଇ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଖବର ଅନୁଯାୟୀ, ସମ୍ବଲପୁର ରେଢ଼ାଖୋଲ ଫରେଷ୍ଟ ଡିଭିଜନର ନାକଟିଦେଉଳ ଅଞ୍ଚଳର ସରପାଲି ଗାଁରେ ଏକ ବ୍ୟକ୍ତିଙ୍କ ହୁକ ପକା ଘଟଣା ଲାଗି ଗୋଟିଏ ୫ ବର୍ଷର ମାଇ ହାତୀର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ଏ ଘଟଣାରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବ ନାହିଁ ଓ କଠୋର ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ଘଟଣାର ତଦନ୍ତ ପାଇଁ ବନ ସଂରକ୍ଷଣ ମୁଖ୍ୟ ମନୋଜ ନାୟାରଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟି ଦେଉଳ ଅଭିମୁଖେ ଗସ୍ତ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଅଞ୍ଚଳର ଉଚ୍ଚପଦସ୍ଥ ବନ ବିଭାଗ ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି।