ନୂଆଦିଲ୍ଲୀ: ରେଲୱେରେ ଧାର୍ଯ୍ୟ ଓଜନଠାରୁ ଅଧିକ ସାମଗ୍ରୀ ନେବା ଉପରେ କ'ଣ ସତରେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ? ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ଏଭଳି ଖବରକୁ ଖଣ୍ଡନ କରିବା ସହ ଏହା ଭୁଲ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ଏକ ଖବର ଆସିଥିଲା, ଯେଉଁଥିରେ ରେଲୱେରେ ଅଧିକ ସାମଗ୍ରୀ ନେବା ଉପରେ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା ।
ଆଜ୍ତକ୍କୁ ପ୍ରତିକ୍ରିୟାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଟ୍ରେନରେ କେତେ ଓଜନର ସାମଗ୍ରୀ ନେଇପାରିବେ ସେ ନେଇ ଦଶନ୍ଧି ପୂର୍ବରୁ ନିୟମ ଅଛି । ଏବେ କୌଣସି ନୂଆ ନିୟମ ହୋଇନି । ରେଳ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କାଠୁ ଅଧିକ ସାମଗ୍ରୀ ପାଇଁ କୌଣସି ଅତିରିକ୍ତ ଟଙ୍କା ଆଦାୟ କରାଯିବ ନାହିଁ ।
ପ୍ରଥମ ରିପୋର୍ଟରେ ଦାବି କରାଯାଇଥିଲା ଯେ ଫାର୍ଷ୍ଟ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୭୦ କିଲୋ ଯାଏ ସାମଗ୍ରୀ ନେବା ପାଇଁ ଛାଡ଼ ଅଛି । ସେକେଣ୍ଡ କ୍ଲାସରେ ୫୦ କିଲୋ, ଥାର୍ଡ ଏସି ଓ ସ୍ଲିପର୍ କ୍ଲାସ୍ ପାଇଁ ୪୦ କିଲୋଗ୍ରାମ ଲିମିଟ୍ ଧାର୍ଯ୍ୟ କରାଯାଇଛି । ସେହିପରି ଜେନେରାଲ୍ ଅର୍ଥାତ୍ ସେକେଣ୍ଡ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କେବଳ ୩୫ କିଲୋ ନେବା ପାଇଁ ଅନୁମତି ଅଛି । ଯଦି ଯାତ୍ରୀ ଏହାଠାରୁ ଅଧିକ ସାମଗ୍ରୀ ଟ୍ରେନରେ ଧରି ଯାଆନ୍ତି, ତେବେ ତାଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ କେନ୍ଦ୍ର ରେଳ ମନ୍ତ୍ରୀ ଏବେ ଏହି ଖବରକୁ ଖଣ୍ଡନ କରିଛନ୍ତି ।