ନୂଆଦିଲ୍ଲୀ: ଘରୋଇ ହିଂସା ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏହା ସହ ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇ ବର୍ଷ ପୁରୁଣା ମାର୍ଗଦର୍ଶିକାକୁ ବଜାୟ ରଖି କହିଛନ୍ତି, ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮(ଏ) ଅଧିନରେ ରୁଜୁ ମାମଲାରେ ପୋଲିସ ଅଭିଯୁକ୍ତକୁ ଦୁଇ ମାସ ଯାଏଁ ଗିରଫ କରିବ ନାହିଁ । ସର୍ବୋଚ୍ଚ ଅଦାଲତ ଏହା ବି କହିଛନ୍ତି ଯେ ଯେତେବେଳେ କୌଣସି ମହିଳା ନିଜ ଶଶୁର ଘର ଲୋକଙ୍କ ବିରୋଧରେ ୪୯୮(ଏ) ଅଧିନରେ ଘରୋଇ ହିଂସା କିମ୍ୱା ଯୌତୁକ ନିର୍ଯାତନା ଅଭିଯୋଗ କରନ୍ତି, ତେବେ ପୋଲିସ ତାଙ୍କ ସ୍ୱାମୀ ଓ ସମ୍ପର୍କୀୟଙ୍କୁ ଦୁଇ ମାସ ଯାଏ ଗିରଫ କରିବ ନାହିଁ । କୋର୍ଟ ଏହି ଦୁଇ ମାସର ଅବଧିକୁ ଶାନ୍ତି ଅବଧି ବୋଲି କହିଛନ୍ତି ।
ଜଷ୍ଟିସ୍ ବିଆର ଗଭାଇ ଓ ଜଷ୍ଟିସ୍ ଅଗଷ୍ଟାଇନ ଜର୍ଜଙ୍କ ଖଣ୍ଡପୀଠ ମଙ୍ଗଳବାର ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ବେଳେ ଏହି ଆଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସେହି ମହିଳା ଅଧିକାରୀଙ୍କୁ ତାଙ୍କଠାରୁ ଅଲଗା ହୋଇଥିବା ସ୍ୱାମୀ ଓ ସମ୍ପର୍କୀୟଙ୍କ ଉତ୍ପୀଡ଼ନ ପାଇଁ ଖବରକାଗଜରେ କ୍ଷମା ପ୍ରାର୍ଥନା ପ୍ରକାଶିତ କରିବା ପାଇଁ ଆଦେଶ ଦେଇଛନ୍ତି ।
ଆହ୍ଲାବାଦ ହାଇକୋର୍ଟଙ୍କ ୨୦୨୨ରେ ଏକ ମାର୍ଗଦର୍ଶିକା ଅନୁଯାୟୀ, ଦୁଇ ମାସର ଶାନ୍ତି ଅବଧିରେ ପୋଲିସ ଅଧିକାରୀଙ୍କ ଦ୍ୱାରା ଗିରଫ ସମେତ ଅନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଉଛି । ହାଇକୋର୍ଟ ଆଦେଶରେ କହିଥିଲେ ଯେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮(ଏ) ଅଧିନରେ ରୁଜୁ ମାମଲାକୁ ପ୍ରଥମେ ଜିଲ୍ଲା ପରିବାର କଲ୍ୟାଣ ସମିତି ନିକଟକୁ ସମାଧାନ ପାଇଁ ପଠାଯିବା ଦରକାର । ଏହି ସମୟରେ ଅର୍ଥାତ୍ ପ୍ରଥମ ଦୁଇ ମାସରେ ପୋଲିସ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ।
ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ଏହି ମାର୍ଗଦର୍ଶିକା ୨୦୧୮ରେ ରାଜେଶ ଶର୍ମା ଏବଂ ଅନ୍ୟ ବନାମ ଉତ୍ତର ପ୍ରଦେଶ ରାଜ୍ୟ ଓ ଅନ୍ୟଙ୍କ ମାମଲାରେ ଦିଆଯାଇଥିବା ରାୟ ଉପରେ ଆଧାରିତ ଅଟେ । ତେବେ କୌତୁହଳର ବିଷୟ ଏହା ଯେ ୨୦୧୮ରେ ସୋସିଆଲ୍ ଆକ୍ସନ ଫର୍ ହ୍ୟୁମନ ରାଇଟ୍ ବନାମ ଭାରତ ସଂଘ ମାମଲାରେ ସୁପ୍ରିମକୋର୍ଟ କେବଳ ଏହାକୁ ସଂଶୋଧିତ କରିନଥିଲେ, ବରଂ ଏହାକୁ ରଦ୍ଦ ମଧ୍ୟ କରିଥିଲେ । ଏହି କାରଣରୁ ପରିବାର କଲ୍ୟା ସମିତି ନିଷ୍କ୍ରିୟ ହୋଇଯାଇଥିଲା । ତେବେ ବର୍ତ୍ତମାନ ରାୟ ପରେ ଆହ୍ଲାବାଦ ହାଇକୋର୍ଟଙ୍କ ପୁରୁଣା ମାର୍ଗଦର୍ଶିକା ଲାଗୁ ହୋଇଯିବ ।