ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିରୋଧୀ ଅଭିମୁଖ୍ୟକୁ ଆମେରିକାରେ ବିରୋଧ ଆରମ୍ଭ ହୋଇଛି । ରୁଷରୁ ତେଲ କିଣିବା ପ୍ରସଙ୍ଗରେ ଭାରତ ସହ ସମ୍ପର୍କ ଖରାପ କରୁଥିବା ନେଇ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ନିକ୍କି ହେଲି । ସାଉଥ୍ କ୍ୟାରୋଲିନାର ପୂର୍ବତନ ଗଭର୍ଣ୍ଣର ଓ ୟୁଏନରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି ଟ୍ରମ୍ପଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଚୀନ ଓ ଭାରତ ପାଇଁ ଟ୍ରମ୍ପ ପ୍ରଶାସନର ନୀତି କାହିଁକି ଅଲଗା ଅଲଗା । ଏହା ସହ ନିକ୍କି ହେଲି ଭାରତକୁ ଆମେରିକାର ଜଣେ ବିଶ୍ୱସ୍ତ ସହଯୋଗୀ ବୋଲି କହିଛନ୍ତି ।
ନିକ୍କି ହେଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି, 'ଏହା ଠିକ୍ ଯେ ଭାରତ ରୁଷଠାରୁ ତେଲ ନକିଣିବା ଦରକାର, କିନ୍ତୁ ଚୀନକୁ ରିହାତି କାହିଁକି ଦିଆଯାଉଛି । ଚୀନକୁ ୯୦ ଦିନ ପାଇଁ ଟାରିଫ୍ ଛାଡ କାହିଁକି ଦିଆଯାଇଛି । ଚୀନ କେବଳ ଆମର ବିରୋଧୀ ଦଳ ନୁହେଁ ବରଂ ରୁଷ ଓ ଇରାନୀ ତେଲର ସବୁଠୁ ବଡ଼ କ୍ରେତା ଅଟେ । ମୁଁ ଡୋନାଲ୍ଡ ଟ୍ରମ୍ପଙ୍କୁ କହିବାକୁ ଚାହୁଁଛି ଯେ ଚୀନକୁ ଏହି ଛାଡ ନଦିଆଯାଉ ଏବଂ ଭାରତ ପରି ମଜଭୁତ ସହଯୋଗୀ ସହ ଆମେରିକାର ସମ୍ପର୍କ ଖରାପ ନକରନ୍ତୁ ।'
ଟ୍ରମ୍ପ ସୋମବାର ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଲେଖିଥିଲେ, 'ଭାରତ, ରୁଷଠାରୁ ବିପୁଳ ମାତ୍ରାରେ କେବଳ ତେଲ କିଣୁନାହିଁ ବରଂ ସେହି ତେଲର ଏକ ବଡ଼ ଅଂଶକୁ ଖୋଲା ବଜାରରେ ଉଚ୍ଚ ମୂଲ୍ୟରେ ବିକ୍ରି କରି ଅଧିକ ଲାଭ ପାଉଛି । ରୁଷର ଆକ୍ରମଣ ଯୋଗୁ ୟୁକ୍ରେନରେ କେତେ ଲୋକଙ୍କ ଜୀବନ ଯାଉଛି, ସେହି କଥାରେ ଭାରତକୁ କୌଣସି ଫରକ ପଡ଼ୁ ନାହିଁ । ଏହି କାରଣରୁ ଭାରତରୁ ଆମେରିକାକୁ ଦିଆଯାଉଥିବା ଶୁଳ୍କକୁ ବଢାଇବାକୁ ଯାଉଛି ।'
ଏହାର ଜବାବରେ ବୈଦେଶିକ ମନ୍ତ୍ରଣାଳୟ ଜୋର ଦେଇ କହିଥିଲା ଯେ ଭାରତକୁ ଟାର୍ଗେଟ କରିବା ଅବୈଧ ଏବଂ ଯୁକ୍ତିହୀନ । ଏକ ପ୍ରମୁଖ ଅର୍ଥନୀତି ଭାବରେ ଭାରତ ସର୍ବଦା ଏହାର ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । ସେହିପରି ଭାରତକୁ ଆମେରିକାର ଧମକ ଉପରେ ରୁଷ ବି କଡ଼ା ପ୍ରତିକ୍ରିୟା ଦେଇଥିଲା । କ୍ରେମଲିନ ମୁଖପାତ୍ର କହିଥିଲେ, ସବୁ ଦେଶ ନିଜ ନିଜର ବାଣିଜ୍ୟିକ ନିଷ୍ପତ୍ତି ନେବା ପାଇଁ ସ୍ୱତନ୍ତ୍ର । କାହା ଉପରେ କୌଣସି ପ୍ରକାର ଚାପ ପକାଯିବା ଧମକ ରୂପେ ବିବେଚନା କରାଯିବ । ଆମେ ଏପରି ଅନେକ ବୟାନ ଶୁଣିଛୁ, ଯାହା ବାସ୍ତବରେ ଧମକ ଅଟେ । ଏହି ଧମକରେ ଦେଶଗୁଡ଼ିକୁ ରୁଷ ସହ ବାଣିଜ୍ୟିକ ସମ୍ପର୍କ ଶେଷ କରିବା ପାଇଁ ବାଧ୍ୟ କରାଯାଉଛି । ଏଭଳି ବୟାନ ଠିକ୍ ନୁହେଁ ।