ଶିମଲା: ସ୍କୁଲ୍ରେ ଖବରକାଗଜ ପଢ଼ିବା ବାଧ୍ୟତାମୂଳକ କଲେ ହିମାଚଳ ପ୍ରଦେଶ ସରକାର। ରାଜ୍ୟର ସମସ୍ତ ସ୍କୁଲ୍ରେ ସକାଳ ସମୟରେ ଖବରକାଗଜ ପଢ଼ାଯିବ ବୋଲି ମଙ୍ଗଳବାର ହିମାଚଳ ପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍କୁଲ ପିଲାମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଓ କମ୍ୟୁନିକେସନ ସ୍କିଲ୍ ବଢ଼ାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାର କହିଛନ୍ତି। ଏସବୁ ନିଷ୍ପତ୍ତି ସରକାରୀ ସ୍କୁଲ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ନିଆଯାଇଛି।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିକଟରେ କୁଲୁ ଜିଲ୍ଲାର ବାଗା ସାରାହାନସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ସେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଦେଶର ସମ୍ପର୍ତି ଘଟଣା(କରେଣ୍ଟ ଆଫେୟାର୍ସ) ବିଷୟଗୁଡ଼ିକରେ ଆଲୋଚନା କରିଥିଲେ। ହେଲେ ପିଲାମାନେ ଏସବୁ ବିଷୟରେ କିଛି ଜାଣି ନଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରି ନଥିବାରୁ ସେ ଖୁବ୍ ନିରାଶ ହୋଇଥିଲେ।
ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଶିକ୍ଷା ବିଭାଗ ପ୍ରବକ୍ତା କହିଛନ୍ତି। ଛାତ୍ରଛାତ୍ରୀଙ୍କ ସାମ୍ପ୍ରତିକ ଘଟଣା ସମ୍ପର୍କରେ ସୀମିତ ସଚେତନତା ଉପରେ ଚିନ୍ତା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଶୈକ୍ଷିକ ଶିକ୍ଷା ସହିତ ବ୍ୟବହାରିକ ଜ୍ଞାନକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ବର୍ତ୍ତିମାନ ବିଶ୍ୱର ପରିବର୍ତ୍ତନଶୀଳ ଆହ୍ୱାନର ମୁକାବିଲା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଏହିପରି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ, ବିଭାଗ ସମସ୍ତ ଉପନିର୍ଦ୍ଦେଶକ ଏବଂ ସ୍କୁଲ ମୁଖ୍ୟମାନଙ୍କୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି। ତେଣୁ ସ୍କୁଲ୍ରେ ଇଂରାଜୀ ଏବଂ ହିନ୍ଦୀ ଉଭୟ ଖବରକାଗଜର ନିୟମିତ ଉପଲବ୍ଧ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଛାତ୍ରଛାତ୍ରୀମାନଙ୍କ ପଠନ ବୋଧଗମ୍ୟତା, ଶବ୍ଦାବଳୀ, ଉଚ୍ଚାରଣ ଏବଂ ସାଧାରଣ ଭାଷଣ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ବିଭିନ୍ନ ସଭାଗୁଡ଼ିକରେ ବକ୍ତୃତା ଦେବା ପାଇଁ ପିଲାମାନଙ୍କ ଭିତରେ ଆତ୍ମବିଶ୍ୱାସର ସହ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ସମାଲୋଚନାମୂଳକ ଚିନ୍ତାଧାରା ପ୍ରୋତ୍ସାହିତ କରିବା ହେଉଛି ଏହାର ମୂଳ ଲକ୍ଷ ବୋଲି ପ୍ରବକ୍ତା କହିଛନ୍ତି।
ତେବେ ସ୍କୁଲ୍ରେ କେଉଁସବୁ ଖବର ପଢ଼ାଯିବ ସେ ନେଇ ମଧ୍ୟ ଗାଇଡ୍ଲାଇନ ଜାରି କରାଯାଇଛି। ଏଥିପାଇଁ ଜଣେ ନିଯୁକ୍ତ ଶିକ୍ଷକଙ୍କ ମାର୍ଗଦର୍ଶନ କିମ୍ବା ସହାୟତାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖବର ଚୟନ ଏବଂ ବୟସ ଅନୁକୂଳ ଏବଂ ପ୍ରାସଙ୍ଗିକ ଆନ୍ତର୍ଜାତୀୟ, ଜାତୀୟ, ରାଜ୍ୟ ଏବଂ କ୍ରୀଡା ଖବର ଚୟନ କରାଯିବ। ଯେଉଁଥିରେ ସାଧାରଣ ଜ୍ଞାନ, ଶିକ୍ଷାଗତ ବିକାଶ, ପରିବେଶଗତ ସମସ୍ୟା, ବୈଜ୍ଞାନିକ ଉନ୍ନତି ଏବଂ ଗୁରୁତ୍ୱପୂର୍ଣ୍ଣ ଜାତୀୟ କିମ୍ବା ଅନ୍ତର୍ଜାତୀୟ କିମ୍ବା ରାଜ୍ୟ ଘଟଣାଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବ। ଚାଞ୍ଚଲ୍ୟକର କିମ୍ବା ଅନୁପଯୁକ୍ତ ବିଷୟବସ୍ତୁକୁ କଡ଼ାକଡ଼ି ଏଡ଼ାଇ ଦିଆଯିବା ଉଚିତ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।
ନ୍ୟୁଜ ପଢ଼ିଲା ବେଳେ ପିଲାମାନେ ଠିକ୍ ଭାବରେ ପଢ଼ୁଛନ୍ତି କି ନାହିଁ କୌଣସି ଖବର ବୁଝିପାରୁଛନ୍ତି କି ନାହିଁ ଏସବୁ ତଦାରଖ କରିବା ସହିତ ଆବଶ୍ୟକ ସ୍ଥଳେ ଗୁରୁତ୍ୱପୂର୍ଣ୍ଣ ଖବରଗୁଡ଼ିକୁ ଶିକ୍ଷକ ପିଲାମାନଙ୍କୁ ବୁଝାଇବେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। ସ୍କୁଲ୍ରେ ୩-୫ ମିନିଟ ଖବରକାଗଜ ପଢ଼ିବା ସମୟ ରଖାଯିବ ବୋଲି ଏଥିରେ କୁହାଯାଇଛି।