ଉଦଳା ୨୭।୦୩ : ଉଦଳା ଅନ୍ୱେଷା ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ । ଛାତ୍ରୀଙ୍କ ବହିରୁ ପୋଲିସକୁ ମିଳିଛି ସୁଇସାଇଡ ନୋଟ୍। ଯାହାକୁ ନେଇ ଏବେ ବଢିଛି ଛାତ୍ରୀ ମୃତ୍ୟୁ ଘଟଣାରେ ଦ୍ୱନ୍ଦ୍ବ ।
ବୁଧବାର ଉଦଳା ଅନ୍ୱେଷା ହଷ୍ଟେଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବାରିପଦାରୁ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀଙ୍କ ବହିରୁ ଏକ ସୁଇସାଇଡ ନୋଟ ମିଳିଛି । ଯେଉଁଥିରେ ଛାତ୍ରୀ ଜଣକ ନିଜର ପ୍ରେମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ ପକ୍ଷ କିମ୍ବା ଅନ୍ୟ କାହାରି ହାତ ନାହିଁ ବୋଲି ନୋଟରେ ଲେଖାଯାଇଛି। ଏହାକୁ ନେଇ ପୋଲିସ୍ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଅନ୍ୟପଟେ ସୁଇସାଇଡ ନୋଟ ବାବଦରେ କିଛି ଜାଣିନଥିବା କହିଛନ୍ତି ତାଙ୍କ ପରିବାର ଲୋକ ।
ସେପଟେ ଉଦଳାରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅଭିଭାବକମାନେ ହଷ୍ଟେଲରେ ପହଁଚି ନିଜ ପିଲାଙ୍କୁ ଘରକୁ ନେଇ ଯାଇଛନ୍ତି । ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହିତ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ। ହଷ୍ଟେଲରେ ୧୭୦ ଛାତ୍ରୀ ରହୁଥିବା ବେଳେ ଅର୍ଦ୍ଧାଧିକ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି। ତେବେ ଏବେ ବି ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।