ନୂଆଦିଲ୍ଲୀ ୦୫।୦୭: ୨୫ ବର୍ଷୀୟ ଆଇଏଏସ୍ ଅଫିସର । ୩ଥର ବିଫଳତା ସତ୍ତ୍ୱେ ହାର ନ ମାନି ନଥିଲେ । ଚତୁର୍ଥ ପ୍ରୟାସରେ କ୍ରାକ୍ କଲେ UPSC ପରୀକ୍ଷା । ୫୬୯ ତମ ରାଙ୍କରେ ରହି ପୂରଣ କରିଛନ୍ତି ଆଇଏଏସ୍ ଅଫିସର ହେବାର ସ୍ୱପ୍ନ । ନେହା ବ୍ୟାଦୱାଲ । ବର୍ତ୍ତମାନ ଗୁଜରାଟରେ କାର୍ଯ୍ୟରତ । ସେ ନିଜ ଅଦମ୍ୟ ଇଚ୍ଛାଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଏହି ସଫଳତା ପାଇଛନ୍ତି ।
ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ନେହା । କିନ୍ତୁ ଛତିଶଗଡ଼ର ରାୟପୁରରେ ବଢ଼ିଥିଲେ । ତାଙ୍କ ପିତା ଜଣେ ବରିଷ୍ଠ ଆୟକର ଅଧିକାରୀ । ନେହା ପ୍ରଥମରେ ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍ । କିନ୍ତୁ ଏଥିରେ ସେ ନିରୁତ୍ସାହିତ ହୋଇନଥିଲେ । ଏହା ତାଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲା।
ଏହାପରେ ନେହା ତାଙ୍କ ପିତାଙ୍କ ସହ ଭୋପାଳକୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ସେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିଥିଲେ । ସେଠାରେ ହିନ୍ଦୀରେ କଥା ହେଲେ ଜୋରିମାନା ଲାଗୁ ହେଉଥିଲା । ଏମିତିକି ହିନ୍ଦୀରେ କଥା ହେବାରୁ ନେହାଙ୍କ ଉପରେ ଲାଗିଥିଲା ଜରିମାନା । ଏହାପରେ ନେହା ଇଂରାଜୀ ଶିଖିଥିଲେ । ନେହା UPSC ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ସେ ପ୍ରଥମ ଦୁଇଟି ପ୍ରୟାସରେ ପ୍ରିଲିମ୍ସରେ ହୋଇଥିଲେ ବିଫଳ ।
ତୃତୀୟ ପ୍ରୟାସରେ ମେନ୍ସ ପରୀକ୍ଷା ଦେଇଥିଲେ ନେହା । ସେଥରେ ମଧ୍ୟ ସଫଳତା ମିଳି ନଥିଲା । କିନ୍ତୁ ଏତେ ପରେ ବି ଧର୍ଯ୍ୟଶକ୍ତି ହରାଇନଥିଲେ । କିନ୍ତୁ କଠୋର ନିଷ୍ପତ୍ତି ନେଇଥିଲେ । ନେହା ସଫଳତା ପାଇଁ ଅନେକ କିଛି ତ୍ୟାଗ କରିଛନ୍ତି । ସେ ମୋବାଇଲଠୁ ପୂରା ଦୂରେଇ ଯାଇଥିଲେ । ତିନି ବର୍ଷ ଧରି ସେ ମୋବାଇଲ ବ୍ୟବହାର କରନଥିଲେ । ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଦିନକୁ ୧୭-୧୮ ଘଣ୍ଟା ପାଠ ପଢୁଥିଲେ ।
ନିଜ ତ୍ୟାଗ ଓ ଏକାଗ୍ରତା କାରଣରୁ ସେ ମାତ୍ର ୨୪ ବର୍ଷ ବୟସରେ UPSC କ୍ରାକ୍ କରିଥିଲେ । ଆଉ ହୋଇଥିଲେ ଆଇଏଏସ୍ ଅଫିସର ହେଲେ । ନେହାଙ୍କ ଭାଇ ଓ ମାଉସୀ ମଧ୍ୟ UPSC ଇଣ୍ଟରଭ୍ୟୁ ପାଇଁ ତାଙ୍କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ। ପରିବାରର ଏକଜୁଟ ସମର୍ଥନ ନେହାଙ୍କ ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ନେହା କହିଛନ୍ତି, ସଫଳତାର ପଛରେ ତାଙ୍କ ପରିବାରର ଅବଦାନ ଅତୁଳନୀୟ।
ସେ କହନ୍ତି, “ଛୁଟିକୁ ନ ଯିବା କିମ୍ବା କିଛି ନ କିଣିବା ତ୍ୟାଗ ନୁହେଁ । ପ୍ରକୃତ ତ୍ୟାଗ ହେଉଛି ପିତାମାତାଙ୍କର, ଯେଉଁମାନେ ଦୀର୍ଘ ଦିନ କାମ ପରେ ଘରକୁ ଫେରି ସନ୍ତାନ ପାଇଁ ସମୟ ଦିଅନ୍ତି । ମୋ ପିତା କାର୍ଯ୍ୟାଳୟରୁ ଫେରିବାର ୩୦ ମିନିଟ୍ ମଧ୍ୟରେ ମୋତେ ଗଣିତ ଓ ଇତିହାସ ପଢ଼ାଉଥିଲେ।” ତାଙ୍କର ଏହି ଯାତ୍ରା ପରୀକ୍ଷାର୍ଥୀଙ୍କ ପାଇଁ ଏକ ପ୍ରେରଣା ହେବ, ଯେଉଁମାନେ ବିଫଳତା ସତ୍ତ୍ୱେ ନିଜର ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି।