ପରିବାର, ପ୍ରେମ, ବାହାଘର: ଦେଶରେ ପାଖାପାଖି ୫୦% ଯୁବକ ଯୁବତୀଙ୍କ ଆତ୍ମହତ୍ୟାର କାରଣ ପାରିବାରିକ ସମସ୍ୟା

Published By : Prameya-News7 Bureau | June 25, 2025 IST

ନୂଆଦିଲ୍ଲୀପ୍ରଖ୍ୟାତ ଗ୍ରୀକ୍‍ ଦାର୍ଶନିକ ଆରିଷ୍ଟଟଲଙ୍କ ଭାଷାରେ ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ଜନ୍ମ, ସମାଜରେ ସ୍ଥିତି ଏବଂ ସମାଜରେ ହିଁ ତାର ବିଲୟ। ସମାଜ ବିନା ଯେ ରହିପାରେ ସେ ହୁଏତ ଈଶ୍ୱର ନହେଲେ ପଶୁପକ୍ଷୀ। ମଣିଷ ପାଖରେ ସ୍ନେହ,ପ୍ରେମ,ତ୍ୟାଗ, ଭଲପାଇବା ଆଦି ସବୁଥାଏ। ଏଇସବୁ ନେଇ ସେ ପରିବାର ଗଢ଼େ। ସମ୍ପର୍କ ବାନ୍ଧେ। ବାପା,ମାଆ ଭାଇ ଭଉଣୀ ସ୍ୱାମୀ-ସ୍ତ୍ରୀ କେତେ କଣ ଭୂମିକା ନିଭାଏ। ତାରି ଭିତରେ ହସକାନ୍ଦ, ସୁଖଦୁଃଖ, ସଫଳତା, ବିଫଳତା ଓ ଥଟା ମଜାର ଆସର। ଏସବୁ ନେଇ ସେ ଜୀବନ ଜିଏଁ। ଏକଲାପଣରେ ବଞ୍ଚିବାର ରାହା ଖୋଜେ.... ଶେଷ ପର୍ଯ୍ୟନ୍ତ। ହେଲେ ଅବଶୋଷ....ଏଇ ସମ୍ପର୍କରେ ଆଜି ଏତେ ତିକ୍ତତା ଭରି ଯାଇଛି ଯେ ଆଉ ବଞ୍ଚିବାର ରାହା ନୁହେଁ ବରଂ ଆତ୍ମହତ୍ୟାର କାରଣ ପାଲଟୁଛି।

ନିକଟରେ ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ, ପାରିବାରିକ ବିବାଦଠାରୁ ଆରମ୍ଭ କରି ପ୍ରେମ ସମ୍ପର୍କ ଏବଂ ବିବାହ ସମ୍ପର୍କିତ ସମସ୍ୟା ଯୋଗୁ ଦେଶରେ ଅଧା ଯୁବବର୍ଗ ଆତ୍ମହତ୍ୟା କରୁଛନ୍ତି। ଦେଶରେ ୧୮-୩୦ ବର୍ଷ ବୟସ ମଧ୍ୟରେ ଯେତେ ଆତ୍ମହତ୍ୟା ହେଉଛି ସେଥିରୁ ଅଧା ଆତ୍ମହତ୍ୟା ଏହି ପାରିବାରିକ ସମ୍ପର୍କଗତ ସମସ୍ୟା ଯୋଗୁ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ଦଶନ୍ଧି ଧରି ୧୫-୨୯ ବର୍ଷ ବୟସ ବର୍ଗରେ ହେଉଥିବା ମୃତ୍ୟୁର ସଡ଼କ ଦୁର୍ଘଟଣା ପରେ ଆତ୍ମହତ୍ୟା ହେଉଛି ଦ୍ୱିତୀୟ ପ୍ରମୁଖ କାରଣ। 

ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ୨୦୨୦-୨୨ ବର୍ଷ ପାଇଁ ମୃତ୍ୟୁର କାରଣ ରିପୋର୍ଟରୁ ଜଣାପଡ଼ିଛି ଯେ ୧୫-୨୯ ବର୍ଷ ବୟସ ବର୍ଗରେ ହୋଇଥିବା ମୋଟ ମୃତ୍ୟୁ ସଂଖ୍ୟାରେ ୧୭.୧% କେବଳ ଆତ୍ମହତ୍ୟା ଯୋଗୁ ହୋଇଛି। ତେବେ ଦେଶର ମୋଟ ମୃତ୍ୟୁ ସଂଖ୍ୟାରେ ଏହାର ଭାଗ ମାତ୍ର ୫ ପ୍ରତିଶତ। ତେବେ ଏହି ବର୍ଗରେ ହେଉଥିବା ଆତ୍ମହତ୍ୟାର କାରଣ ମୁଖ୍ୟତଃ ଆଚରଣଗତ। ଏହାକୁ ରୋକାଯାଇପାରିବ। 

ସମ୍ପର୍କରେ ତିକ୍ତତା ଯୋଗୁ ଦେଶରେ ଅଧିକାଂଶ ଯୁବକଯୁବତୀ ଆତ୍ମହତ୍ୟା କରୁଛନ୍ତି। 

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ର ତଥ୍ୟ ଦର୍ଶାଉଛି ଯେ ଯୁବବର୍ଗଙ୍କ ମଧ୍ୟରେ ପ୍ରାୟ ୪୮% ଆତ୍ମହତ୍ୟା ଘଟଣା ତିନି ପ୍ରକାରର ସମ୍ପର୍କ-ସମ୍ବନ୍ଧୀୟ ସମସ୍ୟା ଯୋଗୁ ହେଉଛି। ତାହା ହେଲା ପାରିବାରିକ ସମସ୍ୟା, ପ୍ରେମ ବ୍ୟାପାର, ବିବାହ ସମ୍ପର୍କିତ ସମସ୍ୟା ଓ ଯୌତୁକ ନିର୍ଯ୍ୟାତନା। ପାରିବାରିକ ସମସ୍ୟା ଯୋଗୁ ସର୍ବାଧିକ ୩୨.୪ ପ୍ରତିଶତ ଆତ୍ମହତ୍ୟା ଜନିତ ମୃତ୍ୟୁ ହେଉଥିବା ବେଳେ ପ୍ରେମ ବ୍ୟାପାର ପାଇଁ ୮ ପ୍ରତିଶତ ଓ ବିବାହ ସମ୍ପର୍କିତ ସମସ୍ୟା ପାଇଁ ୭.୫ ପ୍ରତିଶତ ଆତ୍ମହତ୍ୟା ଜନିତ ମୃତ୍ୟୁ ହେଉଛି। ବିବାହ ସମ୍ପର୍କିତ ଆତ୍ମହତ୍ୟାର ୨୮% କେବଳ ଯୌତୁକ ସମ୍ବନ୍ଧୀୟ ସମସ୍ୟା ଯୋଗୁ ହେଉଛି। ଏପରି ମାମଲାଗୁଡ଼ିକରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ  ମହିଳାଙ୍କ ସଂଖ୍ୟା ୯୩%। 

୧୫-୨୯ ବୟସ ବର୍ଗରେ ମୃତ୍ୟୁ ତାଲିକାରେ ଆତ୍ମହତ୍ୟା ସବୁଠାରୁ ଆଗରେ ରହିଛି

ଯୁବପିଢ଼ିଙ୍କ ମୃତ୍ୟୁର ସମସ୍ତ କାରଣ ମଧ୍ୟରୁ, ଆତ୍ମହତ୍ୟା ସବୁଠାରୁ ଆଗରେ ରହିଛି। ୨୦୨୦-୨୨ ମସିହାରେ, ଯୁବବର୍ଗଙ୍କ ମୃତ୍ୟୁର କାରଣ ମଧ୍ୟରେ ଆତ୍ମହତ୍ୟା ତାଲିକାର ଶୀର୍ଷରେ ଥିଲା, ଏହାପରେ ମୋଟର ଯାନ ଦୁର୍ଘଟଣା ଜନିତ ମୃତ୍ୟୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ସେହିପରି ଏହି ତାଲିକାରେ ହୃଦରୋଗ ଜନିକ ଯୁବ ମୃତ୍ୟୁ ମଧ୍ୟ ଉପରକୁ ଉଠିଛି। ଯାହା ମୋଟ ଯୁବ ମୃତ୍ୟୁର ୯.୮% ହୋଇଛି। ଅନ୍ୟପଟେ ପଡ଼ିଯିବା କିମ୍ବା ବୁଡ଼ିଯିବା ଭଳି ଅନିଚ୍ଛାକୃତ ସମସ୍ୟା ଯୋଗୁ ୮.୭% ଯୁବବର୍ଗଙ୍କର ମୃତ୍ୟୁ ହୋଇଛି। ତେବେ ଆତ୍ମହତ୍ୟାର ଏହି ଧାରା ଏହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା। ଉଦାହରଣ ସ୍ୱରୁପ ୨୦୦୪-୨୦୦୬ ମସିହାରେ ଦେଶରେ ମୋଟ ଯୁବ ମୃତ୍ୟୁର ୧୫.୮% ଆତ୍ମହତ୍ୟା ଥିଲା। ତା’ପରେ ଅନିଚ୍ଛାକୃତ ଆଘାତ ଏବଂ ମୋଟର ଦୁର୍ଘଟଣା ଯୋଗୁ ମୃତ୍ୟୁ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିଲା।  

ଲିଙ୍ଗଗତ ପାର୍ଥକ୍ୟ ହ୍ରାସ ପାଇଛି କିନ୍ତୁ ତଥାପି ରହିଛି

ଯୁବତୀମାନଙ୍କ ମଧ୍ୟରେ ଆତ୍ମହତ୍ୟାର ଭାଗ ୧୮.୨% ରହିଥିବା ବେଳେ ଯୁବକମାନଙ୍କ ମଧ୍ୟରେ ୧୬.୩% ରହିଛି। ଯଦିଓ ସମୟ ସହିତ ଏହି ପାର୍ଥକ୍ୟ ହ୍ରାସ ପାଇଛି, ତେବେ ଯୁବତୀମାନେ ଅଧିକ ଆତ୍ମହତ୍ୟା କରିଛନ୍ତି। ୨୦୧୦-୧୩ ମସିହାରେ, ଯୁବତୀମାନଙ୍କ ମଧ୍ୟରେ ସମସ୍ତ ମୃତ୍ୟୁର ୨୧.୮% ଆତ୍ମହତ୍ୟା ଥିଲା। ଯୁବକମାନଙ୍କ ମଧ୍ୟରେ ଏହା ୧୫% ଥିଲା।

ଭାରତର ଯୁବକଙ୍କ ଆତ୍ମହତ୍ୟା ମୃତ୍ୟୁ ଚୀନ୍ ଅପେକ୍ଷା ୬ ଗୁଣ ଅଧିକ

ଏବେ ଆସନ୍ତୁ ଭାରତର ଯୁବବର୍ଗଙ୍କ ଏଭଳି ଦଶାକୁ ଥରେ ଚୀନ ସହ ତୁଳନା କରିବା। ଚୀନରେ ଯୁବବର୍ଗଙ୍କ ଆତ୍ମହତ୍ୟା ସ୍ଥିତି କେମିତି ତାହା ଦେଖିବା। ଭାରତରେ ଚୀନ ଅପେକ୍ଷା ଅଧିକ ଯୁବ ଜନସଂଖ୍ୟା ରହିଛି। ଭାରତରେ ୩୪୫ ମିଲିଅନ ଯୁବ ଜନସଂଖ୍ୟା ରହିଥିବା ବେଳେ ଚୀନରେ ରହିଛନ୍ତି ୨୬୦ ମିଲିଅନ। ହେଲେ ଦୁଃଖର କଥା ହେଲା ଭାରତରେ ଯୁବକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଚୀନ ତୁଳନାରେ ୬ ଗୁଣ ଅଧିକ। ଭାରତରେ ୧୫-୨୯ ବର୍ଷ ବୟସ ବର୍ଗରେ ଆତ୍ମହତ୍ୟା ଯୋଗୁ ୬୦,୭୦୦ ରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି। ଯାହା ବିଶ୍ୱରେ ସର୍ବାଧିକ। ହେଲେ ଚୀନରେ ଏହି ସଂଖ୍ୟା ମାତ୍ର ୧୦,୭୦୦ ରହିଛି। 

କେବଳ ସେତିକି ନୁହେଁ, ସର୍ବାଧିକ ଆତ୍ମହତ୍ୟା ହାର ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଦଶମ ସ୍ଥାନରେ ରହିଛି। ଦେଶରେ ପ୍ରତି ୧୦୦,୦୦୦ ଜନସଂଖ୍ୟାରେ ଆତ୍ମହତ୍ୟା ହାର ୧୫.୭ ରହିଛି। ଯାହା ସମସ୍ତ ପଡ଼ୋଶୀ ଦେଶ ତୁଳନାରେ ଅଧିକ। ତେବେ ଉରୁଗୁଏ, ଦକ୍ଷିଣ ଆଫ୍ରିକା ଏବଂ ରୁଷିଆ ଏହି ତାଲିକାର ଶୀର୍ଷରେ ଅଛନ୍ତି।

ଭାରତରେ ଆତ୍ମହତ୍ୟା ବଢ଼ିବାର ଉପରୋକ୍ତ ସମସ୍ତ କାରଣ ମଧ୍ୟରେ ମାନସିକ ଚାପ ଓ ଅବସାଦ ହେଉଛି ମୁଖ୍ୟ କାରଣ। ପାରିବାରିକ ସମସ୍ୟା ଠାରୁ ଆରମ୍ଭ କରି ଜୀବନରେ ଏକାଧିକ ସମସ୍ୟା ଯୋଗୁ ମଣିଷ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛି। ହେଲେ ଏହି ସମସ୍ୟା ଆଜିର ନୁହେଁ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଲାଗି ରହିଛି। ଜୀବନର ପ୍ରତ୍ୟେକ ପାହାଚରେ ଏହି ଚାପ ମଣିଷ ସହିତ ରହିଛି। ହର ଦର୍ଦ କା ଏକ ଉମର ହୋତା ହେ। ଅର୍ଥାତ୍ ପ୍ରତ୍ୟେକ ବୟସରେ ଯନ୍ତ୍ରଣା ଅଲଗା ଅଲଗା ହୋଇଥାଏ। ଛୋଟ ପିଲା ପାଇଁ ପାଠପଢ଼ା ଯେମିତି ଟେନ୍‌ସନ ଯୁବକଟେ ପାଇଁ ସଫଳତା-ବିଫଳ ମଧ୍ୟରେ ସଂଘର୍ଷ ଓ ପ୍ରେମ ସେମିତି ଟେନ୍‌ସନ। 

ଏସବୁ ହେବା ସ୍ୱାଭାବିକ ମଧ୍ୟ। କାରଣ ମଣିଷ ଭାବିପାରେ, ସ୍ୱପ୍ନ ଦେଖିପାରେ ଆଉ ଏହାକୁ ସାକାର କରିବାକୁ ଦୌଡ଼ିପାରେ। କିଛି ଅପୂରଣୀୟ ଇଚ୍ଛା, ବିଫଳତା, ତିରସ୍କାର,ଅତ୍ୟଧିକ ନିର୍ଭରଶୀଳତା ମଣିଷ ମନରେ ଚାପ ସୃଷ୍ଟି କରେ। ଯାହା ଆତ୍ମହତ୍ୟାର କାରଣ ପାଲଟେ। ତେବେ ଏସବୁ ସେତେବେଳେ ହୁଏ ଯେତେବେ ମଣିଷ ଅନ୍ୟ ଦ୍ୱାରା ସହଜରେ ପରିଚାଳିତ ହୁଏ। ମଣିଷର ଭାବପ୍ରବଣତା, ହସ ରାଗ ଓ କାନ୍ଦକୁ କେହି ଅନ୍ୟ ଜଣେ ନିୟନ୍ତ୍ରଣ କରେ। ତା ପରେ ଜୀବନ ଜିଇଁବା କଷ୍ଟକର ପାଲଟି ଯାଏ। ଥରେ ଥାପର ୟୁନିଭର୍ସିଟିର ଚେୟାରମ୍ୟାନ୍‌ ରାଜୀବ ରଞ୍ଜନ ବେଦରାହ କହିଥିଲେ “ଜୀବନ ଜିଇଁବା ସହଜ ନୁହେଁ। ଏହାକୁ ସହଜ ବନାଇବାକୁ ପଡ଼େ। କିଛି ଧୈର୍ଯ୍ୟ ଧରି କିଛି ସହ୍ୟ କରି ଏବଂ ବହୁତ କିଛି ଅଣଦେଖା କରି।” ପ୍ରଖ୍ୟାତ ଗୀତିକାର ଇନ୍ଧବୀରଙ୍କ ସେହି ଲେଖା ଏହି ମର୍ମରେ ବେସ୍ ଉପାଦେୟ ମନେ ହୁଏ। ଛୋଡ଼ ଦେ ସାରି ଦୁନିଆ କିସିକେ ଲିଏ... ଇଏ ମୁନାସିବ ନହିଁ ଆଦ୍‌ମୀ କେ ଲିଏ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.