ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜୁଲାଇ ୧୨ରେ ଓଡ଼ିଶା ଫେରିବେ। ଜୁନ ୨୨ରେ ମୁମ୍ବାଇ ସ୍ଥିତ କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ସର୍ଭାଇକାଲ୍ ଆର୍ଥରାଇଟିସ୍ର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଏହା ପରେ ହସ୍ପିଟାଲରେ ସେ ଅବଜରଭେସନରେ ରହିଥିଲେ।
ସର୍ଭାଇକାଲ୍ ଆର୍ଥରାଇଟିସ୍ର ଚିକିତ୍ସା ପାଇଁ ଗତ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ କୋକିଳା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଜୁନ ୨୨ରେ ତାଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍ର ସଫଳ ଅସ୍ତ୍ରୋପଚାର ହୋଇଥିଲା। ମେଡିକାଲ୍ରେ ଅବରଜରଭେସନରେ ରହିବା ପରେ ଜୁଲାଇ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ମେଡିକାଲରେ ଥିବା ସମୟରେ ବିଜେଡିର ଏକ ଟିମ୍ ତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଯାତ୍ରା କରିଥିଲେ।
ତେବେ ଜୁନ ୨୦ରେ ନବୀନ ନିବାସରୁ ଏୟାରପୋର୍ଟ ଅଭିମୁଖେ ବାହାରିବା ବେଳେ ବିଜେଡି ନେତା ଓ କର୍ମୀ ନବୀନଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପିନ୍ଧାଇବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିଭଳି ମହିଳା କର୍ମୀମାନେ କଳସ ବସାଇ ବନ୍ଦାପନା କରିବା ସହ ହୁଳହୁଳି ପକାଇ ନବୀନଙ୍କ ଶୁଭ ମନାସି ଥିଲେ । ନବୀନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।
ନବୀନ ବାହାରିବା ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରୁ ବିମାନ ବନ୍ଦର ପର୍ଯ୍ୟନ୍ତ ବିଜେଡି ନେତା କର୍ମୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଓ ଆଖପାଖ ଅଂଚଳରୁ ବହୁ ଶୁଭେଚ୍ଛୁ ନିଜର ପ୍ରିୟ ନେତାଙ୍କୁ ଟିକେ ଭେଟିବା ଲାଗି ଆସିଥିଲେ । ସମସ୍ତେ ନିଜ ପ୍ରିୟ ନେତା ନବୀନଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲେ ।
୭୮ବର୍ଷୀୟ ନବୀନଙ୍କ ଅସ୍ତ୍ରୋପଚାର ପୂର୍ବରୁ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା । ଦିଲ୍ଲୀରେ ଓଡ଼ିଆ କମ୍ୟୁନିଟି ପକ୍ଷରୁ ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସେହିପରି ଶନିବାର ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ବରିଷ୍ଠ ନାଗରିକ ପୂଜାର୍ଚ୍ଚନା କରିଥିଲେ । ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ମଧ୍ୟ ଦଳୀୟ କର୍ମୀ ଓ ନେତା ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାରେ ନବୀନଙ୍କ ସୁସ୍ଥତା କାମନା କରି ନାଗରିକ ସମାଜ ଓ ଜନପ୍ରତିନିଧି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।