ସମ୍‌ ଅଲ୍ଟିମେଟ୍‌ରୁ ଡିସଚାର୍ଜ ହେଲେ ନବୀନ, ଡିହାଇଡ୍ରେସନ୍ କାରଣରୁ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

Published By : Prameya-News7 Bureau | August 20, 2025 IST

ଭୁବନେଶ୍ବର: ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଲେ ନବୀନ। ବୁଧବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତେବେ ହସ୍ପିଟାଲରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ‘ମୁଁ ବିଲକୁଲ ଭଲ ଅଛି।’ ଭଲ ଯତ୍ନ ନେଇଥିବାରୁ ସମ୍ ଅଲ୍ଟିମେଟ୍ ମେଡିକେୟାର ଷ୍ଟାଫଙ୍କୁ ଦେଇଛନ୍ତି ନବୀନ। ଏହା ସହ ନବନୀ ରାଜ୍ୟବାସୀଙ୍କୁ ବି ଧନ୍ୟବାଦ୍ ଦେଇ କହିଛନ୍ତି, ‘ମୁଁ ଅସୁସ୍ଥ ଥିବାବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ତାଙ୍କୁ ଧନ୍ୟବାଦ। ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି। ’’

ଡିହାଇଡ୍ରେସନ ହେତୁ ରବିବାର ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ନବୀନଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। ନବୀନଙ୍କ ଅସୁସ୍ଥ ଖବର ଆସିବା ପରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କ ସୁସ୍ଥ କାମନା କରିଥିଲେ। ରାଜ୍ୟପାଳ ହରିବାବୁ କମ୍ଭମପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଡିସଚାର୍ଜ ପୂର୍ବରୁ ବୁଧବାର ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟା ବିଷୟରେ ପଚାରି ବୁଝିଥିଲେ ପିଏମ ମୋଦୀ, ଆନ୍ଧ୍ର ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ପ୍ରମୁଖ। 

ସେହିଭଳି ଡିସଚାର୍ଜ ପୂର୍ବରୁ ପିସିସି ସଭାପତି ଭକ୍ତ ଦାସ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ନବୀନ । ତାଙ୍କ ଅସୁସ୍ଥତା ଖବର ପାଇ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲକୁ  ଆସିଥିବାରୁ, ପିସିସି  ସଭାପତି ଭକ୍ତଚରଣ ଦାସ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସନ୍ଧ୍ୟାରେ ନବୀନ ପଟନାୟକ ଫୋନ୍ କରି ଧନ୍ୟବାଦ ଜଣାଇଛନ୍ତି।


ଉଲ୍ଲେଖଯୋଗ୍ୟ, ପୂର୍ବରୁ ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଚିକିତ୍ସା ପାଇଁ ଜୁନ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ କୋକିଳା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଜୁନ ୨୨ରେ ତାଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ସଫଳ ଅସ୍ତ୍ରୋପଚାର ହୋଇଥିଲା। ମେଡିକାଲ୍‌ରେ ଅବଜରଭେସନରେ ରହିବା ପରେ ଜୁଲାଇ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ମେଡିକାଲରେ ଥିବା ସମୟରେ ବିଜେଡିର ଏକ ଟିମ୍ ତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଯାତ୍ରା କରିଥିଲେ। ଏହା ପରେ ଜୁଲାଇ ୧୨ରେ ଭୁବନେଶ୍ଵର ଫେରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.