ନାଲ୍‌କୋର ରେକର୍ଡ ୫,୩୨୫ କୋଟି ନିଟ୍‌ ଲାଭ, ୨୦୨୪-୨୫ରେ ମୋଟ ବ୍ୟବସାୟ ୧୬,୭୮୮ କୋଟି

Published By : Prameya-News7 Bureau | May 22, 2025 IST

ଭୁବନେଶ୍ୱର ୨୨।୦୫ : ନ୍ୟାସ୍‌ନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍‌(ନାଲ୍‌କୋ)  ଏହାର ଆର୍ଥିକ ଫଳାଫଳ ପ୍ରକାଶ କରିଛି। ୨୦୨୪-୨୫ ଆର୍ଥିକବର୍ଷରେ କମ୍ପାନି ସର୍ବକାଳୀନ ସର୍ବାଧିକ ନିଟ୍‌ ଲାଭ ହାସଲ କରିଛି। ବୁଧବାର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ପ୍ରକାଶ ପାଇଥିବା ଆର୍ଥିକ ଫଳାଫଳ ଅନୁସାରେ, କମ୍ପାନି ୨୦୨୪-୨୫ରେ ସର୍ବକାଳୀନ ସର୍ବାଧିକ  ୫,୩୨୫ କୋଟି ଟଙ୍କାର ନିଟ୍‌ ଲାଭ ହାସଲ କରିଛି। ଏହା ଏକ ଐତିହାସିକ ମାଇଲଖୁଣ୍ଟ । ନିଟ୍‌ ଲାଭ  ପୂର୍ବ ଆର୍ଥିକବର୍ଷ ତୁଳନାରେ ୧୫୮% ବଢ଼ିଛି। ଏଥିସହ ଆର୍ଥିକବର୍ଷ ୨୦୨୪-୨୫ରେ କମ୍ପାନି ସର୍ବକାଳୀନ ସର୍ବାଧିକ  ରେକର୍ଡ ସହ ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି । 

୨୦୨୫ ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୪- ୨୫ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନିର ନିଟ୍‌  ଲାଭରେ ୧୦୫% ଅଭିବୃଦ୍ଧି ଘଟିଛି । ଆଲୋଚ୍ୟ ସମୟରେ କମ୍ପାନିର ନିଟ୍‌ ଲାଭ ରହିଛି ୨,୦୭୮ କୋଟି ଟଙ୍କା। ୨୦୨୩-୨୪ ଚତୁର୍ଥ ତ୍ରୟମାସରେ ଏହା ୧୦୧୬ କୋଟି  ଟଙ୍କା ଥିଲା। ସେହିପରି ଚତୁର୍ଥ ତ୍ରୟମାସରେ କମ୍ପାନି ୫,୨୬୮ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି ପୂର୍ବ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଥିଲା ୩,୫୭୯ କୋଟି ଟଙ୍କା । 

ଆଲୁମିନା ଏବଂ ଆଲୁମିନିୟମ ଦରରେ ବୃଦ୍ଧି ତଥା କମ୍ପାନିର ସୁସଂଗଠିତ କାର୍ଯ୍ୟପ୍ରଣାଳୀ, ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ  ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି  ଦ୍ୱାରା ନାଲ୍‌କୋ ଏହାର ସମସ୍ତ ବ୍ୟବସାୟିକ  ୟୁନିଟ୍‌ରେ ତଥା ଲାଭ ଅର୍ଜନ କ୍ଷେତ୍ରରେ  ଆଶାତୀତ ଅଭିବୃଦ୍ଧି ହାସଲ କରିଛି। ଏ ଅବସରରେ ନାଲ୍‌କୋ ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଆର୍ଥିକବର୍ଷ ୨୦୨୪- ୨୫ର ତୃତୀୟ ଏବଂ ଚତୁର୍ଥ ତ୍ରୟମାସରେ କମ୍ପାନିର  ଉଲ୍ଲେଖନୀୟ ପ୍ରଦର୍ଶନ କର୍ମଚାରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ। ନାଲ୍‌କୋ ଏହାର ଦୃଢ଼ ଆର୍ଥିକ ପ୍ରଦର୍ଶନ ଏବଂ ବ୍ୟବସାୟିକ ଅଭିବୃଦ୍ଧି ବଳରେ ଆଜିର ପ୍ରଭାବଶୀଳ ବଜାର ପରିବେଶରେ ପ୍ରତିଯୋଗିତାମୂଳକ ମୂଲ୍ୟ ବଜାୟ ରଖିବାରେ ସଫଳ ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସୁଦକ୍ଷ କର୍ମଚାରୀ ତଥା କାର୍ଯ୍ୟାନ୍ୱୟନ ଶୈଳୀରେ ଉନ୍ନତି ଫଳରେ କମ୍ପାନି ଆଗକୁ ବଢ଼ିପାରିଛି। ଆଲୁମିନିୟମର ମୂଲ୍ୟ ତଥା ନିରନ୍ତର ଚାହିଦା ବୃଦ୍ଧି ସହ ନାଲ୍‌କୋ ଏହାର ଅଭିବୃଦ୍ଧି ବଜାୟ ରଖିବା ନିମନ୍ତେ   ପ୍ରସ୍ତୁତ ରହିଛି। ଆଲୁମିନା ରିଫାଇନେରୀର ପଞ୍ଚମ ଷ୍ଟ୍ରିମ୍‌ ସମ୍ପ୍ରସାରଣ, ପଟାଙ୍ଗି ବକ୍ସାଇଟ୍‌ ଖଣି କାର୍ଯ୍ୟକ୍ଷମ, ସ୍ମେଲ୍‌ଟର ପ୍ଲାଣ୍ଟ ଏବଂ କ୍ୟାପ୍ଟିଭ୍‌ ପାୱର ପ୍ଲାଣ୍ଟର ପ୍ରସ୍ତାବିତ ସମ୍ପ୍ରସାରଣ ମାଧ୍ୟମରେ କମ୍ପାନିର ଦୀର୍ଘକାଳୀନ ଅଭିବୃଦ୍ଧି  ନିମନ୍ତେ ପ୍ରତିବଦ୍ଧତାକୁ ଶ୍ରୀ ସିଂହ ଗୁରୁତ୍ୱରୋପ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.