ଭୁବନେଶ୍ୱର ୩୦।୭: ମିଶନ ଶକ୍ତି ବିଭାଗ ଓ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଆୟୋଗ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ବାରା ରାଜ୍ୟର ବୁଣାକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ । ମହିଳା ନେତୃତ୍ୱାଧୀନ ବୟନ ଉଦ୍ୟୋଗକୁ ମିଳିବ ପ୍ରୋତ୍ସାହନ । ଏହାଦ୍ୱାରା ସେମାନେ ଅତ୍ୟାଧୁନିକ ଡିଜାଇନ୍ ଶିଖିପାରିବେ । ଏଥିସହ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ମଧ୍ୟ ଉପଲବ୍ଧ କରାଯିବ । ଏହାବାଦ୍ ଲକ୍ଷପତି ଦିଦିଙ୍କୁ କୋଟିପତି କରାଯିବ । ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ଖୁବ୍ଶୀଘ୍ର ଚାନ୍ଦୁଆ ଗ୍ରାମ ହେବ ବୋଲି ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି । ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟକୁ ପୂର୍ଣ୍ଣ ଭାବେ ହାସଲ କରିବା ପାଇଁ ଆମେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହଜ, ସୁବିଧା ଓ ସୁଖଦ ରୋଜଗାର ପନ୍ଥା ବାଛିବାକୁ ସୁଯୋଗ ଦେଉଛୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗ୍ଦର୍ଶନରେ ଆମେ ଲକ୍ଷପତି ଦିଦି ମା' ମାନଙ୍କୁ ଏବେ କୋଟିପତି କରିବାକୁ ପ୍ରୟାସ ଜାରି ରଖିଛୁ ।
ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ଓଡ଼ିଶାର ହଜାର ହଜାର ଏସ୍ଏଚ୍ଜି ସଦସ୍ୟା ତନ୍ତ ବୁଣା, ସିଲାଇ, ଏମ୍ବ୍ରୋଡରୀ ଏବଂ ଘରୋଇ ଉତ୍ପାଦକୁ ନିଜର ଜୀବିକା ଭାବେ ଗ୍ରହଣ କରିଥିବା ବେଳେ ଏହି ବୁଝାମଣାପତ୍ର ଆଧୁନିକ ଡିଜାଇନ୍ ଏବଂ ବଜାର ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ ଦିଗରେ ସହାୟକ ହେବ ।
ବିଭାଗର ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ କହିଛନ୍ତି, ଏହି ପଦକ୍ଷେପ ନମୁନା ସହାୟତା, ଏକ ସ୍ଥାୟୀ ମହିଳା ନେତୃତ୍ୱାଧୀନ ବୟନ ଉଦ୍ୟୋଗ ନିର୍ମାଣ ଗଢ଼ିବାରେ ସହାୟକ ହେବ । ବୁଣାକାର ସେବା କେନ୍ଦ୍ର ଉପନିର୍ଦ୍ଦେଶକ ବିକାଶ କୁମାର କହିଛନ୍ତି, ଓଡ଼ିଶା ବୟନ ପ୍ରତିଭାର ଅନେକ କାରିଗର ଜାତୀୟସ୍ତରରେ ସ୍ୱୀକୃତି ପାଇଛନ୍ତି । ରାଜ୍ୟ ସରକାରଙ୍କ ସହିତ ଏହି ସହଭାଗିତା, ଓଡ଼ିଶା ବୟନ ସୃଜନଶୀଳତାକୁ ନୂଆ ରୂପ ଦେବା ସହ ଜାତୀୟ ବୟନ ଓ ହସ୍ତତନ୍ତ ମାନଚିତ୍ରକୁ ଆହୁରି ସଶକ୍ତ କରିବ । ଏହି ସହଭାଗିତା ଅଧୀନରେ ବୁଣାକାର ସେବା କେନ୍ଦ୍ର ଘରୋଇ ଏବଂ ବିଶ୍ୱସ୍ତରୀୟ ଗ୍ରାହକଙ୍କ ବିକଶିତ ରୁଚି ଅନୁସାରେ ପୋଷାକ ଏବଂ ସାଜସଜ୍ଜା ସାମଗ୍ରୀ ପାଇଁ ‘ମଲ୍ଟିପଲ କଲରୱେ'ରେ ମୌଳିକ କାଗଜ ଡିଜାଇନ୍ ବିକଶିତ କରିବ । ନମୁନା ଏବଂ ପ୍ରୋଟୋଟାଇପ୍ ବିକାଶକୁ ସମର୍ଥନ କରାଯିବ । ଏସ୍ଏଚ୍ଜି ସଦସ୍ୟାମାନଙ୍କୁ ଡିଜାଇନ୍ରେ ସୌନ୍ଦର୍ଯ୍ୟ, ଫିନିସିଂ ମାନଦଣ୍ଡ ଏବଂ ଉଦ୍ୟୋଗ ପ୍ରସ୍ତୁତି ଉପରେ ପରାମର୍ଶ ଦିଆଯିବ । ଏହି ସହଭାଗିତା ଯୋଗୁଁ ସେମାନଙ୍କ ପ୍ରସ୍ତୁତ ଉତ୍ପାଦର ପେସାଦାର ଫଟୋଗ୍ରାଫି ଏବଂ ଡିଜିଟାଲ୍ କ୍ୟାଟ୍ଲଗ୍ ବିକାଶରେ ସହାୟତା ମିଳିପାରିବ ।