ମାସକରେ କେଦାରନାଥ ଦର୍ଶନ କଲେ ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ, ୨୦୦ କୋଟି ଟଙ୍କାର ହୋଇଛି କାରବାର

Published By : Prameya-News7 Bureau | June 01, 2025 IST

ଡେରାଡୁନ ୧।୬: ଉତ୍ତରାଖଣ୍ଡ କେଦାରନାଥ ଯାତ୍ରା ପ୍ରତିବର୍ଷ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ବାବାଙ୍କ ଦର୍ଶନ ନିମନ୍ତେ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢିବା ସହିତ ସରକାରଙ୍କ ବିପୁଳ ରାଜସ୍ୱ ଆୟ ମଧ୍ୟ ହେଉଛି। କେଦାରନାଥ ଧାମ କବାଟ ଖୋଲିବା ପରଠାରୁ ଏପର୍ଯ୍ୟନ୍ତ ଗୋଟିଏ ମାସରେ ୭ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିବା ବେଳେ ସରକାରୀ ସୁବିଧାଠୁ ଆରମ୍ଭ କରି ସ୍ଥାନୀୟ ବ୍ୟବସାୟୀମାନେ ୨୦୦ କୋଟି ଟଙ୍କାରୁ ଅଧିକ କାରବାର କରିଛନ୍ତି। 

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ କେଦାରନାଥ ଧାମ ଯାତ୍ରା ଏବେ ଉତ୍ତରାଖଣ୍ଡ ଆସ୍ଥା ଓ ସଂସ୍କୃତିର କେନ୍ଦ୍ର ପାଲଟିଛି। ସରକାରଙ୍କ ଲକ୍ଷ୍ୟ କେବଳ ତୀର୍ଥ ଯାତ୍ରୀଙ୍କୁ ସୁବିଧା ଦେବା ନୁହେଁ ବରଂ ସ୍ଥାନୀୟ ଯୁବକ, ମହିଳା ଓ ବ୍ୟବସାୟୀଙ୍କୁ ଆର୍ଥିକ ରୂପେ ମଜଭୁତ କରିବା। ଏଣୁ ଆମେ ଚେଷ୍ଟା କରୁଛୁ ଯାତ୍ରା ସୁରକ୍ଷିତ, ସୁଗମ ଓ ସମୃଦ୍ଧ ହେଉ। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ ୨୦୨୫ ଯାତ୍ରା ନିମନ୍ତେ ମେ ୨ ତାରିଖ ଦିନ ବାବା କେଦାରନାଥଙ୍କ କବାଟ ତୀର୍ଥ ଯାତ୍ରୀଙ୍କ ପାଇଁ ଖୋଲିଥିଲା। ଇତି ମଧ୍ୟରେ ଏହି ଯାତ୍ରା ୧ ମାସ ପୂରଣ କରିଥିବା ବେଳେ ଜୁନ ୧ ତାରିଖ ଦିନ ବାବାଙ୍କ ଦର୍ଶନାର୍ଥୀଙ୍କ ସଂଖ୍ୟା ୭ଲକ୍ଷ ପାର କରିଛି। 

ଗତ ମାସର ଦୈନିକ ହାରାହାରି ଶ୍ରଦ୍ଧାଳୁଙ୍କ ସଂଖ୍ୟା ହିସାବ କଲେ ୨୪ ହଜାର ଲେଖାଏଁ ତୀର୍ଥ ଯାତ୍ରୀ ବାବାଙ୍କ ଦର୍ଶନ କରିଛନ୍ତି। କେଦାରନାଥ ଯାତ୍ରା ଦେଶର ସବୁଠୁ କଠିନ ଧାର୍ମିକ ଯାତ୍ରା ମଧ୍ୟରେ ଅନ୍ୟତମ। ପାଖାପାଖି ୨୦ କିଲୋମିଟର ପଦଚଲା ରାସ୍ତା ପାର କରି ଭକ୍ତ ବାବାଙ୍କ ଧାମଙ୍କୁ ପହଞ୍ଚୁଛନ୍ତି। ଏହି ଧାର୍ମିକ ଯାତ୍ରାରେ ଘୋଡ଼ା ଓ ଖଚର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିଲେ ମଧ୍ୟ ଅନେକ ତୀର୍ଥ ଯାତ୍ରୀ ପାଦରେ ଚାଲିଚାଲି ହିମାଳୟ କୋଳରେ ଥିବା ୧୧ତମ ଜ୍ୟାତିର୍ଲିଂଗଙ୍କ ଦର୍ଶନ ପାଇଁ ପହଞ୍ଚୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.