ଟ୍ରମ୍ପ ପ୍ରଶାସନର ବଡ଼ ପଦକ୍ଷେପ, ବିଦେଶ ବିଭାଗରୁ ବାହାରିଲେ ୧୩୦୦ ଅଫିସର

Published By : Prameya-News7 Bureau | July 11, 2025 IST

ୱାସିଂଟନ ୧୧।୭: ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟରୁ ୧୩ଶହରୁ ଅଧିକ କର୍ମଚାରୀ ଓ ଅଧିକାରୀଙ୍କୁ ଚାକିରୀରୁ ବାହାର କରି ଦିଆଯାଇଛି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ରିଅର୍ଗାନାଇଜେସନ ପ୍ଲାନ (ପୁନର୍ଗଠନ ଯୋଜନା)ର ଏହା ଅଂଶବିଶେଷ । ଶୁକ୍ରବାର ଜାରି ଏକ ଅଧିକାରୀକ ନୋଟିସ୍ ଅନୁସାରେ ୧୧୦୭ ସିଭିଲ ସର୍ଭିସ ଓ ୨୪୬ ବିଦେଶ ସେବା ଅଧିକାରୀଙ୍କୁ ବରଖାସ୍ତ ଆଦେଶ ଧରାଇ ଦିଆଯାଇଛି। 

ଅଧିକାରୀଙ୍କ ଅନୁସାରେ ବିଭାଗୀୟ ପୁନର୍ଗଠନ ଯୋଜନାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାର ଉଦ୍ଦେଶ୍ୟ ଘରୋଇ ସଞ୍ଚାଳନକୁ ସୁଲଭ ଓ କୁଟନୈତିକ ପ୍ରାଥମିକତା ଉପରେ କେନ୍ଦ୍ରିତ କରିବା। ବିଭାଗ ପକ୍ଷରୁ ଜାରି ନୋଟରେ କୁହାଯାଇଛି ଯେ ଏହି କର୍ମଚାରୀ ହ୍ରାସ ନନକୋର ଫଙ୍କସନ, ଦୋହରା ବିଭାଗ ଓ ସେହି ସବୁ ଡିପାର୍ଟମେଣ୍ଟରେ କରାଯାଇଛି ଯେଉଁଠି କାର୍ଯ୍ୟ ଓ ଦାୟିତ୍ୱକୁ କେନ୍ଦ୍ରୀୟକୃତ କରି ରିମାର୍କେବଲ ଇଫିସେନ୍ସୀ ହାସଲ କରାଯାଇ ପାରିବ। 

ଚାକିରୀରୁ ଛଟେଇ ପାଇଁ ସିଭିଲ ସର୍ଭିସ ଅଧିକାରୀଙ୍କ ଲାଗି ୬୦ ଦିନ ଅବଧି ଧାର୍ଯ୍ୟ କରାଯାଇଥିବା ବେଳେ ବିଦେଶ ସେବା ଅଧିକାରୀଙ୍କୁ ୧୨୦ ଦିନ ଲାଗି ପ୍ରଶାସନିକ ଅବକାଶରେ ରଖାଯାଇଛି। ଏହି ଅବଧି ପରେ ଏହି ଅଧିକାରୀମାନଙ୍କ ସେବା ସମାପ୍ତ କରିଦିଆଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଏହି କର୍ମଚାରୀ ଛଟେଇକୁ ସ୍ୱାଗତ କରିଛନ୍ତି। ରୁବିୟୋ କହିଛନ୍ତି ଯେ ଆମେ ଷ୍ଟେଟ ଡିପାର୍ଟମେଣ୍ଟକୁ ଅଧିକ କୁଶଳ କରିବା ପାଇଁ ଏକ ସୁଚିନ୍ତିତ ପଦକ୍ଷେପ ନେଇଛୁ। ଏଥିରେ ନା କେବଳ କର୍ମଚାରୀଙ୍କୁ ଛଟେଇ କରାଯାଉଛି ବରଂ ଅନେକ ପଦ ଉଚ୍ଛେଦ ମଧ୍ୟ ହେବ। 


ତେବେ ଏହି ନିଷ୍ପତ୍ତିକୁ କେତେକ ପୂର୍ବ ଓ ବର୍ତ୍ତମାନର କୂଟନୈତିଜ୍ଞ ସମାଲୋଚନା କରୁଛନ୍ତି। ଆମେରିକାନ ଫରେନ ସର୍ଭିସ ଆସୋସିଏସନ (ଏଏଫଏସଏ) ଏହି ପଦକ୍ଷେପକୁ ଜାତୀୟ ହୀତ ନିମନ୍ତେ ବିପଦଜନକ ବୋଲି କହିଛି। ଆସୋସିଏସନ ଅଧ୍ୟକ୍ଷ ଟମ ୟାଜଦଗର୍ଦ୍ଦି କହିଛନ୍ତି ଯେ ବିଦେଶ ସେବାରେ ଏପରି ବ୍ୟବଧାନ ଯୁକ୍ତରାଷ୍ଟ୍ର ଆମେରିକାର ବୈଶ୍ୱିକ ଛବି ଓ ସୁରକ୍ଷା ଉପରେ ପ୍ରଭାବ ପକାଇବ। ଏଇଭଳି ରିଡକ୍ସନ ଇନ ଫୋର୍ସ ନୀତି ଶେଷ ଅପସନ ହେବା ଦରକାର। 


ତେବେ ଏହି କର୍ମଚାରୀ ଛଟେଇ ଯୋଜନାକୁ ଆମେରିକା ସୁପ୍ରିମକୋର୍ଟରୁ ଲିଗାଲ ଆପ୍ରୁଭାଲ ମିଳି ସାରିଛି। ହେଲେ ଏ ସମ୍ପର୍କିତ ଆଇଗତ ଚ୍ୟାଲେଞ୍ଜ ଏବେବି ରହିଛି। ବିଭାଗ ଦିନକ ପୂର୍ବରୁ କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲା। କୁହାଯାଉଛି ଏହି ପୁନର୍ଗଠନ ଯୋଜନା ୟୁଏସ ଏଜେନ୍ସୀ ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସଏଆଇଡି) ଓ ଶିକ୍ଷା ବିଭାଗ ଭଳି ସଂସ୍ଥାଙ୍କୁ ସମାପ୍ତ କରିବା ପାଇଁ ରଣନୀତିର ଅଂଶବିଶେଷ। ଏହି ଯୋଜନା ଅନ୍ତର୍ଗତ ୩୦୦ରୁ ଅଧିକ ବ୍ୟୁରୋ ଓ କାର୍ଯ୍ୟାଳଙ୍କ କାମର ବିଲୟ ଅଥବା ପୁନନିର୍ଦ୍ଧାରଣ କରାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.