IAFର ବଡ଼ ବୟାନ, ସେପ୍ଟେମ୍ବର ୨୦୨୫ରେ MIG-21 ସ୍କ୍ୱାଡ୍ରନର ହେବ ରିଟାୟାରମେଣ୍ଟ

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ ୨୩।୭:   ଭାରତୀୟ ବାୟୁସେନା (ଆଇଏଏଫ) ବିମାନ ସ୍କ୍ୱାଡ୍ରନରେ ସାମିଲ ମିଗ୍-୨୧ ବିମାନଙ୍କୁ ନେଇ ବଡ଼ ଘୋଷଣା କରିଛି। ଏ ନେଇ ବାୟୁସେନା ଏକ ଅଧିକାରୀକ ବୟାନ ଜାରି କରିଥିବା ବେଳେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ସ୍କ୍ୱାଡ୍ରନରେ ସାମିଲ ସବୁ ମିଗ୍-୨୧ ବିମାନଙ୍କୁ ରିଟାୟର କରିଦିଆଯିବ ବୋଲି କହିଛି। ଆଇଏଏଫର ୨ଟି ମିଗ୍-୨୧ ବାଇସନ ସ୍କ୍ୱାଡ୍ରନ ରହିଛି। କୋବ୍ରା ଓ ପାନ୍ଥର ନାମକ ଏହି ଦୁଇଟି ସ୍କ୍ୱାଡ୍ରନ ରିଟାୟର ହୋଇଗଲେ ଆଇଏଏଫ ସ୍କ୍ୱାଡ୍ରନ ସଂଖ୍ୟା ୨୯କୁ ଖସି ଆସିବ। 

ବିଶ୍ୱ ଫାଇଟର ଜେଟ୍ ଜଗତରେ ମିଗ୍-୨୧କୁ ଆକାଶର ଏକେ-୪୭ କୁହାଯାଏ। ଭୂ-ଭାଗରେ ଏକେ-୪୭ ରାଇଫଲ ଭଳି ଆକାଶରେ ଏହି ଯୁଦ୍ଧ ବିମାନର ଆକ୍ରମଣ କ୍ଷମତା ଘାତକ ଓ ଅଚୁକ। ଏ ପର୍ଯ୍ୟନ୍ତ ଯୁଦ୍ଧରେ ମିଗ୍-୨୧ ସବୁଠୁ ଅଧିକ ବିମାନଙ୍କୁ ଆକାଶରୁ ଖସାଇଛି। ଏଣୁ ଏହି ଯୁଦ୍ଧବିମାନର ବୈଶିଷ୍ଟ୍ୟ ଏହାକୁ ଅନନ୍ୟ କରିଥିବା ବେଳେ ଏ ପର୍ଯ୍ୟନ୍ତ ବିଶ୍ୱରେ ୧୧ହଜାରରୁ ଅଧିକ ମିଗ୍-୨୧ ବିମାନ ନିର୍ମିତ ହୋଇଛି, ଯାହାକି କୌଣସି ଯୁଦ୍ଧବିମାନ ନିର୍ମାଣ ଇତିହାସରେ ଏକ ରେକର୍ଡ।  

ମିଗ୍-୨୧କୁ ୧୯୬୪ ମସିହାରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ସେତେବେଳେ ଏହି ବିମାନକୁ ସୋଭିୟେତ ସଂଘ ନିର୍ମାଣ କରୁଥିଲା। ତେବେ ଭାରତୀୟ ବାୟୁସେନା ଇତିହାସରେ ମିଗ୍-୨୧ ସହିତ ଯନ୍ତ୍ରଣାଦାୟକ ଅଧ୍ୟାୟ ମଧ୍ୟ ଯୋଡି ହୋଇଯାଇଛି। ଏକ ଏପରି ସମୟ ଆସିଲା ଯେତେବେଳେ ଏହି ଯୁଦ୍ଧବିମାନଗୁଡିକୁ ଆଇଏଏଫର ଉଡନ୍ତା କଫିନ ବୋଲି କୁହାଗଲା। ମିଗ୍-୨୧ ବିମାନ ଦୁର୍ଘଟଣା ଯୋଗୁ ଭାରତୀୟ ବାୟୁସେନାର ଅନେକ ପାଇଲଟ ପ୍ରାଣ ହରାଇଛନ୍ତି। 

ଦୁର୍ଘଟଣାର ଇତିହାସ ସତ୍ତ୍ୱେ ଆଜି ବି ମିଗ୍-୨୧ ବିଶ୍ୱର ସବୁଠୁ ପୁରୁଣା ଅପରେସନାଲ ଫାଇଟର ଜେଟ୍ ହୋଇ ରହିଛି ଓ ବିଶ୍ୱର ଅନେକ ଦେଶ ବାୟୁସେନା ଏହାକୁ ବ୍ୟବହାର କରୁଛନ୍ତି। ୧୯୬୦ ଦଶକର ସବୁଠୁ ଉନ୍ନତମାନର ଫାଇଟର ଜେଟ୍ ହେଉଛି ମିଗ୍-୨୧, ଏ ଗୁଡିକୁ ଅପଗ୍ରେଡ କରି ଭାରତୀୟ ବାୟୁସେନା ମିଗ୍-୨୧ ବାଇସନ ନାମକରଣ କରିଥିଲା। ମିଗ୍ ଫାଇଟର ଜେଟ୍ ର ଭାରତ ସବୁଠୁ ବଡ଼ ଅପରେଟର ଥିଲା। 

୧୯୬୧ ମସିହାରେ ପାକିସ୍ତାନକୁ ଧ୍ୟାନରେ ରଖି ବାୟୁସେନାରେ ଏହାକୁ ପ୍ଲାନିଂ କରାଯାଇଥିଲା ଓ ୧୯୬୪ରୁ ଏହା ଆଇଏଏଫକୁ ମିଳିବା ଆରମ୍ଭ ହୋଇଥିଲା। ୧୯୬୫ ଓ ୧୯୭୧ ଭାରତ-ପାକ୍ ଯୁଦ୍ଧର ମୋଡ ବଦଳାଇ ଦେଇଥିଲା ମିଗ୍-୨୧। ପାକିସ୍ତାନ ସହ ଯୁଦ୍ଧରେ ୧୪ ଡିସେମ୍ବର ୧୯୭୧ରେ ମିଗ୍-୨୧ ଫାଇଟର ଜେଟ୍ ରୁ ଢାକା ଗଭର୍ଣ୍ଣର ହାଉସ୍ ଉପରେ ଆକ୍ରମଣ କରାଯାଇଥିଲା। ଏହା ୧୯୭୧ ଯୁଦ୍ଧର ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା। ଗତ କାର୍ଗିଲ ଯୁଦ୍ଧରେ ମଧ୍ୟ ମିଗ୍-୨୧ ଫାଇଟର ଜେଟ୍ ତାର ଦକ୍ଷତା ଦେଖାଇଥିଲା। ତେବେ ଅପରେସନ ସିନ୍ଦୂର ମିଗ୍ -୨୧ ସ୍କ୍ୱାଡ୍ରନର ଶେଷ ଅପରେସନ ସାବ୍ୟସ୍ତ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.