ଅହମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣା ମୃତକଙ୍କ ଭୁଲ ଶବ ମାମଲା, ଜବାବ ରଖିଲେ MEA

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ ୨୩।୭: ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମୃତକଙ୍କ ଭୁଲ ଶବ ପରିଜନଙ୍କ ନିକଟକୁ ପହଞ୍ଚିଥିବା ମାମଲାରେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ବୁଧବାର ଜବାବ ରଖିଛନ୍ତି। ସେ କହିଛନ୍ତି ଆମେ ଏହି ରିପୋର୍ଟ ଦେଖିଛୁ ଓ ଆମେ ବ୍ରିଟିଶ ପକ୍ଷଙ୍କ ସହ ମିଶି କାମ କରୁଛୁ। ସେ କହିଛନ୍ତି ଯେ ଦୁଃଖଦ ଦୁର୍ଘଟଣା ପରେ ସମ୍ବଦ୍ଧିତ ଅଧିକାରୀମାନେ ପ୍ରୋଟକଲ ଓ ବୈଷୟିକ ଆବଶ୍ୟକତା ଅନୁସାରେ ପୀଡ଼ିତଙ୍କୁ ଚିହ୍ନଟ କରିଥିଲେ। 

ସବୁ ପାର୍ଥିବ ଶରୀରକୁ ଅତ୍ୟନ୍ତ ସାବଧାନତାର ସହ ମୃତକଙ୍କ ଗାରିମାକୁ ଧ୍ୟାନରେ ରଖି ଯାଞ୍ଚ କରାଯାଇଥିଲା। ଏହି ପ୍ରସଙ୍ଗରେ କୌଣସି ଚିନ୍ତାର ସମାଧାନ ନିମନ୍ତେ ଆମେ ବ୍ରିଟିଶ ଅଧିକାରୀଙ୍କ ସହ ମିଶି କାମ କରୁଛୁ। ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ଅହମଦାବାଦରେ ଏୟାର ଇଣ୍ଡିଆ ଏଆଇ-୧୭୧ଦୁର୍ଘଟଣା ପରେ ସମସ୍ତ ଶବ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ପରିଜନଙ୍କୁ ଦେଇ ଦିଆଯାଇଛି। ଏଥି ମଧ୍ୟରେ ବ୍ରିଟେନର ଦୁଇ ପୀଡ଼ିତ ପରିବାର ସେମାନଙ୍କୁ ଭୁଲ ଶବ ମିଳିଥିବା ଅଭିଯୋଗ କରିଛନ୍ତି। 


ଲଣ୍ଡନରେ ଡିଏନଏ ପରୀକ୍ଷଣ ପରେ ପରିଜନଙ୍କୁ ଏ ସମ୍ପର୍କରେ ଜଣା ପଡିବା ପରେ ଗୋଟିଏ ପରିବାର ଶବକୁ ଅନ୍ତିମ ସଂସ୍କାର କରି ନାହାନ୍ତି। ସେହିପରି ଅନ୍ୟ ଏକ ପରିବାରକୁ ମିଳିଥିବା ଶବ ସହ ଆଉ ଏକ ଶବ ମିଶିକରି ଥିବା ଅଭିଯୋଗ କରିଛନ୍ତି। ଏଣୁ ପୀଡ଼ିତଙ୍କ ପରିବାର ଭାରତ ଠିକରେ ଡିଏନଏ ମ୍ୟାଚିଂ କରିନଥିବାର ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁସାରେ କେତେକ ବ୍ରିଟିଶ ନାଗରିକଙ୍କ ଶବକୁ ଭାରତରେ ଅନ୍ତିମ ସଂସ୍କାର କରାଯାଇଛି।  ଏଥିରୁ ୧୨ ଜଣ ଯାତ୍ରୀଙ୍କ ପାର୍ଥୀବ ଶରୀର ବ୍ରିଟେନ ପଠାଯାଇଛି। 


ତେବେ ଲଣ୍ଡନରେ ରହୁଥିବା ପୀଡ଼ିତଙ୍କ ପରିବାରର ପ୍ରତିନିଧିତ୍ୱ କରୁଥିବା ଓକିଲ କହିଛନ୍ତି ଯେ ‘ଅହମଦାବାଦ ବିମାନ ଦୁର୍ଘଟଣା ପରେ ଯାତ୍ରୀଙ୍କ ଶବ କିପରି ଉଦ୍ଧାର କରାଗଲା ଓ ସେଗୁଡିକର ଚିହ୍ନଟ କିପରି ହେଲା? ଆମେ ଏବେ ତାହା ଜାଣିବାକୁ ଚେଷ୍ଟା କରୁଛୁ’। ପୀଡି଼ତଙ୍କ ପରିବାର ଏହି ମାମଲାର ଏବେ ତଦନ୍ତ ଦାବି କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ ୧୨ ତାରିଖ ଦିନ ଅହମଦାବାଦ ବିମାନ ବନ୍ଦର ନିକଟରେ ଘଟିଥିବା ବିମାନ ଦୁର୍ଘଟଣାରେ ମୋଟ ୨୬୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିମାନରେ ୧୬୯ ଜଣ ଭାରତୀୟ ଓ ୫୩ ଜଣ ବ୍ରିଟିଶ ନାଗରିକ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.