ଜୀବିକା ମିଶନ ନାଁରେ ମହାଦୁର୍ନୀତି ଘଟଣା, ଜିପିଏଲ୍ଏଫ ସଭାପତିଙ୍କ ପରେ ବିପିଏମ ଅର୍ଜୁନ ପାଲ ଗିରଫ

Published By : Prameya-News7 Bureau | June 02, 2025 IST

ନୀଳଗିରି: ଜୀବିକା ମିଶନ ଯୋଜନାରେ ଆସିଥିବା ଅର୍ଥ ହେରଫେର ଅଭିଯୋଗରେ ନୀଳଗିରି ବ୍ଲକର ବିପିଏମ ଗିରଫ। ତାଙ୍କ ପୂର୍ବରୁ ଏହି ମାମଲାରେ ଜିପିଏଲଏଫଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜୀବିକା ମିଶନ ଆସିଥିବା ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। 

ଛେଳିଚାଷ ପାଇଁ ୨୦୨୩ ମସିହାରେ ଅର୍ଥ ଧୋବଶିଳା ପଞ୍ଚାୟତରେ ବାଟମାରଣା ପ୍ରମାଣ ମିଳିବା ପରେ ଶେଷରେ ନୀଳଗିରି ବିଡ଼ିଓ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ କ୍ରମେ ଧୋବଶିଳା ଜିପିଏଲଏଫର ସଭାପତି ଗିରଫ ହୋଇଥିଲେ । ଆଉ ସୋମବାର ଜୀବିକା ମିଶନର ବିପିଏମ ଅର୍ଜୁନ ପାଲ ଗିରଫ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନୀଳଗିରି ବ୍ଲକ ଅଧିନ ଧୋବଶିଳା ପଞ୍ଚାୟତ ଜିପିଏଲ୍ଏଫର ସଭାପତି ପ୍ରଭାତୀ ସ୍ୱାଇଁ, ସମ୍ପାଦିକା ସୁମିତ୍ରା ସିଂ, ଏମବିକେ ରଶ୍ମିତା ସ ଏବଂ ତତ୍କାଳୀନ ବିପିଏମ ତଥା ଓଏଲ୍ଏମ ଅଧିକାରୀ ଅର୍ଜୁନ ପାଲ ଫଲ୍ସ ବିଲ୍ କରି ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ନିଜନିଜ ମଧ୍ୟରେ ବାଣ୍ଟି ନେଇଥିବା ପ୍ରମାଣ ମିଳିଥିଲା। ଏହାର ଏକ ଭିଡିଓ ମଧ୍ୟ ସାମନାକୁ ଆସିଥିଲା ।

ଏସଂପର୍କରେ ବିଭିନ୍ନ ଏସଏସଜି ମହିଳାମାନେ ଅଭିଯୋଗ କରି ଆସୁଥିଲେ ହେଁ ସଂପୃକ୍ତ ଅଧିକାରୀ, ସଭାପତି, ସମ୍ପାଦକ ଏବଂ ଏମବିକେ ଫାଙ୍କି ଆସୁଥିଲେ। ଏହି ଅଭିଯୋଗ ପରେ ଗତ ଏପ୍ରିଲ ୧୯ ତାରିଖରେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ନୀଳଗିରି ବିଡ଼ିଓ ବିକ୍ରମ କିଶୋର ପରିଡା ଏବଂ ଅନ୍ୟ ଅଧିକାରୀ ଧୋବଶିଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପହଁଚି ସାଂସଦଙ୍କ ସହ ଅନିୟମିତତାର ଯାଞ୍ଚ କରି ଅନିୟମିତତା ହେବା ଜାଣିବାକୁ ପାଇଥିଲେ। ଏଥିରେ ସମସ୍ତ ଜିପିଏଲ୍ଏଫ୍ ସଦସ୍ୟା ଉପସ୍ଥିତ, ସଭାପତି, ସମ୍ପାଦକ, ଏମବିକେ ଏବଂ ବିଭାଗୀୟ ଅଧିକାରୀ ଅର୍ଜୁନ ପାଲ ମଧ୍ୟ ଉପସ୍ଥିତ ରହିଥିଲେ। ସମସ୍ତଙ୍କ ଉପସ୍ଥିତିରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ସମସ୍ତେ ସ୍ଵୀକାର ମଧ୍ୟ ସ୍ବୀକାର କରିଥିଲେ।

 ତେବେ ଜୀବିକା ମିଶନ ରେ ହୋଇଥିବା ଦୁର୍ନୀତି ର ଖୋଳତାଡ଼ ହେଲେ ଆହୁରି ଅନେକ ଅଭିଯୁକ୍ତ ପଦାକୁ ଆସିବା ଭୟରେ ବ୍ଲକ ପରିସରରେ ଛନକା ପଶିବା ପରେ ଅଧିକାରୀ ଅର୍ଜୁନ ପାଲ ଖସିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ।ଶେଷରେ ନୀଳଗିରି ପୋଲିସ ଅର୍ଜୁନ ପାଲଙ୍କୁ ଗିରଫ କରିଥିବା ଜଣାପଡିଛି। ତେବେ ଆହୁରି ଦୁଇଜଣଙ୍କ ନାମରେ ଅଭିଯୋଗ ଥିବାବେଳେ ଅନ୍ୟ ପଞ୍ଚାୟତରେ ଧୋବଶିଳା ଠାରୁ ଆହୁରି ଅଧିକ ଦୁର୍ନୀତି ଥିବାବେଳେ କାଗଜପତ୍ର ସଠିକ କରିବା ସହ ଖସିଯିବା ପାଇଁ ଗଳାବାଟ କରାଯାଉଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.