କାମାକ୍ଷାନଗର: ଗତ ଗୁରୁବାର ଜମ୍ମୁ- କାଶ୍ମୀର କିସ୍ତୱାଡ଼ରେ ବାଦଲ ଫଟା ବର୍ଷା ଓ ଭୂ-ସ୍ଖଳନରେ ସହିଦ ହୋଇଥିଲେ ଓଡ଼ିଆ CISF ଯବାନ ମନୋଜ ବିଶ୍ବାଳ। ସୋମବାର ସକାଳ ସାଢ଼େ ୬ଟା ବେଳେ ମନୋଜଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରାରେ ପହଞ୍ଚିଛି। ସହିଦ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ଦେଖିବାକୁ ମିଳିଥିଲା ଶୋକାକୂଳ ପରିବେଶ। ଶହ ଶହ ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକେ ମନୋଜଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ।
ପରେ ଏକ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ମନୋଜଙ୍କ ପାର୍ଥିକ ଶରୀରକୁ ଶ୍ମଶାନକୁ ନିଆଯାଇଥିଲା। ଏହି ସମୟରେ ସମସ୍ତଙ୍କ ମୁହଁରେ ଥିଲା ମନୋଜ ଭାଇ ଅମର ରହେ ନାରା। ତେବେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସହିଦ ମନୋଜଙ୍କ ପୁତୁରା ବିଶୁ ବିଶ୍ବାଳ ମୁଖଗ୍ନୀ ଦେଇଥିଲେ। CISF ଅଧିକାରୀଙ୍କ ସମେତ ପରଜଙ୍ଗ ବିଡିଓ, ତହସିଲଦାର ଓ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ।
ସୂଚନାଥାଉକି, ଅଗଷ୍ଟ ୧୪ ତାରିଖରେ ଜମ୍ମୁ- କାଶ୍ମୀର କିସ୍ତୱାଡ଼ରେ ବାଦଲ ଫଟା ବର୍ଷା ଓ ଭୂ-ସ୍ଖଳନ ହୋଇଥିଲା। ଏହି ସମୟରେ ଜମ୍ମୁ- କାଶ୍ମୀର କିସ୍ତୱାଡ଼ର ଚିସୁଟି ଗ୍ରାମର ପାହାଡ଼ ଶିଖରରେ ଥିବା ମଚୈଳ ମାତା ମନ୍ଦିରରେ ଡ୍ୟୁଟିରେ ନିୟୋଜିତ ଥିଲେ ମନୋଜ। ହେଲେ ଭୁସ୍ଖଳନ ଯୋଗୁ ସେ ନିଖୋଜ ହୋଇଯାଇଥିଲେ। ତେବେ ରେସ୍କ୍ୟୁ ଟିମ୍ ୧୬ ତାରିଖ ଅପରାହ୍ନରେ ମନୋଜଙ୍କ ମୃତ ଶରୀର ଉଦ୍ଧାର କରିଥିଲା।
ମନୋଜ ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ CISF ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ। ଡେପୁଟେସନରେ TTPS ତାଳଚେରରୁ ଟିମର ଅନ୍ୟ ସଦସ୍ୟଙ୍କ ସହ କିସ୍ତୱାଡ଼ ଯାଇଥିଲେ।