ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ନୂଆ ଡେଣା ଲାଗିଛି । ଆଜିକୁ ମିଶାଇ ଲଗାତାର ୫ମ ଦିନରେ ବଡ଼ ବୃଦ୍ଧି ସହ ବଜାର ବନ୍ଦ ହୋଇଛି । ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ ୫୫୭ ଅଙ୍କ ଉପରକୁ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୩,୩୫୦ ସ୍ତରରେ ପହଞ୍ଚିଛି । ଚଳିତ ସପ୍ତାହରେ ଏହି ଦୁଇ ସୂଚକାଙ୍କ ପ୍ରାୟ ୪.୩ ପ୍ରତିଶତ ବଢିଛି । ଯାହା ଦୁଇ ପ୍ରମୁଖ ସୂଚକାଙ୍କର ଗତ ଚାରି ବର୍ଷରେ ସବୁଠୁ ଭଲ ସାପ୍ତାହିକ ପ୍ରଦର୍ଶନ ଅଟେ । ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କ ସମ୍ପତ୍ତି ୪.୭୮ ଲକ୍ଷ କୋଟି ଟଙ୍କା ବଢିଛି । ଛୋଟ ଓ ମଧ୍ୟମ ଧରଣର ସେୟାରରେ ମଧ୍ୟ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ମିଡ୍କ୍ୟାପ୍ ୧.୪ ପ୍ରତିଶତ ଓ ସ୍ମଲ୍କ୍ୟାପ୍ ୨ ପ୍ରତିଶତ ବଢି ବନ୍ଦ ହୋଇଛି ।
କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୫୫୭.୪୫ ଅଙ୍କ ବା ୦.୭୩ ପ୍ରତିଶତ ବଢି ୭୬,୯୦୫.୫୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସେନ୍ସେକ୍ସ ନିଫ୍ଟି ୧୫୯.୭୫ ଅଙ୍କ ବା ୦.୬୯ ପ୍ରତିଶତ ବଢି ୨୩,୩୫୦.୪୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ବଢି ୪୧୩.୩୯ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ମାର୍ଚ୍ଚ ୨୦ରେ ଏହା ୪୦୮.୬୧ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ଆଜି ପ୍ରାୟ ୩.୪୮ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୪.୭୮ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍ଇ ସେନ୍ସେକ୍ସର ୩୦ ମଧ୍ୟରୁ ୨୫ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରୁ ଏନଟିପିସି ସେୟାରରେ ସବୁଠୁ ଅଧିକ ୨.୭୮ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଇନଫୋସିସ୍ ସେୟାର ୧.୩୪ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର୍ ରହିଛି ।