ନୂଆଦିଲ୍ଲୀ : ଚୀନରୁ ଏକ ଅଜବ ଘଟଣା ଆସିଛି ସାମ୍ନାକୁ। ଡାକ୍ତରମାନେ ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତନଳୀରେ ଏକ ଟୁଥବ୍ରଶ୍ ପାଇଛନ୍ତି। ଯାହାକୁ ସେ ମାତ୍ର ୧୨ ବର୍ଷ ବୟସରେ ଗିଳି ଦେଇଥିଲେ। କିନ୍ତୁ ବଡ଼ କଥା ହେଉଛି ଏହା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ନକରି ୫୨ ବର୍ଷ ପର୍ଯ୍ୟନ୍ତ ସେ ଅନ୍ତନଳୀରେ ଫସି ରହିଥିଲା। ନିୟମିତ ଚେକଅପ୍ ସମୟରେ ଅନ୍ତନଳୀରେ ଫସି ରହିଥିବା ଏହି ବ୍ରଶ୍ ବିଷୟରେ ଜାଣିବାକୁ ପାଇଥିଲେ।
ୟାଙ୍ଗ ନାମକ ଜଣେ ବ୍ୟକ୍ତି କହିଛନ୍ତି, ସେ ପେଟରେ କିଛି ଥିବା ଅନୁଭବ କଲେ। ସେଥିପାଇଁ ସେ ଡାକ୍ତରଙ୍କ ପାଖକୁ ଗଲେ। ସେଠାରେ ଅନେକ ପରୀକ୍ଷା ପରେ ଡାକ୍ତର ୧୭ ସେମି ଲମ୍ବର ଟୁଥବ୍ରଶ୍ ବାହାର କରିଥିଲେ। ୟାଙ୍ଗ ସେମାନଙ୍କୁ କହିଲେ ଯେ ସେ ୧୨ ବର୍ଷ ବୟସରେ ଏହାକୁ ଗିଳି ଦେଇଥିଲେ। କିନ୍ତୁ ସେ ଭୟରେ ତାଙ୍କ ବାପାମାଙ୍କୁ କିଛି କହିଲେ ନାହିଁ। ୟାଙ୍ଗ ଭାବିଥିଲେ ଏହା ଆପେ ଆପେ ବାହାରିଯିବ। କିନ୍ତୁ ୫୨ ବର୍ଷ ଧରି ଏହିପରି ବଞ୍ଚିଥିଲେ ଏବଂ ଏହା ବିଷୟରେ ଭୁଲି ଯାଇଥିଲେ।
ଡାକ୍ତରମାନେ ଦେଖିଲେ ଯେ ଟୁଥବ୍ରଶ୍ ତାଙ୍କ ଅନ୍ତନଳୀରେ ଫସି ରହିଛି। ସେମାନେ ଏକ ଏଣ୍ଡୋସ୍କୋପିକ୍ ଅସ୍ତ୍ରୋପଚାର କରି ୮୦ ମିନିଟ୍ ପ୍ରକ୍ରିୟା ପରେ ଏହାକୁ ବାହାର କଲେ। ଡାକ୍ତର କହିଛନ୍ତି ଯେ ଏହା ଗତ ତିନି ବର୍ଷ ମଧ୍ୟରେ ମାନବ ଶରୀରରୁ ବାହାର କରାଯାଇଥିବା ସବୁଠାରୁ ଲମ୍ବା ବସ୍ତୁ ଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଟୁଥବ୍ରଶ୍ ଏତେ ବର୍ଷ ଧରି ଅନ୍ତନଳୀର ଗୋଟିଏ ଅଂଶରେ ଫସି ରହିଥିଲା। କିନ୍ତୁ ଏହି କାରଣରୁ ୟାଙ୍ଗ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇନଥିଲେ।
ଡାକ୍ତର କହିଛନ୍ତି ଯେ, ଏହି ଟୁଥବ୍ରଶ୍ ଅନ୍ତନଳୀର ଭିତର ଟିସୁକୁ ଘୂରାଇପାରେ, ଚାପିପାରେ ଏବଂ ଫୋଟକା କରିପାରେ। ଏମିତି କି ଏହା ଅନ୍ତନଳୀର ଛିଦ୍ର ସୃଷ୍ଟି କରିପାରେ ଆଉ ମୃତ୍ୟୁର କାରଣ ହୋଇପାରେ। କିନ୍ତୁ ସୌଭାଗ୍ୟବଶତଃ, ୟାଙ୍ଗଙ୍କ କ୍ଷେତ୍ରରେ ସେମିତି କିଛି ଅସୁବିଧା ସୃଷ୍ଟି କରି ନଥିଲା। ୟାଙ୍ଗଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଖବର ଜାଣିବା ପରେ ସୋସିଆଲମିଡିଆରେ ଅନେକ କମେଣ୍ଟ କରିଛନ୍ତି, କହିଛନ୍ତି ସେ କେତେ ଭାଗ୍ୟବାନ।