ନୂଆଦିଲ୍ଲୀ : ମାଲେଗାଓଁ ବିସ୍ଫୋରଣ ମାମଲାରେ ଖଲାସ ହେବା ପରେ ବିଜେପିର ପୂର୍ବତନ ସାଂସଦ ପ୍ରଜ୍ଞା ଠାକୁର ଦେଇଛନ୍ତି ବିସ୍ଫୋରକ ବୟାନ। ସେ ତଦନ୍ତ ଅଧିକାରୀଙ୍କ ଉପରେ ବଡ଼ ଅଭିଯୋଗ ଲଗେଇ କହିଛନ୍ତି ଯେ, ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ଅନ୍ୟମାନଙ୍କ ନାମ ନେବା ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ।
ଏନଆଇଏ'ର ସ୍ପେଶାଲ କୋର୍ଟ ଗୁରୁବାର (୩୧ ଜୁଲାଇ ୨୦୨୫) ପ୍ରଜ୍ଞା ସିଂହ ଠାକୁର ଓ ଲେଫ୍ଟିନାଣ୍ଟ କର୍ଣ୍ଣଲ୍ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଜଣ ଅଭିଯୁକ୍ତଙ୍କୁ ଖଲାସ କରିଥିଲେ। କୋର୍ଟ କହିଥିଲେ ଯେ,ସେମାନଙ୍କୁ (ଅଭିଯୁକ୍ତଙ୍କୁ) ଦୋଷୀ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ଏହି ମାମଲାରେ ମୋଟ ୧୪ଜଣ ଲୋକଙ୍କୁ ଗିରଫ କରାଯାଇ ଥିଲା, କିନ୍ତୁ କେବଳ ସାତ ଜଣ ଲୋକଙ୍କ ବିରୁଦ୍ଧରେ ବିଚାର ଚାଲିଥିଲା। କାରଣ ଅବଶିଷ୍ଟ ସାତ ଜଣଙ୍କୁ ଚାର୍ଜ ଫ୍ରେମ୍ ସମୟରେ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
ପ୍ରଜ୍ଞା ଠାକୁର ଶନିବାର ( ୨ ଅଗଷ୍ଟ ୨୦୨୫) ଦିନ କହିଥିଲେ , ସେମାନେ ମୋତେ ଅନେକ ଲୋକଙ୍କ ନାମ ନେବାକୁ କହିଥିଲେ , ଯେଉଁଥିରେ ଥିଲେ ବିଜେପିର ବରିଷ୍ଠ ନେତା ରାମ ମାଧବ। ସେମାନେ ଏସବୁ କରିବା ପାଇଁ ମୋତେ ନିର୍ଯାତନା ଦେଇଥିଲେ। ମୋତେ ବେଆଇନ ଭାବରେ ହସ୍ପିଟାଲରେ ଅଟକ ରଖାଯାଇଥିଲା। ମୁଁ ଗୁଜରାଟରେ ରହୁଥିଲି ,ତେଣୁ ସେମାନେ ମୋତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନେବାକୁ ମଧ୍ୟ କହିଥିଲେ। ମୁଁ କାହାରି ନାମ ନେଇ ନଥିଲି ,କାରଣ ସେମାନେ ମୋତେ ମିଛ କହିବାକୁ ବାଧ୍ୟ କରୁଥିଲେ।
ପ୍ରଜ୍ଞା ଠାକୁରଙ୍କ ଏହି ଦାବି ମାମଲାର ରାୟ ଆସିବା ପରେ ଆସିଛି, ଯେଉଁଥିରେ ଜଣେ ସାକ୍ଷୀ ଯିଏ ଦାବି କରିଥିଲେ ଯେ,ତାଙ୍କୁ ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ସହ ଜଡିତ ଅନ୍ୟ ଚାରି ଜଣଙ୍କୁ ଫସାଇବାକୁ ବାଧ୍ୟ କରାଯାଇ ଥିଲା। ଏଥିରେ ବରିଷ୍ଠ ଆରଏସଏସ ସଦସ୍ୟ ଇନ୍ଦ୍ରେଶ କୁମାରଙ୍କ ନାମ ମଧ୍ୟ ସାମିଲ ଥିଲା।
କଣ ଥିଲା ମାଲେଗାଓଁ ବିସ୍ଫୋରଣ ମାମଲା –
୨୦୦୮ ମସିହାରେ ଏହି ବହୁ ଚର୍ଚ୍ଚିତ ମାଲେଗାଓଁ ବିସ୍ଫୋରଣ ଘଟଣା ଘଟିଥିଲା। ଦେଶରେ ସବୁଠୁ ଦୀର୍ଘ ଦିନ ଧରି ଚାଲି ଥିଲା ମାମଲା ମଧ୍ୟରେ ଥିଲା ଏହି ଆତଙ୍କବାଦୀ ମାମଲା। ଉକ୍ତ ଘଟଣାରେ ସାତ ଜଣଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଅଧିନିୟମ ଅନୁସାରେ , ଆତଙ୍କବାଦୀ କାର୍ଯ୍ୟକୁ ବୃଦ୍ଧି କରାଇବା ନେଇ, ଆଇପିସି ଅନୁସାରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ବିଚାର ଚାଲିଥିଲା। ମୁମ୍ୱାଇ ଠାରୁ ପାଖାପାଖି ୨୦୦ କିଲୋମିଟର ଦୂର ମାଲେଗାଓଁର ସହରରେ ୨୯ ସେପ୍ଟେମ୍ୱର ୨୦୦୮ରେ ଏକ ମସଜିଦ ପାଖରେ , ଏକ ମୋଟର ସାଇକେଲରେ ବନ୍ଧା ହୋଇଥିବା ବିସ୍ଫୋରକ ଉପକରଣର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଛଅ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୧ ଜଣ ଆହତ ହୋଇଥିଲେ।