୨୭୦ ବର୍ଷ ପରେ କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରରେ ହେଲା ମହାକୁମ୍ଭାଭିଷେକ

Published By : Prameya-News7 Bureau | June 08, 2025 IST

ତିରୁଅନନ୍ତପୁରମ ୮।୬: କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରରେ ରବିବାର ମହାକୁମ୍ଭାଭିଷେକମ ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ୨୭୦ ବର୍ଷ ପରେ ଏହି ଭବ୍ୟ ଅଭିଷେକ ଆୟୋଜିତ ହୋଇଛି। ଦୀର୍ଘ ସମୟ ଧରି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିଲା। ମନ୍ଦିରର ପୁନରୁଦ୍ଧାର ସରିବା ପରେ ଏହି ଅନୁଷ୍ଠାନ ହୋଇଛି। ଏଥିପାଇଁ ସକାଳେ ତିରୁମ୍ଭବାଡ଼ି ଶ୍ରୀକୃଷ୍ଣ ମନ୍ଦିରର ଗର୍ଭ ଗୃହ ଉପରେ ଥିବା ୩ଟି ଗମ୍ବୁଜକୁ ସମର୍ପିତ କରାଯିବା ସହ ବିଶ୍ୱକେସନ ମୂର୍ତ୍ତିର ପୁନଃ ସ୍ଥାପନା ହୋଇଛି। ଏହି କାର୍ଯ୍ୟ ରବିବାର ସକାଳ ୭ଟା ୪୦ରୁ ୮ଟା ୪୦ ମଧ୍ୟରେ ଶୁଭ ମୂହୂର୍ତ୍ତରେ ଅନୁଷ୍ଠିତ ହୋଇଛି। 

ଅନୁଷ୍ଠାନ ପୂର୍ବରୁ ତ୍ରାଭଣକୋର ରାଜପରିବାରର ମୁଖ୍ୟ ମୂଲମ ଥିରୁନଲ ରାମ ବର୍ମା ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହା ପରେ ମନ୍ଦିରର ମୁଖ୍ୟପୂଜାରୀ ରାଜପରିବାରଙ୍କ ଉପସ୍ଥିତିରେ ଅଷ୍ଟବନ୍ଧ କଳଶମ କରିଥିଲେ। ଏହି ଅବସରରେ ଯେଉଁ ବିଶ୍ୱକେସନ ମୂର୍ତ୍ତିର ପୁନଃ ସ୍ଥାପନା ହୋଇଛି ତାହା ଅନୁନ୍ୟ ୩୦୦ ବର୍ଷ ପ୍ରାଚୀନ। ନିକଟରେ ଏହାର ପୁନରୁଦ୍ଧାର ହୋଇଥିଲା। ମୂର୍ତ୍ତି ପୁଣି ଥରେ ସ୍ଥାପିତ ହେବା ପରେ ଶୋଭାଯାତ୍ରା ବାହାରିଥିଲା ଓ ନାରାୟଣ ମନ୍ତ୍ର ଜପ ହୋଇଥିଲା। 

ଏହି ଦୁର୍ଲଭ ଅନୁଷ୍ଠାନ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନେ ପଦ୍ମନାଭ ସ୍ୱାମୀ ମନ୍ଦିରକୁ ପହଞ୍ଚିଛନ୍ତି। ଏଥି ପାଇଁ ସକାଳଠୁ ମନ୍ଦିରରେ ଭକ୍ତଙ୍କ ଦେଖାଯାଇଥିଲା। ଏହି ଅବସରରେ ପଦ୍ମନାଭ ସ୍ୱାମୀଙ୍କ ଦର୍ଶନ ନିମନ୍ତେ କେରଳ ରାଜ୍ୟପାଳ ମଧ୍ୟ ପହଞ୍ଚିଥିଲେ। ମନ୍ଦିର ଅଧିକାରୀଙ୍କ ଅନୁସାରେ ଏହି ମହାକୁମ୍ଭାଭିଷେକମର ମୁଖ୍ୟ ଉଦ୍ଦେଶ୍ୟ ମନ୍ଦିରର ପବିତ୍ରତାକୁ ପୁଣି ଜାଗୃତ କରିବା ଓ ଆଗାମୀ ଅନେକ ଦଶନ୍ଧୀ ଧରି କୁମ୍ଭାଭିଷେକମର କୌଣସି ସମ୍ଭାବନା ନାହିଁ। ଉଲ୍ଲେଖଯୋଗ୍ୟ ଯେ ମନ୍ଦିରର ପୁନରୁଦ୍ଧାର କାମ ୨୦୧୭ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ ପ୍ୟାନେଲ ନିର୍ଦ୍ଦେସାନୁସାରେ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.