ଗୁପ୍ତ ଉପଚାରରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୁରତୀ, ଅଣବସରର ଦଶମୀ ତିଥିରେ ଚକାବିଜେ ନୀତି

Published By : Prameya-News7 Bureau | June 20, 2025 IST

ପୁରୀ ୨୦/୦୬: ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର। ଆଜି ଅଣବସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ । ଅର୍ଥାତ୍‌ ଜାଗ୍ରତ ଅବସ୍ଥାକୁ ଆସିବେ ଦାରୁବ୍ରହ୍ମ । ଦଇତା ପତି ଗୋଷ୍ଠୀଗତଭାବେ ଠାକୁରଙ୍କ ଏହି ସେବା କରିବେ । 

ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ । ଏହାକୁ ସେବନ କଲାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ସେବକଙ୍କ ନିଷ୍ଠାପର ସେବା ଯତ୍ନରେ  ଆରୋଗ୍ୟ ଲାଭ କରୁଛନ୍ତି ମହାପ୍ରଭୁ । ପଞ୍ଚମୀରେ  ଫୁଲୁରୀ ତେଲ ଲାଗି ହୋଇ ଠାକୁରେ ଉପଶମ ଲଭିଲେ । ପରେ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ  ଲାଗି କରାଯାଇଥିଲା । ଆଜି ଚକା ବିଜେ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ  ହୋଇଛି । 

ତ୍ରୟୋଦଶ ଶତାଦ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ତେବେ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । 

ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ୱାସ ରହିଛି। ସେପଟେ ରଥଯାତ୍ରା ଆଉ ମାତ୍ର ୭ ଦିନ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.