ମଧ୍ୟପ୍ରଦେଶ କଂଗ୍ରେସ ନେତା କମଲ ନାଥଙ୍କ ବଡ଼ ବିଜୟ, ୩୬ ହଜାରରୁ ଅଧିକ ଭୋଟ୍‌ରେ ଜିତିଲେ

Published By : Prameya-News7 Bureau | December 03, 2023 IST

ଭୋପାଳ: ମଧ୍ୟ ପ୍ରଦେଶରେ ପୁଣିଥରେ ବିଜେପି ସରକାର ଆସିବାକୁ ଯାଉଛି। ଗତ ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ହେଲେ ବିଜେପି ଘୋଡ଼ା ବେପାର କରି ସେଠାରେ ସରକାର ଗଢିଥିଲା। ଏଥର ବିଜେପି ଲୋକଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି। ଦଳକୁ ବହୁମତ ମିଳିଛି।

କଂଗ୍ରେସ ଏଠାରେ ପରାଜିତ ହୋଇଥିଲେ ବି ଦଳର ରାଜ୍ୟ ଅଧ୍ୟକ୍ଷ କମଲ ନାଥ କିନ୍ତୁ ଏଠାରେ  ୩୬,୫୯୪ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଛିନ୍ଦୱାରା ନିର୍ବାଚନ ମଣ୍ଡଳୀରେ ମୋଟ ୧,୩୨,୩୦୨ ଭୋଟ ପଡ଼ିଥିଲା। ସେଥିରୁ କମଲ ୩୬ ହଜାରୁ ଅଧିକ ଭୋଟ ମିଳିଛି।   

ଇଲେକ୍ସନ କମିଶନଙ୍କ ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ମଧ୍ୟ ପ୍ରଦେଶର ଖବର ଲେଖାଯିବା ସୁଦ୍ଧା ବିଜେପି ୧୪୭ ଆସନରେ ବିଜୟୀ ହୋଇଥିବା ବେଳେ ୧୭ ଆସନରେ ଆଗୁଆ ରହିଛି। କଂଗ୍ରେସ ୫୧ ଆସନରେ ବିଜୀୟ ହୋଇଥିବା ବେଳେ ୧୪ ଆସନରେ ଆଗୁଆ ରହିଛି।  

ଏହା ପୂର୍ବରୁ ରାଜ୍ୟରେ ପରାଜୟ ନେଇ ପ୍ରତିକ୍ରିୟା ଦେଇଥିଲେ କମଲ ନାଥ। ରାଜ୍ୟରେ ନିର୍ବାଚନରେ ଦଳ କାହିଁକି ହାରିଲା ସେ ନେଇ ସମୀକ୍ଷା କରିବେ ବୋଲି କମଲ ନାଥ ଏକ୍ସରେ ପୋଷ୍ଟ କରି ଲେଖିଥିଲେ।

ପଢ଼ନ୍ତୁ-ତିନି ରାଜ୍ୟରେ ବିଜୟ ୨୦୨୪ରେ ବି ହ୍ୟାଟ୍ରିକ୍‌ର ଗ୍ୟାରେଣ୍ଟି…ପିଏମ୍ ମୋଦୀଙ୍କ ବଡ଼ ସନ୍ଦେଶ

କମଲ ନାଥ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ନିର୍ବାଚନ ଫଳାଫଳରେ ମଧ୍ୟପ୍ରଦେଶର ଜନତାଙ୍କ ନିଷ୍ପତ୍ତିକୁ ମୁଁ ଗ୍ରହଣ କରୁଛି। ଆମକୁ ବିରୋଧୀ ଦଳରେ ବସିବାର ଦାୟିତ୍ୱ ଦିଆଯାଇଛି ଏବଂ ଆମେ ଆମର ଦାୟିତ୍ୱ ତୁଲାଇବୁ। ବର୍ତ୍ତମାନ ମଧ୍ୟପ୍ରଦେଶ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ପ୍ରଶ୍ନ ହେଉଛି ମଧ୍ୟପ୍ରଦେଶର ଯୁବକଙ୍କ ଭବିଷ୍ୟତ ସୁରକ୍ଷିତ ରହିବା ଉଚିତ ଏବଂ ଆମର କୃଷକମାନେ ସମୃଦ୍ଧ ହେବା ଉଚିତ୍।”

ସେହିପରି ବିଜେପିକୁ ବଧେଇ ଜଣାଇ କମଲ ନାଥ କହିଛନ୍ତି “ମୁଁ ଭାରତୀୟ ଜନତା ପାର୍ଟିକୁ ଅଭିନନ୍ଦନ ଜଣାଉଛି। ମୁଁ ଆଶା କରୁଛି ଯେ ଜନସାଧାରଣ ତାଙ୍କଠାରେ ଦେଖାଇଥିବା ବିଶ୍ୱାସକୁ ସେମାନେ ପୂରଣ କରିବାକୁ ଚେଷ୍ଟା କରିବେ। ଆପଣ ସମସ୍ତଙ୍କର ମନେଥିବ ଯେ ମୁଁ କେବି ବି ସିଟ୍ ଘୋଷଣା କରି ନଥିଲି। ମୁଁ ସବୁବେଳେ କହିଥିଲି ଯେ ମୋତେ ମଧ୍ୟପ୍ରଦେଶର ଭୋଟରଙ୍କ ଉପରେ ମୋର ବିଶ୍ୱାସ ଅଛି, ଏବଂ ଆଜି ମଧ୍ୟ ମୁଁ କହିବି ଯେ ମଧ୍ୟପ୍ରଦେଶର ଭୋଟରଙ୍କ ଉପରେ ମୋର ବିଶ୍ୱାସ ଅଛି। ମୁଁ ସମସ୍ତ ପରାଜିତ ପ୍ରାର୍ଥୀ ଓ ଜିତିଥିବା ବିଧାୟକଙ୍କ ସହ ଏହାର ସମୀକ୍ଷା କରିବି ଯେ କେଉଁ କାରଣରୁ ଆମେ ମଧ୍ୟପ୍ରଦେଶର ଭୋଟରଙ୍କୁ ଆମେ ବୁଝାଇପାରିଲୁ ନାହିଁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.