୨୦ ପରେ ଆଗେଇବ ମୌସୁମୀ, ୨ରୁ ୩ ଦିନ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

Published By : Prameya-News7 Bureau | June 15, 2025 IST

ଭୁବନେଶ୍ୱର ୧୫।୦୬ : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି ।  କିନ୍ତୁ ଏହା ଆଗକୁ ଅଗ୍ରସର ହେଉନି ।  ୧୮ ଦିନ ତଳେ ଯେଉଁଠି ଥିଲା ଏବେ ବି ସେଇଠି ରହିଛି । ମୌସୁମୀ   ଅଗ୍ରସର ରେଖା ଭବାନୀପାଟଣା- ପୁରୀରୁ ଉପରକୁ ଉଠୁନି । ତେବେ ଆଗକୁ ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ମୌସୁମୀକୁ ଅଗ୍ରସର କରାଇବାକୁ ଅନୁକୂଳ ସ୍ଥିତି ସୃଷ୍ଟି   କରିବ ବୋଲି ଭାରତୀୟ ପାଣିପାଗ   ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । 

ଶ୍ରୀ ମହାପାତ୍ର ଆକଳନ କରି କହିଛନ୍ତି, ଆସନ୍ତା ୨ରୁ ୩ ଦିନରେ ରାଜ୍ୟତମାମ ଅଧିକ ବର୍ଷା ହେବ ।  ଦକ୍ଷିଣ ଓଡ଼ିଶାରେ ମୌସୁମୀ ବର୍ଷା ହେଉଛି । ଆଗକୁ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହେବ । ଆଗକୁ ପାଣିପାଗ ପୂର୍ବାନୁମାନକୁ ଆହୁରି କ୍ରିୟାଶୀଳ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ରୟୋଗ କରାଯିବ । ଏହା ପୂର୍ବାପେକ୍ଷା ଠିକ୍‌ ପୂର୍ବାନୁମାନ କରିବ । ଏହାଲୋକଙ୍କୁ ତ୍ୱରିତ୍‌ ଓ ରିଅଲ ଟାଇମ୍‌ ପୂର୍ବାନୁମାନ ଦେବ । ଏବେ ମୌସୁମ ମୋବାଇଲ ଆପସ୍‌ ଜରିଆରେ ଲୋକେ ପଞ୍ଚାୟତସ୍ତରରେ ପାଣିପାଗ ପୂର୍ବାନୁମାନ ପାଉଛନ୍ତି। ପ୍ରତି ଗାଁ ସ୍ତରରେ ତ୍ୱରିତ୍‌ ପାଣିପାଗ ପୂର୍ବାନୁମାନ ପହଞ୍ଚାଇବାକୁ ଆମେ କାମ କରୁଛୁ ।  ଆସନ୍ତା ୫ ବର୍ଷରେ ମିଶନ ମୌସମ୍‌ ଅଧିକ କ୍ରିୟାଶୀଳ ହେବ  ବୋଲି ସେ କହିଛନ୍ତି ।

ଆଇଏମ୍‌ଡିର ପୂର୍ବାନୁମାନ କହୁଛି, ଆସନ୍ତା ୨୦ ତାରିଖ ପରେ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ମୌସୁମୀ ଅଗ୍ରସର ହେବ । ତେବେ ରବିବାର  ଗଜପତି, ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  

ସୋମବାର ବା ୧୬ ତାରିଖ ସୁନ୍ଦରଗଡ଼ ଓ କେନ୍ଦୁଝରରେ   ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏଥିପାଇଁ ପାଣିପାଗ  ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, ବାଲେଶ୍ୱର,  ଭଦ୍ରକ, ଯାଜପୁର, ଢେଙ୍କାନାଳ, ଗଜପତି, ରାୟଗଡ଼ା ଓ  କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା   ସମ୍ଭାବନା ଅଛି । ୧୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ କୋରାପୁଟରେ   ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି ଓ  ଜଗତସିଂହପୁରରେ ଅଧିକ ବର୍ଷା ହୋଇପାରେ ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.