ସାଲେପୁର ୩।୬: ସାଲେପୁର ପୋଲିସକୁ ଡକାୟତଙ୍କ ଖୋଲା ଚାଲେଞ୍ଜ । ଗତ କିଛି ଦିନ ଧରି ସାଲେପୁର ଅଞ୍ଚଳରେ ଲୁଟ୍, ଡକାୟତି, ରାହାଜାନି, ଛିନତାଇ ପୋଲିସର ନିଦ ହଜାଇ ଦେଇଛି । କିଛି ଦିନ ନୀରବ ରହିବା ପରେ ପୁଣି ଲୁଟେରା ମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍ପାଟ୍ କରୁଛନ୍ତି । ସେହି ପୁରୁଣା ଷ୍ଟାଇଲରେ ସିଡିଘର ଦେଇ ଘରେ ପଶି ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ନାନ୍ଦୋଳ ବଜାର ନିକଟରେ ରହୁଥିବା ଜୟନ୍ତୀ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମାନି ସିଂଙ୍କ ଘରୁ ଲୁଟ୍ ହୋଇଛି । ତାଙ୍କ ସିଡ଼ିଘର ଦେଇ ଲୁଟେରା ମାନେ ଘର ଭିତରକୁ ପଶିଥିଲେ । ଘର ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହିତ ଏକ ଧାରୁଆ କଟୁରୀ ଦେଖାଇ ଭୟଭୀତ କରିଥିଲେ । ଲୁଟେରା ମାନେ ଘରଲୋକ ପିନ୍ଧିଥିବା ଗୋଟିଏ ସୁନା ମଙ୍ଗଳ ସୂତ୍ର, ୨ ହଳ କାନ ଫୁଲ, ୨ ହଳ ସୁନା ଶଙ୍ଖା ସହିତ ୧୫ ହଜାର ଟଙ୍କା ନେଇ ପଳାଇଥିଲେ । ଯିବାବେଳେ ପୋଲିସକୁ ଚାଲେଞ୍ଜ ଦେଇ କହିଯାଇଥିଲେ, ଆମେ ପୁଣି କାଲି ଆସି ତୁମ କଥା ବୁଝିବୁ ।
ସେହି ରାତିରେ କଟକ ସାଲେପୁର ମୁଖ୍ୟ ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପ୍ରୁ ଲୁଟ୍ ହୋଇଥିଲା । ମୁଖା ପିନ୍ଧା ଲୁଟେରା ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକ ଦେବା ସହ ବନ୍ଧୁକ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ସେମାନଙ୍କ ଠାରୁ ନଗଦ ୬୦ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ୍ ଲୁଟ୍ କରି ସମାନ ଢଙ୍ଗରେ ଧମକ ଦେଇ ଫେରାର ହୋଇଯାଇଥିଲେ । ୩ଟି ବାଇକ୍ରେ ୬ ଜଣ ଡକାୟତ ଆସିଥିବା ଜଣାପଡିଛି । ଉଭୟ ସ୍ଥାନରେ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଖବର ଲେଖାହେବା ବେଳକୁ ପୋଲିସ କାହାରିକୁ ଧରିବାରେ ସଫଳ ହୋଇନଥିବା ସୂଚନା ମିଳିଛି ।
You Can Read:
ସୁନ୍ଦରଗଡ଼ରୁ ୪ ଟନ୍ ବିସ୍ଫୋରକ ଲୁଟ୍ ଘଟଣା : ଗୋଦାମ ମାଲିକ ଗିରଫ ସୂଚନା, ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା