ପାଟନା: ୨୪ ଘଣ୍ଟାରେ ୪ ଜଣଙ୍କୁ ଗୁଳି କରି ହତ୍ୟା। ବିହାରର ଗୁଳିକାଣ୍ଡ ଥମିବାର ନାଁ ନେଉନି। ରବିବାର ପାଟନାର ସୁଲତାନପୁର ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ପୁଣି ଜଣେ ଓକିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ୫୮ ବର୍ଷୀୟ ଜିତେନ୍ଦ୍ର କୁମାର ମହତୋ। ଗୁଳି କରିଥିବା ଅପରାଧୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ପୂର୍ବ ପାଟନା ଏସପି ପରିଚୟ କୁମାରଙ୍କ ସୂଚନା ଅନୁଯାୟୀ, ଜିତେନ୍ଦ୍ର ମହତୋ ଚା’ ପିଇ ଫେରୁଥିବା ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ତିନୋଟି ଗୁଳି ସେଲ୍ ଜବତ କରାଯାଇଛି। ଏବଂ ସବୁ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ ଚାଲିଛି ବୋଲି ଏସ୍ପି କହିଛନ୍ତି।
ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ମାହତୋ ପେଶାରେ ଜଣେ ଓକିଲ । ହେଲେ ସେ ଗତ ଦୁଇ ବର୍ଷ ଧରି ସେତେଟା ସକ୍ରିୟ ଭାବେ ଆଇନ ଅଭ୍ୟାସ କରୁ ନ ଥିଲେ। ତାଙ୍କ ପରିବାର ଲୋକଙ୍କ କହିବା କଥା ହେଲା ସେ ପ୍ରତିଦିନ ସେହି ସ୍ଥାନକୁ ଚା’ ପିଇବା ପାଇଁ ଯାଆନ୍ତି। ଆଜି ବି ଚା’ ପିଇବାକୁ ଆସିଥିଲେ। ଫେରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆଟାକ୍ କରିଥିଲେ ବୋଲି ଏସ୍ପି କହିଛନ୍ତି।
ପାଟନା ସିଟି ଏଏସ୍ପି ଅତୁଲେଶ ଝା ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସୁଲତାନପୁର ପୋଲିସ ଟିମ୍ ବର୍ତ୍ତମାନ ମାମଲାର ତଦନ୍ତ କରୁଥିବା ବେଳେ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) କୁ ସୂଚନା ଦିଆଯାଇଛି। ପୋଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭ ଫୁଟେଜ୍ ଯାଞ୍ଚ କରିବା ଆରମ୍ଭ କରିଛି।
ଆଶ୍ଚର୍ଯ୍ୟର କଥା ହେଲା ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ବିହାରରେ ତିନୋଟି ଗୁଳିକାଣ୍ଡ ଘଟିଲାଣି। ଯାହା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପୂର୍ବରୁ ଶନିବାର ବି ଶୀତାମାରି ଜିଲ୍ଲା ମେହଶୁଲ ଚୌକ୍ରେ ପୁଟୁ ଖାନ ନାମକ ଜଣେ ବ୍ୟବସାୟୀଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରାଗଲା। ଏହାର କିଛ ସମୟ ପରେ ପାଟନା ଜିଲ୍ଲା ଶେଖପୁର ଗାଁରେ ଜଣେ ପଶୁଚିକିତ୍ସକ ୫୦ ବର୍ଷୀୟ ଡାକ୍ତର ସୁରେନ୍ଦ୍ର କୁମାରଙ୍କୁ ମଧ୍ୟ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ।
ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପାଟନାର ରାମକୃଷ୍ଣପୁର ଏରିଆରେ ଜଣେ ତେଜରାତି ଦୋକାନୀ ବିକ୍ରମ ଝାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହି ସମସ୍ତ ମାମଲାରେ ତଦନ୍ତ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଜଣଙ୍କୁ ବି ଗିରଫ କରିବାରେ ସଫଳ ହୋଇ ନାହିଁ।