ଶିମଲା ୯।୭: ହିମାଚଳ ପ୍ରଦେଶରେ ଲଗାତାର ଚାଲିଥିବା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ରାଜ୍ୟରେ ଲଗାତାର ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ଫଳରେ ୧୭୪ଟି ସଡ଼କରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ଦ ପଡିଥିବା ସଡକ ମଧ୍ୟରେ ଗୋଟିଏ ଜାତୀୟ ରାଜପଥ ମଧ୍ୟ ରହିଛି। ଲଗାଣ ବର୍ଷାରେ ମଣ୍ଡି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ୧୩୬ଟି ସଡକ ଏବେ ଯାତାୟାତ ଯୋଗ୍ୟ ନଥିବା ବେଳେ ନ୍ୟାସନାଲ ହାଇୱେରେ ମଧ୍ୟ ବାହନ ଯାତାୟାତ ବନ୍ଦ ରହିଛି।
ବର୍ଷା ଯୋଗୁ ରାଜ୍ୟର ୭୫୫ଟି ପେୟ ଜଳ ଯୋଜନା ମଧ୍ୟ ଅଚଳ ହୋଇପଡିଛି। ଏଥିରେ କାଙ୍ଗଡା ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ଦୟନିୟ ହୋଇପଡିଛି। ବୁଧବାର ସୁଦ୍ଧା ଜିଲ୍ଲାର ୬୦୩ଟି ପେୟଜଳ ଯୋଜନା ଅଚଳ ଥିବାର ଜଣାପଡିଛି। ଏଥିରୁ ଧର୍ମଶାଳା ଉପମଣ୍ଡଳରେ ୪୬୬ଟି ପେୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ନୁରପୁରରେ ୬୪ ଓ ଦେହେରାରେ ୭୩ ଯୋଜନା ଏବେ ଲୋକଙ୍କୁ ଜଳ ଯୋଗାଇ ପାରୁ ନାହିଁ। ମଣ୍ଡିରେ ମଧ୍ୟ ୧୩୭ଟି ପେୟ ଜଳ ଯୋଜନା ବନ୍ଦ ହୋଇଯାଇଛି।
ହିମାଚଳ ପ୍ରଦେଶରେ ୧୬୨ଟି ଟ୍ରାନ୍ସ,ଫର୍ମରରୁ ବିଦ୍ୟୁତଯୋଗାଣ ବ୍ୟହତ ହୋଇଥିବା ବେଳେ ମଣ୍ଡିରେ ୧୫୧ଟି ଟ୍ରାନ୍ସଫର୍ମର ଅଚଳ ହୋଇପଡିଛି। ଗତ ୨୪ ଘଣ୍ଟାରେ ସବୁଠୁ ଅଧିକ ବର୍ଷା ସିରମୋରର ନାହନରେ ରେକର୍ଡ ହୋଇଛି। ଏଠାରେ ପାଖାପାଖି ୭୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ଛଡା ନଙ୍ଗଲ ଡ୍ୟାମ, ଦୌଲତପୁର, ଦେହେରା ଗୋପିପୁର, ଓଲିଣ୍ଡା, ରୋହଡୁ ଓ ଗୋହରରେ ମଧ୍ୟ ଭଲ ବର୍ଷା ହୋଇଥିବାର ଜଣାପଡିଛି।
ପାଣିପାଗ ବିଜ୍ଞାନ ବିଭାଗ ୧୫ଜୁଲାଇ ପର୍ଯ୍ୟନ୍ତ ବର୍ଷା ଚେତାବନୀ ଜାରି କରିଛି। ଏଥିରେ ୧୦,୧୩,୧୪ ଓ ୧୫ ଜୁଲାଇରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷା ଯୋଗୁ ଭୂ-ସ୍ଖଳନ ଓ ବନ୍ୟା ଭଳି ପରିସ୍ଥିତି ଉପୁଜିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ହୋଇଥିବା ମୌସୁମୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୯ ଜଣ ଆହତ ଓ ୩୫ ଜଣ ନିଖୋଜ ଅଛନ୍ତି।
ବର୍ଷାରେ ୧୬୫ଟି ଘର ଭାଙ୍ଗିଥିବା ବେଳେ ୧୯୯ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୩୬୬ଟି ଗୋଶାଳା, ୨୭ଟି ଦୋକାନ ଓ ବ୍ୟାପକ ପଶୁଧନ କ୍ଷୟକ୍ଷତି ହୋଇଛି। ରାଜ୍ୟରେ ମୌସୁମୀ ବର୍ଷା ଯୋଗୁ ୭୧୮ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏଥିରୁ ଜଳ ଶକ୍ତି ବିଭାଗର ୩୯୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ପିଡବ୍ଲୁଡି କ୍ଷୟକ୍ଷତି ୩୧୧ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।