ଧସୁଛି ଚୀନ୍; ବିପଦରେ ୨୭ କୋଟି, ବର୍ଷକୁ ୩ମିମି ଜମି ଦବୁଛି, ଭୂତଳ ଜଳ ଓ ଅଟ୍ଟାଳିକା ବଢ଼ାଉଛି ସମସ୍ୟା

Published By : Prameya-News7 Bureau | April 21, 2024 IST

ବେଜିଂ: ବିକାଶମୂଖୀ ବେଜିଂ ବିନାଶ ମୁହାଁ । ଧସୁଛି ଚାଇନା ମାଟି । ଚାପ ପକାଉଛି ସୁ-ଉଚ୍ଚ ଅଟ୍ଟାଳିକା । ବର୍ଷକୁ ୩ମିମି. ସହରାଞ୍ଚଳ ନିମ୍ନଗାମୀ । ସରି ସରି ଆସୁଛି ଭୂତଳ ଜଳ । ଶେଷ ହୋଇଯିବ ସି ଜିନପିଙ୍ଗଙ୍କ ଚୀନ୍। ପୃଥିବୀର ଇଣ୍ଟର କୋର୍ ଭାଗରେ ପ୍ଲେଟ୍ ଚଳନ ନା ଅନ୍ୟ କିଛି କାରଣ । ପଡ଼ୋଶୀ ଦେଶ ଚାଇନର ସ୍ଥିତି ଏବେ ଅସମ୍ଭାଳ । ସହରାଞ୍ଚଳର ପ୍ରାୟ ଅଧା ଭାଗ ଜମି ଧସିବାରେ ଲାଗିଛି । ଫଳରେ ୨୭ କୋଟିରୁ ଅଧିକ ଲୋକଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସୁଛି । ଏକଥା ଆମେ କହୁନାହୁଁ, ବରଂ ‘ସାଇନ୍ସ’ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଚୀନବାସୀଙ୍କୁ ଭୟଭୀତ କରିଛି । ଦେଶର ୪୫ ପ୍ରତିଶତ ସହର ବର୍ଷକୁ ୩ ମିଲିମିଟର ବା ୦.୧୨ ଇଞ୍ଚ୍ ଧସୁଛି । କିଛି ସ୍ଥାନରେ ମାଟି ୧୦ ମିଲିମିଟରରୁ ଅଧିକ ବେଗରେ ମାଟି ତଳମୁହାଁ ହେଉଛି । ଏହା ଉପରକୁ ଜଣାପଡ଼ୁ ନ ଥିଲେ ମଧ୍ୟ ଭିତରେ ବିନାଶ ଆଡ଼କୁ ଟାଣିନେଉଛି । ଫଳରେ ୬.୭ କୋଟି ଲୋକଙ୍କ ବସତି ଜଳ ସମାଧି ନେବ ।

ସତରେ କ’ଣ ଧ୍ବଂସ ହୋଇଯିବ ଚୀନ୍ ? ସତରେ କ’ଣ ବଡ଼ ବଡ଼ ଅଟ୍ଟାଳିକା ମାଟି ତଳେ ଦବିଯିବ ? ଏହାକୁ ନେଇ ଭୂତତ୍ବ ବିଜ୍ଞାନୀମାନେ ୨୦୧୫ରୁ ୨୦୨୨ ମଧ୍ୟରେ ଏକ ରିସର୍ଚ୍ଚ ଆରମ୍ଭ କରିଥିଲେ । ଯେଉଁଥିରେ ଚାଇନାର ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ସହରର ଭୂମିପୃଷ୍ଠକୁ ମାପିଥିଲେ । ୮୨ଟି ସହର ଉପରେ ଅଧ୍ୟୟନ ପରେ ଟିମ୍ ଜାଣିବାକୁ ପାଇଥିଲା ଚୀନର କିଛି ସହରାଞ୍ଚଳ ଦ୍ରୁତ ଗତିରେ ଧସୁଛି । ପ୍ରତି ୬ଟି ଟାଉନରୁ ଗୋଟିଏ ବର୍ଷକୁ ୧୦ମିମିରୁ ଅଧିକ ହାରରେ ନିମ୍ନଗାମୀ ହେଉଛି । ସାଙ୍ଘାଇ ସହର ୩ ମିଟର ପର୍ଯ୍ୟନ୍ତ ଡୁବିବା ପରେ ଲଗାତର ଭାବେ ତଳମୁହାଁ ହେଉଛି । ରାଜଧାନୀ ବେଜିଂର ଅବସ୍ଥା ମଧ୍ୟ ସମାନ । ସବ୍‌ୱେ ଓ ରାଜପଥ ନିକଟରେ ବାର୍ଷିକ ମାଟି ୪୫ ମି.ମି ବୁଡ଼ିବାରେ ଲାଗିଛି ।

ଚୀନର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ସହର ରହିଛି । ଏହା ଯେଉଁ ହାରରେ ବୃଦ୍ଧି ପାଉଛି ୨୧୨୦ ମସିହା ସୁଦ୍ଧା ତିନିଗୁଣା ହୋଇଯିବ । ଫଳରେ ବିକାଶିତ ଦେଶରେ ୫.୫ କୋଟିରୁ ୧୨.୮ କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ିବ । ଏଭଳି ବିପର୍ଯ୍ୟୟ ପଛରେ ଜିନ୍‌ପିଙ୍ଗ୍‌ ସରକାରଙ୍କ ନୀତି ହିଁ ଦାୟି । ସହରାଞ୍ଚଳରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଳର ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି । ଯାହାର ପୂରଣ ଲାଗି ଦେଶବାସୀ ଅଧିକରୁ ଅଧିକ ଭୂତଳ ଜଳ ଶୋଷିବାରେ ଲାଗିଛନ୍ତି । ତେଣୁ ତଳଭାଗରେ ପାଣି ସରିଆସୁଥିବାରୁ ଶୂନ୍ୟସ୍ଥାନ ସୃଷ୍ଟି ହେଉଛି । ଫଳରେ ଭୂମି ଧୀରେ ଧୀରେ ଧସୁଛି । କେବଳ ଏହି ଗୋଟିଏ କାରଣ ନୁହେଁ, ଭାରୀ ଅଟ୍ଟାଳିକା ବି ଭୂପୃଷ୍ଠ ଉପରେ ଚାପ ପକାଉଛି । ଜଳବାୟୁ ପରିବର୍ତ୍ତନ ବି କିଛି ମାତ୍ରାରେ ଦାୟୀ ।

ଚୀନ୍‌ ଏକାକୀ ଏଭଳି ବିପଦର ସାମ୍ନା କରୁନାହିଁ । ଆମେରିକାରେ ନ୍ୟୁୟର୍କ ଭଳି ଡଜେନରୁ ଅଧିକ ତଟବର୍ତ୍ତୀ ସହର ବି ଡୁବିବାରେ ଲାଗିଛି । ନେଦରଲାଣ୍ଡରେ ୨୫% ଜମି ସମୁଦ୍ର ସ୍ତରଠାରୁ ତଳକୁ ଚାଲିଗଲାଣି । ମେକ୍ସିକୋ ସିଟି ବର୍ଷକୁ ୫୦ ସେଣ୍ଟିମିଟର ବା ୨୦ ଇଞ୍ଚ୍ ପର୍ଯ୍ୟନ୍ତ ବୁଡ଼ିବାରେ ଲାଗିଛି, ଯାହା ବିଶ୍ୱରେ ଦ୍ରୁତତମ । 

କେତେକ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ନିମନ୍ତେ ଚୀନ୍‌ର ଜିନ୍‌ପିଙ୍ଗ୍‌ ସରକାର କିଛି ଭିତ୍ତିଭୂମି ଢାଲ ନିର୍ମାଣ କରିଛନ୍ତି । କିନ୍ତୁ ଅଧ୍ୟୟନରେ ତାହାକୁ ଦୃଷ୍ଟିକୁ ନିଆଯାଇ ନାହିଁ । ଅଧ୍ୟୟନକାରୀ ଟିମ୍‌ରେ ଥିବା ପେକିଙ୍ଗ୍‌ ୟୁନିଭର୍ସିଟି ପ୍ରଫେସର ସେଙ୍ଗ୍‌ଲି ତାଓ କହିଛନ୍ତି, ସାଙ୍ଘାଇର ସୁରକ୍ଷା ନିମନ୍ତେ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି । ଏହାର ଉଚ୍ଚତା ଅନେକ ମିଟର ହେବ । ଏହି ବ୍ୟବସ୍ଥା ଦ୍ୱାରା ସମୁଦ୍ର ଜଳସ୍ତର ଅଧିକ ବଢ଼ିବା କ୍ଷେତ୍ରରେ ତଟବର୍ତ୍ତୀ ଅଞ୍ଚଳକୁ ଡୁବିବାରୁ ରକ୍ଷା କରିବ । 

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.