ୟୁକ୍ରେନ ଉପରେ ଆକ୍ରମଣରେ ରୁଷର ନୂଆ ରେକର୍ଡ, ଏକାବେଳକେ ୫୫୦ ଡ୍ରୋନ ମାଡ଼ କଲା ପୁଟିନ ସେନା

Published By : Prameya-News7 Bureau | July 05, 2025 IST

News7

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ସବୁଠୁ ବଡ ଆକ୍ରମଣ। ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ଏବେ ଉଗ୍ର ରୂପ ନେଇଛି। ଫେଲ ମାରିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା। କିଭ୍‌ ଉପରେ ୫୫୦ ଡ୍ରୋନ୍ ହମଲା କରିଛି ରୁଷ ସେନା। ଏପରିକି ୧୧ଟି ମିଶାଇଲ ମଧ୍ୟ ନିକ୍ଷେପ କରିଛି। ଅଧିକାରୀମାନେ କହିଛନ୍ତି ଯେ କିଭ୍‌ରେ ବୋମାମାଡ଼ ସାତ ଘଣ୍ଟା ଧରି ଚାଲିଥିଲା। ରୁଷର ଏହି ଆକ୍ରମଣ ପରେ ରାଜଧାନୀର ଅନେକ ଜିଲ୍ଲାରେ ପ୍ରବଳ କ୍ଷତି ହୋଇଛି। 

ବୋମାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଶିଶୁ ସମେତ ୨୬ ଜଣ ଆହତ ହୋଇଛନ୍ତି। ଲଗାତାର ଆକ୍ରମଣ ଏବଂ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ୪୦ ମାସର ହିଂସାତ୍ମକ ସଂଘର୍ଷ ପରେ ମଧ୍ୟ ବର୍ତ୍ତମାନ ଶାନ୍ତି ଫେରିବାର କୌଣସି ଆଶା ନାହିଁ। 

ରୁଷର ଆକ୍ରମଣ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ କଥା ହୋଇଥିଲେ ଜେଲେନ୍ସକି। ଦୁଇ ନେତା ୟୁକ୍ରେନୀୟ ବାୟୁ ପ୍ରତିରକ୍ଷାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ଜେଲେନସ୍କି କହିଛନ୍ତି ଯେ ଟ୍ରମ୍ପଙ୍କ ସହ ଆଲୋଚନା ସକାରାତ୍ମକ ଥିଲା। ଏହି ଆଲୋଚନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଆମେରିକା ୟୁକ୍ରେନକୁ ପଠାଯାଉଥିବା ସାମରିକ ସହାୟତାକୁ ଆଂଶିକ ଭାବରେ ବନ୍ଦ କରିଦେଇଛି। 

ରାତିରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ବିସ୍ଫୋରଣରେ କିଭ ଆକାଶ ଆଲୋକିତ ହୋଇଥିଲା। ବିମାନ ଆକ୍ରମଣ ଯୋଗୁଁ ସାଇରନ୍ ଚେତାବନୀର ଶବ୍ଦ ସାରା ସହରରେ ପ୍ରତିଧ୍ୱନିତ ହୋଇଥିଲା। ରୁଷର ଏହି ଆକ୍ରମଣ ପରେ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏହା ଏକ ଭୟଙ୍କର ରାତି ଥିଲା।

ଋଷ ବାୟୁସେନା କହିଛି ଯେ ରାତିରେ ୟୁକ୍ରେନୀୟ ଲକ୍ଷ୍ୟସ୍ଥଳକୁ ଲକ୍ଷ୍ୟ କରି ୫୫୦ ଡ୍ରୋନ ଉଡ଼ାଣ କରାଯାଇଥିଲା। ଅଧିକାଂଶ ଶାହେଦ ଡ୍ରୋନ ଥିଲା। ଋଷ ରାଜଧାନୀ କିଭରେ କୋଠା ଏବଂ ଅନ୍ୟାନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବା ପାଇଁ ଆକ୍ରମଣ ସମୟରେ ୧୧ ମିଶାଇଲ ମଧ୍ୟ ବ୍ୟବହାର କରିଥିଲା। 

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସୁରକ୍ଷା ବାହିନୀ କିଭରେ ଡ୍ରୋନ୍ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ତିଆରି କରୁଥିବା କାରଖାନାଗୁଡ଼ିକୁ ଟାର୍ଗେଟ କରିଥିଲେ। ଆକ୍ରମଣ ମଧ୍ୟରେ, ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ଦୁଇଟି କ୍ରୁଜ୍ ମିସାଇଲ୍ ନଷ୍ଟ କରିଥିବା ଦାବି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.