ନୂଆଦିଲ୍ଲୀ ୧୩।୮: ସଂସଦରେ ଇନକମ ଟ୍ୟାକ୍ସ ବିଲ ୨୦୨୫ ଗୃହୀତ ହୋଇଯାଇଛି। ଏବେ ଏହି ଆଇନ ଆୟକର ଅଧିନିୟମ ୧୯୬୧ର ସ୍ଥାନ ନେବ। ଏହି ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବାମାତ୍ରେ ଏହା ଆଇନରେ ପରିଣତ ହୋଇଯିବ। ଦେଶରେ ଏହି ଆଇନ ଲାଗୁ ହେବା ସହିତ ଆପଣଙ୍କ ଆର୍ଥିକ ନେଣଦେଣ ସମ୍ପର୍କିତ ଅନେକ ନିୟମ ବଦଳିଯିବ। ଇନକମ୍ ଟ୍ୟାକ୍ସ ବିଲ ୨୦୨୫ ଅନୁସାରେ ସେଭିଙ୍ଗ ଆକାଉଣ୍ଟ ଓ କରେଣ୍ଟ ଆକାଉଣ୍ଟ (ସିଏଏସଓ) ରେ କ୍ୟାସ ଡିପୋଜିଟ ନିମନ୍ତେ ଏକ ସୀମା ନିର୍ଦ୍ଧାରିତ ହେବ।
ଏହା ସେହି ସୀମା ଯାହାକୁ ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟରେ ନିଶ୍ଚିତ ସମୟ ପର୍ଯ୍ୟନ୍ତ ଜମା ରଖି ପାରିବେ। ଏହି ନିୟମ ନଗଦ କାରବାର ଉପରେ ନଜର ରଖିବା ପାଇଁ ନିର୍ଦ୍ଧାରଣ ହୋଇଛି, ଯାହା ଦ୍ୱାରା ମନି ଲଣ୍ଡ୍ରିଂ, ଟ୍ୟାକ୍ସ ଚୋରି ଓ ଅନ୍ୟ ଅବୈଧ ଗତିବିଦିଧିକୁ ରୋକା ଯାଇ ପାରିବ। ତେବେ ଏହି ନିୟମ ଏପ୍ରିଲ ୨୦୨୬ରୁ ଲାଗୁ ହେବ। ଅର୍ଥାତ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ।
ଟ୍ୟାକ୍ସ କନସେପ୍ଟ ଅନୁସାରେ ନୂଆ ଆୟକର ଟ୍ୟାକ୍ସ ବିଲ୍ ରେ ଆକାଉଣ୍ଟଧାରୀଙ୍କୁ ତାଙ୍କ ସେଭିଂ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଓ କରେଣ୍ଟ ଆକାଉଣ୍ଟରେ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ରଖି ପାରିବେ। ଯଦି ଏହାଠୁ ଅଧିକ ରାଶି ଜମା କରାଯାଏ ତେବେ ଆୟକର ବିଭାଗଙ୍କୁ ଏହାର ସୂଚନା ଦେବାକୁ ହେବ। ନୂଆ ଆୟକର ବିଲ୍ ରେ ଧାରା ୧୯୪ ଏନ ଅନୁସାରେ ଗୋଟିଏ ଆର୍ଥିକ ବର୍ଷରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଉଠାଣ ଉପରେ ୨% ଟିଡିଏସ୍ କଟା ଯିବ।
ସେହିପରି ଯଦି କୌଣସି ବ୍ୟକ୍ତି ପିଛିଲା ୩ ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରି ନାହାନ୍ତି ୨୦ ଲକ୍ଷ ଟଙ୍କାରୁ ଅଧିକ ଉଠାଣ ଉପରେ ୨% ପ୍ରତିଶତ ଟିଡିଏ ଓ ୧ କୋଟି ଟଙ୍କାରୁ ଅଧିକ ଉଠାଣ ଉପରେ ୫% ଟିଡିଏସ୍ ଲାଗିବ। ସେହିପରି ଧାରା ୨୬୯ ଏସଟି ନିୟମ ବ୍ୟାଙ୍କରୁ ଉଠାଣ ଉପରେ ଲାଗୁ ହେବ ନାହିଁ। ଏଥିରେ ବର୍ଷରେ ବା ଗୋଟିଏ ନେଣଦେଣରେ ୨ଲକ୍ଷ ଟଙ୍କା ବା ଏହାଠୁ ଅଧିକ ନଗଦ ପ୍ରାପ୍ତ କଲେ ଜରିମନା ଲାଗୁ ହୋଇ ପାରେ। ଏହି ନିୟମ ବ୍ୟାଙ୍କରୁ ଉଠାଣରେ ଲାଗୁ ହେବ ନାହିଁ। ତେବେ ଉଠାଣ ସୀମା ଠାରୁ ଅଧିକ ଉଠାଣ କ୍ଷେତ୍ରରେ ଟିଡିଏସ ଲାଗୁ ହୋଇପାରେ।
ନୂଆ ବିଲ୍ ର ଖାସ କ’ଣ?
ଏହି ବିଲ୍ ର ଡ୍ରାଫ୍ଟିଂ ପ୍ରକ୍ରିୟାରେ ୭୫ହଜାର ପର୍ସନ ଆୱାର ସମୟ ଲାଗିଛି। ଏଥି ପାଇଁ ବିଶେଷଜ୍ଞ, ଟ୍ୟାକ୍ସ ଅଧିକାରୀ, ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ଅନ୍ୟ ଭାଗିଦାରଙ୍କ ପରାମର୍ଶ ମଧ୍ୟ ଗ୍ରହଣ କରାଯାଇଛି, ଯେପରି ଆଇନ ଆଧୁନିକ ଓ ବ୍ୟବହାରିକ ହୋଇ ପାରିବ। ନୂଆ ଆଇନକୁ ଡିଜିଟାଲ ଯୁଗର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିରେ ଟ୍ୟାକ୍ସ ପେୟରଙ୍କ ଲାଗି ପ୍ରକ୍ରିୟାକୁ ସରଳ, ପାରଦର୍ଶି ଓ ଦ୍ରୁତ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି।