ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ କଙ୍ଗନାଙ୍କୁ ଝଟକା, ମାନହାନି ମାମଲାର ପୁଣି ଆରମ୍ଭ ହେବ ଟ୍ରାଏଲ୍

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ ୦୨।୦୮; ବଲିଉଡ଼ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରଣାବତଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଲାଗିଛି ବଡ଼ ଝଟକା । ୨୦୨୧ରେ ବଠିଣ୍ଡାରେ ତାଙ୍କ ବିରୋଧରେ ଦାୟର ମାନହାନୀ ମକଦ୍ଦମାକୁ ରଦ୍ଦ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ବନ୍ଦ ଥିବା ଟ୍ରାଏଲ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ୨୦୨୦-୨୧ ଚାଷୀ ଆନ୍ଦୋଳନ ସହ ଏହି ମାମଲା ଜଡ଼ିତ। ସେହି ସମୟରେ କଙ୍ଗନା ସୋସିଆଲ ମିଡିଆରେ ବଠିଣ୍ଡାର ମୋହିନ୍ଦର କୌରଙ୍କ ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଦାବି କରିଥିଲେ କି ଆନ୍ଦୋଳନରେ ସାମିଲ ହେବାକୁ ମହିଳାଙ୍କୁ ଟଙ୍କା ଦିଆଯାଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା । ଏପରିକି ମୋହିନ୍ଦର କୌର ୨୦୨୧ ଜାନୁଆରୀରେ କଙ୍ଗନାଙ୍କ ବିରୋଧରେ ବଠିଣ୍ଡାର ସ୍ଥାନୀୟ କୋର୍ଟରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। କଙ୍ଗନାଙ୍କ ପୋଷ୍ଟ ତାଙ୍କ ସମ୍ମାନହାନୀ କରିବା ସହ ସାର୍ବଜନୀନ ସ୍ତରରେ ତାଙ୍କୁ ଅପମାନିତ କରିଛି ବୋଲି ସେ ଅଭିଯୋଗ କରିଥିଲେ।

ଏହି ମାମଲାକୁ ରଦ୍ଦ କରିବାକୁ କଙ୍ଗନା ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ଯାଇଥିଲେ । ତାଙ୍କ ବୟାନ ସାମାନ୍ୟ ଟିପ୍ପଣୀ ଥିଲା ଓ ଏଥିରେ କାହାରିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ ନଥିଲା ବୋଲି କଙ୍ଗନା ଯୁକ୍ତି ରଖିଥିଲେ । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ୨୦୨୧ରୁ ବନ୍ଦ ଥିବା ଟ୍ରାଏଲ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ତେବେ କୋର୍ଟଙ୍କ ସମ୍ପୂର୍ଣ୍ଣ ନିଷ୍ପତ୍ତି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜାରି କରାଯାଇନାହିଁ । ଏଥିପାଇଁ କଙ୍ଗନାଙ୍କ ଆବେଦନ ଖାରଜ କରାଯିବା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.