ନାଓମୀ ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି, ତିନି ଜଣକ ଉପରକୁ ଗୁଳି ଚଳାଇଲେ ସୁରକ୍ଷାକର୍ମୀ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ବାଇଡେନଙ୍କ ନାତୁଣୀଙ୍କ ସୁରକ୍ଷା କରୁଥିବା ସିକ୍ରେଟ ସର୍ଭିସ୍‌ର ଏକ ଗାଡ଼ିରେ କିଛି ଦୁର୍ବୁତ୍ତ ବଳପୂର୍ବକ ପଶିବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ସୁରକ୍ଷାରେ ଥିବା ଏଜେଣ୍ଟ ତିନି ଜଣକ ଉପରକୁ ଗୁଳି ଚଳାଇଥିଲେ। ଯାହାପରେ ସେମାନେ ତୁରନ୍ତ ସେଠାରୁ ପଳାଇଯାଇଥିଲେ।

ରିପୋର୍ଟ ଅନୁଯାୟୀ, ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନ ଓ୍ବାସିଂଟନର ଜର୍ଜଟାଉନ ଯାଇଥିଲେ। ସେଠାରେ ହିଁ ଏଭଳି ଘଟଣା ଘଟିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ସେଠାରେ ସିକ୍ରେଟ୍‌ ସର୍ଭିସର ଗାଡ଼ି ପାର୍କିଂରେ ରହିଥିଲା। ଏହି ସମୟରେ ତିନି ଜଣ ଦୁର୍ବୁତ୍ତ ଆସିଥିଲେ ଏବଂ ଗାଡ଼ିର କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ସୁରକ୍ଷା କର୍ମୀ ଗୁଳି ଚଳାଇଥିଲେ। ଅବଶ୍ୟ ସେ ସମୟରେ କାର୍‌ରେ କେହିନଥିଲେ। ଆଉ ଗୁଳି ମଧ୍ୟ କାହାକୁ ବାଜିନାହିଁ।

ଆହୁରି ପଢ଼ନ୍ତୁ: ଉଚ୍ଚ ଶିକ୍ଷା ପାଇଁ ଆମେରିକା ଆଜି ବି ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ, ODR ରିପୋର୍ଟରେ ଦାବି

ସେପଟେ ଘଟଣାକୁ ନେଇ ସିକ୍ରେଟ ସର୍ଭିସ୍ ପକ୍ଷରୁ ଏନେଇ ବୟାନ ଜାରି କରାଯାଇଛି। ସିକ୍ରେଟ ସର୍ଭିସ୍ ତରଫରୁ କୁହାଯାଇଛି ଯେ, ସୁରକ୍ଷାକର୍ମୀଙ୍କ ଦ୍ବାରା ଗୁଳିମାଡ଼ ଯୋଗୁଁ ତିନି ଜଣ ତୁରନ୍ତ ସେଠାରୁ ଏକ ଲାଲ ଗାଡ଼ିରେ ପଳାଇଯାଇଥିଲେ। ସିକ୍ରେଟ ସର୍ଭିସ୍ ତିନି ଜଣକ ସନ୍ଧାନ ପାଇଁ ବୁଲେଟିନ୍ ଜାରି କରିଛି। ପୋଲିସ୍‌ ସେମାନଙ୍କ ସନ୍ଧାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.