ଛତ୍ରପୁର ୦୨।୦୭ : ତେଲେଙ୍ଗାନାର ସାଙ୍ଗରେଡ୍ଡି ଜିଲ୍ଲାର ସିଗାଚି ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟଣା । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳ ରାମକିଷ୍ଣାନଗରର ଆର.ଭି.ଜଗନ ମୋହନ ହୋଇଥିବା ବେଳେ ଆଉ ଜଣେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରସ୍ତମପୁର ପାର୍ବତୀପୁର ଗାଁର ରହିଛନ୍ତି । ଏବେ ଉଭୟଙ୍କ ମୃତଦେହ ଗାଁକୁ ଫେରିଛି । ସେଠାରେ ସେମାନଙ୍କ ଶେଷକୃତ୍ୟ ହୋଇଛି ।
ଆର.ଭି.ଜଗନ ମୋହନ ଦୀର୍ଘ ୩୫ ବର୍ଷ ହେଲା ପରିବାର ସହ ତେଲେଙ୍ଗାନାରେ ରହୁଥିଲେ । ଉକ୍ତ କମ୍ପାନୀରେ ଗତ ୨୦ ବର୍ଷ ଧରି କାମ କରୁଥିଲେ । ହେଲେ ଭୟାନକ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣା ପରେ ତେଲେଙ୍ଗାନା ସରକାର ମୃତକ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।ବାକି ଓଡ଼ିଶା ସରକାର ମଧ୍ୟ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣ ଲୋକ ନିବେଦନ କରିଛନ୍ତି।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରସ୍ତମପୁର ପାର୍ବତୀପୁର ଗାଁରେ ପହଞ୍ଚିଛି ମନୋଜଙ୍କ ମୃତଦେହ । ମନୋଜ ସେହି କମ୍ପାନୀରେ ୨୦୦୧ ମସିହାରୁ ଡେପୁଟି ମ୍ୟାନ୍ଜେର କ୍ୱାଲିଟି କଣ୍ଟ୍ରୋଲ ଭାବେ କାମ କରୁଥିଲେ । ଏହି ଦୁର୍ଘଟଣାରେ ମନୋଜଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ମୋବାଇଲ୍ ସିମ୍ରୁ ହିଁ ତାଙ୍କ ମୃତଦେହ ଚିହ୍ନଟ ହୋଇଥିଲା । ଆଉ ଏବେ ଗାଁକୁ ଫେରିଛି ମୃତଦେହ ।