ମାଧ୍ୟମିକ ଶିକ୍ଷା ପରିଷଦ ଭିତରେ ସବୁକିଛି ଠିକ୍ ନାହିଁ କି ? ଆରଟିଆଇରେ ତଥ୍ୟ ମାଗିଲେ ଉତ୍ତର ମିଳୁଛି ଗୋପନୀୟ ତଥ୍ୟ ଦେଇ ହେବନି

Published By : Prameya-News7 Bureau | August 02, 2025 IST

କଟକ ୨।୮: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ହେବା ପଛରେ କିଏ ? କିଏ ସେ ବଡ଼ ମୁଣ୍ଡ ଯାହା ପାଖରେ ପହଞ୍ଚି ପାରୁନି କ୍ରାଇମବ୍ରାଞ୍ଚ ? କେବେଳ କିଛି ତଳିଆ କର୍ମଚାରୀ ଏବଂ ଅସାଧୁ ଶିକ୍ଷକଙ୍କୁ ବାନ୍ଧି, ଏଭଳି ଏକ ସମ୍ବେଦନଶୀଳ ମାମଲା ଉପରେ କ’ଣ ପୂର୍ଣ୍ଣଚ୍ଛେଦ ଟାଣିଦେବ କ୍ରାଇମବ୍ରାଞ୍ଚ ? ନା ପ୍ରକୃତ ରହସ୍ୟର ଉନ୍ମୋଚନ ହୋଇପାରିବ, ଏବେ ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଚିନ୍ତାର ବିଷୟ ହେଲା ସୂଚନା ଅଧିକାର ଆଇନ ବଳରେ ଯେଉଁସବୁ ତଥ୍ୟ ମଗାଯାଉଛି, ତାର ସଠିକ୍ ଉତ୍ତର ନରଖି ବୋର୍ଡ କର୍ତ୍ତୃପକ୍ଷ ଅନାବଶ୍ୟକ ତଥ୍ୟ ଦେଉଛନ୍ତି । 

ଗତ ମାଟ୍ରିକ ପରୀକ୍ଷା ଖାତାଦେଖା ବେଳେ କେଉଁ ସଂସ୍ଥାକୁ ଟାବୁଲେସନ କାମ ଦିଆଯାଇଥିଲା, ସେ ବାବଦୀୟ କେତେ ଟଙ୍କା ଖର୍ଚ୍ଚ ହେଲା, ବିନା ଟେଣ୍ଡରରେ ଏକ ନିର୍ଦ୍ଧିଷ୍ଟ ସଂସ୍ଥାକୁ ଟାବୁଲେସନ କାମ ଦିଆଯିବାର କାରଣ କ’ଣ ? ଏସବୁ ବାବଦରେ ତଥ୍ୟ ଲୋଡ଼ିଥିଲେ ସୂଚନା ଅଧିକାର କର୍ମୀ ରୋହନ ମହାନ୍ତି । କିନ୍ତୁ ତାଙ୍କୁ ଉତ୍ତର ମିଳିଲା କିଛି ଏହି ପ୍ରକାରର । ଯେଉଁଥିରେ ଉଲ୍ଲେଖ ରହିଛି ବୋର୍ଡ ସଭାପତିଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀ ମାନେ ପାଉଥିବା ଦରମା ବାବଦୀୟ ତଥ୍ୟ । ତେବେ ଏଭଳି ବ୍ୟତିକ୍ରମ ବାବଦରେ ପ୍ରଶ୍ନ କଲେ ଉତ୍ତର ମିଳେ କି ପରୀକ୍ଷା ପରିଚାଳନା ବାବଦୀୟ ଗୋପନୀୟ ତଥ୍ୟ ଦେଇ ହେବନାହିଁ । ଯାହା ପ୍ରମାଣିତ କରୁଛି କି ମାଧ୍ୟମିକ ଶିକ୍ଷା ପରିଷଦ ଭିତରେ ସବୁକିଛି ଠିକ୍‌ରେ ଚାଲିନାହିଁ । ତେବେ ଏହା ପଛର ଏକ ପ୍ରମୁଖ କାରଣ ହେଲା, ବର୍ଷ ବର୍ଷ ଧରି ଗାଦି ମାଡ଼ିବସିଥିବା ବଡ଼ ବଡ଼ ବାବୁ ମାନଙ୍କର ମନମାନୀ । ଯେମିତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଯିଏ କଟକ ଅତିରିକ୍ତ ଜିଲ୍ଲାପାଳ, ବୋର୍ଡ ସମ୍ପାଦକ ଏବଂ ଏବେ ବୋର୍ଡ ସଭାପତି ଦାୟିତ୍ୱରେ ଅଛନ୍ତି । ସେହିପରି ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚର୍ଚ୍ଚିତ ହୋଇଥିବା ଅଧିକାରୀ ଜଣକ ହେଲେ ବୋର୍ଡର ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତି, ଯିଏ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବୋର୍ଡ ମୁଖ୍ୟାଳୟକୁ ଯାବୁଡି ଧରିଛନ୍ତି । 

ଓଟିଇଟି ପ୍ରଶ୍ନପତ୍ର ଘୋଟଲାକୁ ନେଇ ଘଣ୍ଟା ଚକଟା ଜାରି ରହିଥିବା ବେଳେ ଏହା ଭିତରେ ୭ ଜଣଙ୍କୁ ବାନ୍ଧି ସାରିଲାଣି କ୍ରାଇମବ୍ରାଞ୍ଚ । କିନ୍ତୁ ବୋର୍ଡ ଉପ ସଭାପତିଙ୍କ ପାଖକୁ ପ୍ରଶ୍ନପତ୍ର ଆସିଲା କିପରି । ଯଦି କୌଣସି କାରଣରୁ ପ୍ରଶ୍ନପତ୍ର ତାଙ୍କ ଲାପଟପରେ ଥିଲା, ତେବେ ତାହା ପ୍ରଘଟ ହେଲା କେମିତି । ପ୍ରଶ୍ନପତ୍ର ଛାପିବା ଲାଗି କେଉଁ ଫାର୍ମ ଦାୟିତ୍ୱ ନେଇଥିଲା । ସେଥିଲାଗି ଟେଣ୍ଡର ହୋଇଥିଲା ନା କୌଣସି ଏକ ନିର୍ଦ୍ଧିଷ୍ଟ ସଂସ୍ଥାକୁ ବୋର୍ଡ କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ? ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପ୍ରଶ୍ନପତ୍ର ଲିକ୍ ହେବା ଏବଂ ପରୀକ୍ଷା ପରିଚାଳନା ଜନିତ ତ୍ରୁଟିକୁ ନେଇ ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏପରିକି ବୋର୍ଡର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଯେହେତୁ ମାଟ୍ରିକ ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପରିଚାଳନା ଦାୟିତ୍ୱ ବୋର୍ଡ କାନ୍ଧରେ ନ୍ୟସ୍ତ, ତେଣୁ ଏହି ସଂସ୍ଥା ଠାରୁ ସ୍ୱଚ୍ଛତା ଆଶା କରୁଛନ୍ତି ଶିକ୍ଷାବିତ ମାନେ ।

You Can Read:

ନରସିଂହପୁର ବ୍ଲକ୍ ଦୁଇ କର୍ମଚାରୀଙ୍କ ଉପରେ ସୂଚନା କମିଶନଙ୍କ ଛାଟ, ୨୦ ହଜାର ଟଙ୍କା ଗଣିବେ ଫାଇନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.