‘ଇସ୍ରାଏଲ ସହିତ ଛିଡା ହୋଇଥିବା ଦେଶ ଆମର ଟାର୍ଗେଟରେ’: ଆମେରିକାକୁ ଚରମ ଚେତାବନୀ ଦେଲା ଇରାନ୍‌

Published By : Prameya-News7 Bureau | June 14, 2025 IST

ନୂଆଦିଲ୍ଲୀ: ଇସ୍ରାଏଲ ସହିତ ଛିଡା ହୋଇଥିବା ଯେକୌଣସି ଦେଶ ଆମର ଟାର୍ଗେଟରେ। ଆମେ ଇସ୍ରାଏଲ ପ୍ରତି ନମ୍ରତା ଦେଖାଇବୁ ନାହିଁ। ଇସ୍ରାଏଲକୁ ଉଚିତ ଜବାବ ଦିଆଯିବ। ଆମେରିକା ସମେତ ପ୍ରମୁଖ ଦେଶମାନଙ୍କୁ ଚେତାବନୀ ଦେଇଛି ଇରାନ।

କେନ୍ଦ୍ରୀୟ ଇସ୍ରାଏଲରେ ବାଲିଷ୍ଟିକ୍ ମିଶାଇଲ ମାଡ଼ କରିଛି ଇରାନ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଜରୁରୀକାଳୀନ ସେବା କର୍ତ୍ତୃପକ୍ଷ କହିଛନ୍ତି ଯେ ହସ୍ପିଟାଲରେ ୧୦ ଜଣଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ବୋଲି କୁହାଯାଉଛି।

IRGC (ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ) କମାଣ୍ଡର ମେଜର ଜେନେରାଲ ଅହମ୍ମଦ ଭାହିଦି ଏପର୍ଯ୍ୟନ୍ତ ହୋଇଥିବା ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇରାନ ଦ୍ୱାରା ଟାର୍ଗେଟ କରାଯାଇଥିବା ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟିଗୁଡ଼ିକ ମଧ୍ୟରେ ନେଭାଟିମ୍ ଏୟାରବେସ୍, F-35, F-16 ଏବଂ F-15 ଲଢ଼ୁଆ ବିମାନ, ଭାରୀ ଇନ୍ଧନ ଟ୍ୟାଙ୍କର, କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର, ଇଲେକ୍ଟ୍ରୋନିକ୍ ଯୁଦ୍ଧ କେନ୍ଦ୍ର, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସାମରିକ ଶିଳ୍ପକୁ କ୍ଷତି ପହଞ୍ଚାଇଛି।

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଉଭୟ ଦେଶ ପରସ୍ପରର ସାମରିକ ଘାଟି ଉପରେ ମିଶାଇଲ ମାଡ଼ କରିଛନ୍ତି। ତେହେରାନର ମୋନିରିୟେ ଅଞ୍ଚଳରେ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରାଯାଇଛି। ଏହି ଅଞ୍ଚଳ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଖାମେନିଙ୍କ ଘର ଏବଂ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ଅବସ୍ଥିତ।

ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, "ଆମର ଲଢ଼େଇ ଇରାନର ଇସଲାମିକ୍ ଶାସନ ସହିତ, ଯିଏ ନିଜ ଲୋକଙ୍କୁ ଦମନ କରୁଛି। ପ୍ରଧାନମନ୍ତ୍ରୀ ଇରାନବାସୀଙ୍କୁ ଏହି ଶାସନ ବିରୁଦ୍ଧରେ ସ୍ୱର ଉଠାଇ ସ୍ୱାଧୀନତା ଆଡ଼କୁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, "ଆମେ ଇରାନର ଲୋକଙ୍କ ସହିତ ଠିଆ ହୋଇଛୁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.