ନୂଆଦିଲ୍ଲୀ ୧୩।୬: ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଏବେ ଚରମ ସୀମାକୁ ପହଞ୍ଚିଛି। ଇସ୍ରାଏଲ ଉପରେ ଇରାନ ଶତାଧିକ ଡ୍ରୋନ ଆକ୍ରମଣ କରିଛି। ଅନୁମାନ କରାଯାଉଛି ଏହା ପରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ରରେ ଆକ୍ରମଣ କରିବ। ଆମେରିକା ଓ ଇସ୍ରାଏଲ ଗଣମାଧ୍ୟମ ଅନୁସାରେ ଏହି ଆକ୍ରମଣ ଇରାନ ପକ୍ଷରୁ ‘ଅପରେସନ ରାଇଜିଂ ଲାୟନ’ ଜବାବରେ କରାଯାଇଛି। ଇସ୍ରାଏଲ ଏହି ଅପରେସନରେ ଇରାନର ପରମାଣୁ କେନ୍ଦ୍ର ଓ ବୈଜ୍ଞାନିକଙ୍କୁ ଟାର୍ଗେଟ କରିଥିଲା।
ଇରାନ ସରକାର କହିଛନ୍ତି ଯେ ଏବେ ବିଶ୍ୱ ଆମର ପରମାଣୁ କାର୍ଯ୍ୟକ୍ରମ ଓ କ୍ଷେପଣାସ୍ତ୍ର କ୍ଷମତାକୁ ଭଲଭାବେ ଜାଣିବ। ଇରାନ ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରଘାଚୀ ଅଭିଯୋଗ କରିଛନ୍ତି ଯେ ଇସ୍ରାଏଲର ଏହି ଆକ୍ରମଣ ବିନା ଆମେରିକା ସହଯୋଗରେ ହୋଇ ପାରିବ ନାହିଁ। ସେ କହିଛନ୍ତି ଯେ ଆମେରିକା ଏହାର ବିପଦଜନକ ପରିଣାମ ଲାଗି ଦାୟି ରହିବ। ଅନ୍ୟପଟେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଇରାନ ଶତାଧିକ ଡ୍ରୋନ ଦ୍ୱାରା ଆକ୍ରମଣ କରିଥିବା ପୁଷ୍ଟି କରିଛି। ତେବେ ଏହି ଡ୍ରୋନ କେତେବେଳେ ଇସ୍ରାଏଲ ପହଞ୍ଚିବ ସେ ନେଇ ଆଇଡିଏଫ କିଛି କହିନାହିଁ।
ଆଇଡିଏଫ ମୁଖପାତ୍ର ଏଫି ଡେଫ୍ରିନ ଶୁକ୍ରବାର ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଇରାନ ଏବେ ଏବେ ଡ୍ରୋନ ଆକ୍ରମଣ କରିଛି, ଏହାର ଜବାବରେ ଇସ୍ରାଏଲ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। ଆଇଡିଏଫର ୨୦୦ରୁ ଅଧିକ ବୋମାବର୍ଷି ଲଢୁଆ ବିମାନ ଇରାନର ୧୦୦ରୁ ଅଧିକ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ଇରାନ ଅକ୍ଟୋବର ୨୦୨୪ ଓ ଏପ୍ରିଲ ୨୦୨୫ରେ ଇସ୍ରାଏଲ ଉପରକୁ ଆକ୍ରମଣ କରିଥିଲା। ସେତେବେଳେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ କିଛି ଅନ୍ୟ ଦେଶ ଇସ୍ରାଏଲକୁ ସମର୍ଥନ କରିଥିଲେ। ହେଲେ ଏଥର ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିନି ଇସ୍ରାଏଲକୁ ଆକ୍ରମଣ ଲାଗି ଅନ୍ତର୍ଜାତୀୟ ସମର୍ଥନ ମିଳିଛି କି ନାହିଁ।
ଇସ୍ରାଏଲ ନିଜ ତାକତରେ ଏହି କାର୍ଯ୍ୟାନୁଷ୍ଠାନ କରିଛି କି ତାକୁ ଆମେରିକାରୁ କୌଣସି ସମର୍ଥନ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ସୋସିଆଲ ମିଡିଆରେ କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଇରାନ ପକ୍ଷରୁ ଶହଶହ ଡ୍ରୋନ ଇସ୍ରାଏଲ ଉପରକୁ ମାଡ଼ କରାଯଉଥିବା ଦେଖାଯାଇଛି। ତେବେ ଇରାନ ଏହି ଡ୍ରୋନ ଇସ୍ରାଏଲର ଡିଫେନ୍ସ ସିଷ୍ଟମକୁ ବ୍ୟସ୍ତ ରଖିବା ପାଇଁ ପଠାଇଥିବା ଅନୁମାନ କରାଯାଉଛି, ଯାହାଦ୍ୱାରା ପରେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲକୁ ଦୋହଲାଇବାକୁ ଉଦ୍ୟମ କରିବ ବୋଲି କୁହାଯାଉଛି।
ମଧ୍ୟ-ପ୍ରାଚ୍ୟ ପରିସ୍ଥିତି ପ୍ରଥମରୁ ଉତ୍ତେଜନାପୂର୍ଣ୍ଣ ଥିଲା। ଏଥିରେ ଇସ୍ରାଏଲର ଏହି ଆକ୍ରମଣ ଏକ ବଡ଼ ଧରଣର ଯୁଦ୍ଧ ଆଡକୁ ମୁହାଁଉଥିବାର ଅନୁମାନ କରାଯାଉଛି। ଏବେ ଆଶଙ୍କା କରାଯାଉଛି ଆଗାମୀ କିଛି ଘଣ୍ଟା ବା ଦିନରେ ଏହି ଉତ୍ତେଜନା ଆହୁରି ଅଧିକ ବଢିପାରେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ ଆକ୍ରମଣ ପରେ ବୟାନ ଦେଇଛନ୍ତି। ସେ କହିଛନ୍ତି ଇରାନ ଉପରେ ଆକ୍ରମଣ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ଆମ ଦେଶର ଅସ୍ତିତ୍ୱକୁ ବିପଦରେ ପକାଉଥିବ।
ସେପଟେ ଇରାନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇ କହିଛନ୍ତି ଯେ ଇସ୍ରାଏଲ ନିଜ ପାଇଁ ନିଜେ ବର୍ବାଦି ବାଛିଛି ଓ ତାକୁ ଏହି ପରିଣାମ ଭୋଗିବାକୁ ପଡିବ। ଖାମେନେଇ ଶୁକ୍ରବାର ସକାଳେ ଇରାନ ଟିଭିରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଇସ୍ରାଏଲକୁ ଏହି ଆକ୍ରମଣ ଲାଗି କଡ଼ା ଦଣ୍ଡ ମିଳିବ। ସେ କହିଛନ୍ତି ଯେ ଇସ୍ରାଏଲ ଇରାନ ବିରୋଧରେ ଖୁନୀ ଓ ଅମାନବୀୟ ଆକ୍ରମଣ କରିଛି। ଏଣୁ ତାର ବାସ୍ତବତା ଏବେ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି।